ରାଡାର୍‌ ଇମେଜ୍‌ ସହ ଆମେରିକା ମ୍ୟାଗାଜିନ୍‌ ରିପୋର୍ଟର ପର୍ଦ୍ଦାଫାସ କଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଭାଷା କହି ରିପୋର୍ଟ ଛାପିଥିବା ଆମେରିକା ମ୍ୟାଗାଜିନ୍‌ ଓ ସମଗ୍ର ବିଶ୍ୱକୁ ଆଜି ଭାରତୀୟ ବାୟୁସେନା ଦୃଢ଼ ଜବାବ ଦେଇଛି। ବାଲାକୋଟ୍‌ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ସହ ଛକାପଞ୍ଝା ବେଳେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏଫ୍‌-୧୬ ଯୁଦ୍ଧ ବିମାନକୁ ଖସାଇଥିଲେ। ଆଜି ରାଡାର ଇମେଜ୍ ଉପସ୍ଥାପନ କରି ବାୟୁସେନା ଏହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ତ ସନ୍ଦେହକୁ ଦୂର କରିଦେଇଛି। ଏଥିସହ ଭାରତ ସହ ମୁହାଁମୁହିଁ ବେଳେ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ […]

rad

Hemant Lenka
  • Published: Monday, 08 April 2019
  • , Updated: 08 April 2019, 10:28 PM IST

ନୂଆଦିଲ୍ଲୀ: ପାକିସ୍ତାନ ଭାଷା କହି ରିପୋର୍ଟ ଛାପିଥିବା ଆମେରିକା ମ୍ୟାଗାଜିନ୍‌ ଓ ସମଗ୍ର ବିଶ୍ୱକୁ ଆଜି ଭାରତୀୟ ବାୟୁସେନା ଦୃଢ଼ ଜବାବ ଦେଇଛି। ବାଲାକୋଟ୍‌ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ସହ ଛକାପଞ୍ଝା ବେଳେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏଫ୍‌-୧୬ ଯୁଦ୍ଧ ବିମାନକୁ ଖସାଇଥିଲେ। ଆଜି ରାଡାର ଇମେଜ୍ ଉପସ୍ଥାପନ କରି ବାୟୁସେନା ଏହାକୁ ନେଇ ସୃଷ୍ଟି ହୋଇଥିବା ସମସ୍ତ ସନ୍ଦେହକୁ ଦୂର କରିଦେଇଛି। ଏଥିସହ ଭାରତ ସହ ମୁହାଁମୁହିଁ ବେଳେ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନ ପିଓକେରେ ଧ୍ୱଂସ ହୋଇଯାଇଥିବା ନେଇ ଭାରତୀୟ ସେନା ପାଖରେ ଅକାଟ୍ୟ ପ୍ରମାଣ ରହିଛି।

ଆଜି ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଭାଇସ୍‌ ମାର୍ଶାଲ ଆରଜି କପୁର ସାମ୍ବାଦିକ ସମ୍ମିଳନୀ କରି ପାକିସ୍ତାନ ଓ ତା’ର ସହଯୋଗୀ ଆମେରିକାର ଏକ ମ୍ୟାଗାଜିନ୍‌ ସଂସ୍ଥାକୁ ଧିକ୍କାର କରିଛନ୍ତି। ସେ କହିଛନ୍ତି, ଭାରତ-ପାକ୍‌ ଏଲଓସିରେ ନିୟୋଜିତ ଆଓ୍ୱାକ୍ସ ରାଡାର ଦ୍ୱାରା ଉତ୍ତୋଳିତ ଚିତ୍ରରୁ ଏହାର ସ୍ପଷ୍ଟ ହୋଇଛି ଯେ ଫେବୃଆରୀ ୨୭ରେ ଏଲଓସିରେ ପାକ୍ ବାୟୁସେନାର ଏକ ଏଫ୍‌-୧୬ ଯୁଦ୍ଧ ବିମାନକୁ ଭାରତୀୟ ବାୟୁସେନା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ଖସାଇ ଦେଇଥିଲେ। କେବଳ ରାଡାର ଇମେଜ୍‌ ନୁହେଁ, ଇଲେକଟ୍ରୋନିକ୍‌ ସିଗନେଚର ମଧ୍ୟ ସେଦିନ ପାକ୍‌ ଏଫ୍‌-୧୬ ଯୁଦ୍ଧ ବିମାନ ଧ୍ୱଂସ ହୋଇଥିବା କଥାକୁ ପ୍ରମାଣିତ କରିଛି। ଏଥିସହ ଏ ସଂକ୍ରାନ୍ତରେ ଆମ ପାଖରେ ଏକାଧିକ ପ୍ରମାଣ ରହିଛି। କିନ୍ତୁ ସୁରକ୍ଷା ଓ ବିଶ୍ୱସନୀୟତା ଦୃଷ୍ଟିରୁ ଆମେ ଏହାକୁ ସାର୍ବଜନୀନ କରିପାରୁନାହୁଁ।” ଏହାପରେ ବାୟୁସେନା ପକ୍ଷରୁ ଫେବୃଆରୀ ୨୭ରେ ଘଟିଥିବା ଘଟଣାର ରାଡାର ଇମେଜ୍‌ ଜାରି କରାଯାଇଥିଲା।

