ହାଇଦ୍ରାବାଦ: ଯଦି ଲୋକଙ୍କ ସମର୍ଥନ ମିଳିବ ତା’ହେଲେ ଲକଡାଉନ୍ ଅବଧିକୁ ଆହୁରି ବଢ଼ାଇବେ ରାଜ୍ୟ ସରକାର। ରବିବାର ଏଭଳି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର। ମେ ୩ରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଅବଧି ଶେଷ ହେଉଛି। ଏହାପରେ ତେଲେଙ୍ଗାନା ମେ ୭ ଯାଏ ଲକଡାଉନ୍ କରିବ ବୋଲି ଘୋଷଣା କରି ସାରିଛି। ଏବେ ମେ’ ୭ ପରେ ଯଦି ଲୋକମାନେ ସମର୍ଥନ କରିବେ ତା’ହେଲେ ରାଜ୍ୟ ସରକାର ଲକଡାଉନ ଅବଧିକୁ ଆହୁରି ବଢ଼ାଇବେ ବୋଲି କେସିଆର କହିଛନ୍ତି।
ତେଲେଙ୍ଗାନାରେ ଏଯାବତ ୯୯୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୬୮୫ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିପରି ୨୮୦ ଜଣ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ ୨୬ ଜଣଙ୍କର ମୃତ୍ୟୁ ହୋଇଛି ଏହି ଘାତକ ଭାଇରସରେ।
ଲକଡାଉନ୍ ନିୟମ କଡ଼ାକଡ଼ି ପାଳନ କରାଯାଉଥିବାରୁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଛି। ଲୋକମାନେ ନିୟମକୁ ପାଳନ କରୁଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏହି ସମୟରେ ଲକଡାଉନ୍ କାର୍ଯ୍ୟକାରିତା, କରୋନା ଭାଇରସ୍ ବ୍ୟାପିବା ଆଦି ଅନ୍ୟାନ୍ୟ ପ୍ରସଙ୍ଗରେ ସମୀକ୍ଷା କରିଥିଲେ।
ଦେଶ ତୁଳନାରେ ତେଲଙ୍ଗାନାରେ କରୋନା ଜନିତ ମୃତକଙ୍କ ସଂଖ୍ୟା କମ୍ ରହିଛି ବୋଲି ସେ କହିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ବୈଠକ କରିବେ। ଏହି ସମୟରେ ସେ ରାଜ୍ୟର ସ୍ଥିତି ବାବଦରେ ଅବଗତ କରାଇବେ ବୋଲି କେସିଆର କହିଛନ୍ତି।