ସିକିମରେ ଚୀନ ଓ ଜମ୍ମୁକାଶ୍ମୀରରେ ପାକିସ୍ତାନ ସହିତ ଉତ୍ତେଜନା ଜାରି ରହିଥିବା ବେଳେ ଭାରତୀୟ ସେନାରେ କମ୍ ଯବାନ ଥିବା କଥା ସାମ୍ନାକୁ ଆସିଛି। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁବାସ ଭାମରେ ଗତକାଲି ଲୋକସଭାରେ ଏନେଇ ସୂଚନା ପ୍ରଦାନ କରିଥିଲେ। ସେ କହିଥିଲେ ଯେ ଭାରତୀୟ ସେନାରେ ୫୨,୦୦୦ ଅଫିସର ଓ ଯବାନ କମ୍ ଅଛନ୍ତି। ସ୍ଥଳସେନାରେ ସବୁଠୁ ଅଧିକ ୨୫,୪୭୨ ଯବାନ କମ୍ ଅଛନ୍ତି। ବାୟୁସେନାରେ ୧୩,୭୮୫ ଯବାନ କମ୍ ଥିବା ବେଳେ ନୌସେନା ୧୩,୩୭୩ ଜଣ ଯବାନ କମ୍ ଅଛନ୍ତି।
ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ଯବାନଙ୍କ ସଂଖ୍ୟା ବଢ଼ାଇବା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଭାରତୀୟ ସେନାବାହିନୀରେ ଯୋଗ ଦେବା ପାଇଁ ଯୁବକମାନଙ୍କ ପ୍ରୋତ୍ସାହିତ କରାଯାଉଛି।
ଏହା ପୂର୍ବରୁ ସଂସଦରେ ଉପସ୍ଥାପିତ ସିଏଜ୍ ରିପୋର୍ଟରୁ ଜଣାପଡ଼ିଥିଲା ଯେ ଭାରତୀୟ ସେନା ପାଖରେ ଆବଶ୍ୟକ ସଂଖ୍ୟାରେ ଗୋଳାବାରୁଦ ନାହିଁ। ଏବେ ଯେତିକି ଗୋଳା-ବାରୁଦା ଅଛି ଯୁଦ୍ଧ ହେଲେ ତାହା ମାତ୍ର ୧୦ ଦିନରେ ଶେଷ ହୋଇଯିବ।
ସିଏଜି ରିପୋର୍ଟରେ ଉଲ୍ଲେଖ ରହିଥିଲା ଯେ ମୋଟ ୧୫୨ ପ୍ରକାର ଗୋଳା-ବାରୁଦ ମଧ୍ୟରୁ ମାତ୍ର ୨୦ ପ୍ରତିଶତ ଅର୍ଥାତ ୩୧ ପ୍ରକାରର ଷ୍ଟକ୍ ସନ୍ତୋଷଜନକ ରହିଛି। ୬୧ ପ୍ରକାରର ଗୋଳା-ବାରୁଦର ଷ୍ଟକ୍ ଚିନ୍ତାଜନକ ରହିଛି।
ଭାରତୀୟ ସେନା ପାଖରେ ୨୦ ଦିନର ଘାମାଘୋଟ ଲଢ଼େଇ ପାଇଁ ଗୋଳା-ବାରୁଦ ଷ୍ଟକ୍ ରହିବା ଉଚିତ। ପୂର୍ବରୁ ୪୦ ଦିନର ଯୁଦ୍ଧ ପାଇଁ ଗୋଳା-ବାରୁଦ ରଖାଯାଉଥିଲା। ୧୯୯୯ରେ ଏହାକୁ ହ୍ରାସ କରି ୨୦ ଦିନ ପାଇଁ ଗୋଳା-ବାରୁଦ ଜମା କରି ରଖିବାକୁ ନିଷ୍ପତ୍ତି ହୋଇଥିଲା।
ସିଏଜି ରିପୋର୍ଟ ମୁତାବକ ୨୦୧୬ ସେପ୍ଟେମ୍ବରରେ ୧୫୨ ପ୍ରକାର ଗୋଳା-ବାରୁଦରୁ ମାତ୍ର ୩୧ଟି ୪୦ ଦିନ ପାଇଁ ମହଜୁଦ ଥିଲା। ଆଉ ୧୨ ପ୍ରକାରର ଗୋଳା-ବାରୁଦ ୩୦ ରୁ ୪୦ ଦିନ ପାଇଁ ମହଜୁଦ ଥିଲା। ୨୬ ପ୍ରକାରର ଗୋଳା-ବାରୁଦ ୨୦ ରୁ ଟିକେ ଅଧିକ ଦିନ ପାଇଁ ମହଜୁଦ ଥିଲା।
ବିସ୍ଫୋଟକ ଓ ବିଧ୍ୱଂସକାରୀ ଉପକରଣ ଭଳି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ରର ସଂଖ୍ୟାରେ ସୁଧାର ଆସିଛି ବୋଲି ସିଏଜି ରିପୋର୍ଟରେ କୁହାଯାଇଥିଲା।