ପାକିସ୍ତାନୀ ଛାତ୍ରଙ୍କୁ ଉହାନ୍‌ରୁ ଉଦ୍ଧାର ପାଇଁ ଅଫର୍‌ ଦେଇଥିଲା ଭାରତ

ନୂଆଦିଲ୍ଲୀ: କରୋନା କେନ୍ଦ୍ର ସ୍ଥଳ ଚାଇନାର ଉହାନ୍‌ ସହରରେ ଫଶି ରହିଥିବା ପାକିସ୍ତାନ ଛାତ୍ରଙ୍କୁ ମଧ୍ୟ ଭାରତ ଉଦ୍ଧାର କରିବାକୁ ହାତ ବଢ଼ାଇଥିଲା। ଏକଥା ରାଜ୍ୟସଭାରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସ୍ୱୀକାର କରିଛନ୍ତି। ବିଜେପି ମନୋନୀତ ରାଜ୍ୟସଭା ସଦସ୍ୟ ରୂପା ଗାଙ୍ଗୁଲି ଆଜି ଏ ସମ୍ପର୍କିତ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଜୟଶଙ୍କର କହିଥିଲେ, ଭାରତରୁ ଦୁଇଟି ଏୟାର ଇଣ୍ଡିଆ ବିମାନ ପଠାଯିବା ଆଗରୁ ଭାରତ ‘ସବୁ ପଡ଼ୋଶୀଙ୍କୁ ଫେରାଇ ଆଣିବାକୁ’ ଅଫର ଦେଇଥିଲା। […]

S-jayshankar

Subrat Kumar Nayak
  • Published: Friday, 07 February 2020
  • , Updated: 07 February 2020, 07:07 PM IST

ନୂଆଦିଲ୍ଲୀ: କରୋନା କେନ୍ଦ୍ର ସ୍ଥଳ ଚାଇନାର ଉହାନ୍‌ ସହରରେ ଫଶି ରହିଥିବା ପାକିସ୍ତାନ ଛାତ୍ରଙ୍କୁ ମଧ୍ୟ ଭାରତ ଉଦ୍ଧାର କରିବାକୁ ହାତ ବଢ଼ାଇଥିଲା। ଏକଥା ରାଜ୍ୟସଭାରେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ସ୍ୱୀକାର କରିଛନ୍ତି।

ବିଜେପି ମନୋନୀତ ରାଜ୍ୟସଭା ସଦସ୍ୟ ରୂପା ଗାଙ୍ଗୁଲି ଆଜି ଏ ସମ୍ପର୍କିତ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଜୟଶଙ୍କର କହିଥିଲେ, ଭାରତରୁ ଦୁଇଟି ଏୟାର ଇଣ୍ଡିଆ ବିମାନ ପଠାଯିବା ଆଗରୁ ଭାରତ ‘ସବୁ ପଡ଼ୋଶୀଙ୍କୁ ଫେରାଇ ଆଣିବାକୁ’ ଅଫର ଦେଇଥିଲା।

ସେ କହିଥିଲେ, “୨ଟି ବିମାନ ପଠାଯିବା ସମୟରେ ଆମେ ସମସ୍ତ ଛାତ୍ରଙ୍କୁ ଏବଂ ଲୋକଙ୍କୁ କହିଥିଲୁ ଆମେ କେବଳ ଆମ ଲୋକଙ୍କୁ ନୁହେଁ ସମସ୍ତ ପଡ଼ୋଶୀଙ୍କୁ ଉଦ୍ଧାର କରିବାକୁ ପ୍ରସ୍ତୁତ ଅଛୁ। ଯେଉଁ ପଡ଼ୋଶୀ ଆସିବାକୁ ଚାହିଁବେ ଆସିପାରିବେ।”

ଜୟଶଙ୍କର କହିଥିଲେ, ଆମର ଘୋଷଣା ପରେ କେବଳ ମାଲଡିଭ୍‌ସର ୭ ଜଣ ନାଗରିକ ଆସିବାକୁ ରାଜି ହୋଇଥିଲେ। କିନ୍ତୁ ଏ ଅଫର ସମସ୍ତଙ୍କ ପାଇଁ ଥିଲା। ସୂଚନାଯୋଗ୍ୟ ଯେ, ଭାରତ ୬୩୮ ଜଣ ଭାରତୀୟ ଏବଂ ୭ ଜଣ ମାଲଡିଭ୍‌ସ ନାଗରିକଙ୍କୁ ଫେରାଇ ଆଣିଛି।

ତେବେ ବର୍ତ୍ତମାନ ମଧ୍ୟ ୮୦ ଜଣ ଭାରତୀୟ ଛାତ୍ର ଉହାନ୍‌ରେ ଅଟକି ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର କରୋନା ଭାଇରସ୍‌ ଲକ୍ଷଣ ଦେଖାଯିବାରୁ ସେମାନଙ୍କୁ ଉଦ୍ଧାର ବିମାନ ଚଢ଼ିବାରୁ ବାରଣ କରାଯାଇଥିଲା। ଅନ୍ୟ ୭୦ ଜଣ ନ ଆସିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଭାରତୀୟ ଦୂତାବାସ ସେମାନଙ୍କୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଛି। ସେମାନଙ୍କର ଦେଖାଶୁଣା ମଧ୍ୟ କରାଯାଉଛି।

୨ ଜଣ ଭାରତୀୟ ଦୂତାବାସ ଅଧିକାରୀ ଜୀବନକୁ ପାଣି ଛଡ଼ାଇ ବେଜିଂରୁ ଉହାନ୍‌ ଯାଇ ଉଦ୍ଧାର କାର୍ଯ୍ୟ କରାଇପାରିଥିବାରୁ ସେମାନଙ୍କୁ ଜୟଶଙ୍କର ପ୍ରଶଂସା କରିଥିଲେ।

Related story