ନୂଆଦିଲ୍ଲୀ: ମହିଳାମାନଙ୍କ ପାଇଁ ବିପଦପୂର୍ଣ୍ଣ ସ୍ଥାନକୁ ନେଇ ହୋଇଥିବା ଏକ ସର୍ଭେରେ ଯେଉଁ ପ୍ରକାର ତଥ୍ୟ ଆସିଛି, ତାହା ସବୁ ଭାରତୀୟଙ୍କୁ ଆଶ୍ଚର୍ଯ୍ୟ କରିଦେବ। କାରଣ ଏହି ତାଲିକାରେ ଏକ ନମ୍ବରରେ ରହିଛି ଭାରତ। ଏଠାରେ ମହିଳାମାନେ ସୁରକ୍ଷିତ ନୁହଁନ୍ତି। ପ୍ରତି ମୁର୍ହୂତ୍ତରେ ଏଠାରେ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ସର୍ଭେ ରିପୋର୍ଟରେ କୁହାଯାଇଛି।
ଯୌନ ଶୋଷଣ ଓ ଜୋରଜବରଦସ୍ତ କାମ କରାଇବା କ୍ଷେତ୍ରରେ ଭାରତକୁ ତାଲିକାର ଏକ ନମ୍ବରରେ ରଖାଯାଇଛି। ରିପୋର୍ଟରେ ଆଫଗାନିସ୍ତାନ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ସିରିଆ ତୃତୀୟ ସ୍ଥାନରେ ରହିଛି। ଥମ୍ପସନ୍ ଫାଉଣ୍ଡେସନ ପକ୍ଷରୁ ଏହି ସର୍ଭେ କରାଯାଇଛି।
ସର୍ଭେରେ ୫୪୮ ଜଣ ବିଶେଷଜ୍ଞଙ୍କ ମତ ନିଆଯାଇଥିଲା। ସେମାନଙ୍କ ମତରେ, ଭାରତରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ କମାଇବାକୁ ବିଶେଷ ପଦକ୍ଷେପ ନିଆଯାଇନାହିଁ। ଯାହା ଏହି ଦେଶରେ ମହିଳାମାନଙ୍କ ପ୍ରତି ବିପଦ ସୃଷ୍ଟି କରୁଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଲା ୭ ବର୍ଷ ପୂର୍ବେ ଯେତେବେଳେ ଏହି ସର୍ଭେର ରିପୋର୍ଟ ଆସିଥିଲା, ସେଥିରେ ଭାରତ ଚତୁର୍ଥ ସ୍ଥାନରେ ଥିଲା। ମାତ୍ର ୭ ବର୍ଷରେ ଏହା ପ୍ରଥମ ସ୍ଥାନକୁ ଚାଲିଆସିଛି। ସେହିପରି ପୂର୍ବ ତାଲିକାରେ ପାକିସ୍ତାନ ତୃତୀୟ ନମ୍ବରରେ ଥିବା ବେଳେ ବର୍ତ୍ତମାନର ତାଲିକାରେ ଷଷ୍ଠ ସ୍ଥାନକୁ ଆସିଯାଇଛି। ଅର୍ଥାତ, ପାକିସ୍ତାନ ମହିଳାଙ୍କ ସୁରକ୍ଷାକୁ ନେଇ ଏହି ୭ ବର୍ଷ ମଧ୍ୟରେ ବହୁତ କିଛି ପଦକ୍ଷେପ ନେଇଛି ଓ ଏହାକୁ କାର୍ଯ୍ୟକାରୀ କରିବାରେ କିଛି ମାତ୍ରାରେ ସଫଳ ହୋଇଛି।
କେଉଁ ଦେଶ କେତେ ନମ୍ବରରେ ଅଛନ୍ତି ?
୧. ଭାରତ
୨. ଆଫଗାନିସ୍ତାନ
୩. ସିରିଆ
୪. ସୋମାଲିