ନୂଆଦିଲ୍ଲୀ: ଦିନକୁ ଦିନ ସୀମାରେ ଚାଇନାର ହରକତ ବଢ଼ିବାରେ ଲାଗିଛି। ସୀମା ବିବାଦରେ ପୂର୍ଣ୍ଣଚ୍ଛେଦ ଟାଣିବା ପାଇଁ ଦୁଇ ଦେଶ ମଧ୍ୟରେ ଘନଘନ ବୈଠକ ମଧ୍ୟ ବସୁଛି। ତେବେ ଏହି ସବୁ ଭିତରେ ଚିଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାୱତ ଚାଇନାକୁ ସାମାରିକ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି।
ସେ କହିଛନ୍ତି, ଚାଇନାର ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟର ଜବାବ ଦେବା ପାଇଁ ଭାରତ ପାଖରେ ସାମରିକ କାର୍ଯ୍ୟାନୁଷ୍ଠାନ ବିକଳ୍ପ ରହିଛି। ଲଦାଖ ସୀମାରେ ଚାଇନା ବାରମ୍ବାର ଉତ୍ତେଜନା ସୃଷ୍ଟି କରିବାକୁ ପ୍ରୟାସ କରିଛୁ। ତେଣୁ ଏହାର ଜବାବ ଦେବାକୁ ସାମରିକ କାର୍ଯ୍ୟାନୁଷ୍ଠାନର ବିକଳ୍ପ ଖୋଲା ରହିଛି। ତଥାପି ବିବାଦର ସମାଧାନ ପାଇଁ ଆଲୋଚନା ଚାଲିଛି।
ଯଦି ଆଲୋଚନା ଫେଲ ମାରିବ, ତା’ହେଲେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ପଛାଇବୁ ନାହିଁ ବୋଲି ସେ କହିଛନ୍ତି। ତେବେ ଚାଇନାକୁ ଜବାବ ଦେବା ପାଇଁ କି ପ୍ରକାରର କାର୍ଯ୍ୟାନୁଷ୍ଠାନର ବିକଳ୍ପ ସବୁ ରହିଛି, ତା’ର ଜବାବ ସିଡିଏସ ବିପିନ ରାୱତ ଦେଇନାହାନ୍ତି।