ବାୟୁସେନା ପକ୍ଷରୁ କୁହାଯାଇଛି ଯେ, ଫେବୃଆରୀ ୨୭ରେ ନୌଶେରା ସେକ୍ଟରରେ ଭାରତ ଓ ପାକ୍‌ ବିମାନ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ହିଁ ଭାରତର ମିଗ୍‌-୨୧ ବାଇସନ୍ ହିଁ ପାକ୍‌ର ଏଫ୍-୧୬ ଜେଟ୍‌କୁ ଖସାଇ ଦେଇଥିଲା। ଆକାଶ ମାର୍ଗରେ ଲଢ଼େଇ ପରେ ଦୁଇଟି ବିମାନରୁ ପାଇଲଟ୍‌ ଇଜେକ୍ଟ କରିଥିଲେ। ୮ରୁ ୧୦ କିମି ବ୍ୟବଧାନ ମଧ୍ୟରେ ଦୁଇଟି ବିମାନର ପାଇଲଟ୍‌ ଆକାଶ ଛତା ଦ୍ୱାରା ତଳକୁ ଓହ୍ଲାଇଥିଲେ। ଗୋଟିଏ ବିମାନ ଭାରତ ମିଗ୍‌-୨୧ ବାଇସନ ହୋଇଥିବା ବେଳେ ଅନ୍ୟଟି ହେଉଛି ପାକିସ୍ତାନର ଏଫ୍‌-୧୬। ଆମ ଦ୍ୱାରା ସଂଗୃହୀତ ହୋଇଥିବା ଇଲେକଟ୍ରନିକ ସିଗନେଚର ସେଦିନ ପାକିସ୍ତାନ ଏଫ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବା ପ୍ରମାଣିତ କରୁଛି।

ରେଡିଓ ସିଗନାଲରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨ ଜଣ ପାଇଲଟ୍‌ ବିମାନରୁ ଇଜେକ୍ଟ କରିଥିଲେ ବୋଲି ଜଣାପଡ଼ିଛି। ରାଡାର ଟ୍ରାକ୍‌ରୁ ମଧ୍ୟ ପାକ୍‌-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବା ପ୍ରମାଣିତ ହେଉଛି। ଆୱାକ୍ସ ମଧ୍ୟ ସର୍ବେକ୍ଷଣ କରି ପାକ୍‌ ସେନା ସେଦିନ ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିବା ଜାଣିବାକୁ ପାଇଥିଲା। ବାୟୁସେନା ପକ୍ଷରୁ କେବଳ ଏଫ-୧୬ରେ ବ୍ୟବହାର କରାଯାଉଥିବା ଏକ ମିସାଇଲ (ଆମରାମ)ର ଏକ ଅଂଶକୁ ମଧ୍ୟ ସମସ୍ତଙ୍କ ଆଗରେ ପ୍ରଦର୍ଶନ କରାଯାଇଛି। ତେଣୁ ଆମେରିକାର ମ୍ୟାଗାଜିନ୍‌ ଯେଉଁ ଖବର ଛାପିଛି, ତା’ହା ଠିକ୍‌ ନୁହେଁ।

ଆମେରିକାର ଏକ ମ୍ୟାଗାଜିନ୍‌ ରିପୋର୍ଟ ପ୍ରକାଶ କରିଥିଲା ଯେ, ଆମେରିକା ଠାରୁ ପାକିସ୍ତାନ କିଣିଥିବା ସମସ୍ତ ଏଫ୍‌-୧୬ ଯୁଦ୍ଧ ବିମାନ ସୁରକ୍ଷିତ ରହିଛି ଏବଂ ଏଥିରୁ କୌଣସି ଗୋଟିଏ ବି ହଜି ନାହିଁ। ପାକିସ୍ତାନ ସରକାର କୁଆଡ଼େ ଆମେରିକା ବିଶେଷଜ୍ଞମାନଙ୍କୁ ସ୍ୱଦେଶ ନିମନ୍ତ୍ରଣ କରିଥିଲା। ଆମେରିକା ଠାରୁ ଏଫ୍‌-୧୬ ଯୁଦ୍ଧ ବିମାନ କିଣାଯିବା ବେଳେ ଯେଉଁ ଚୁକ୍ତି ହୋଇଥିଲା, ତା’କୁ ଇସ୍‌ଲାମାବାଦ ଉଲ୍ଲଙ୍ଘନ କରି ନଥିବା ପାକ ପକ୍ଷରୁ କୁହାଯାଇଥିଲା।

Related story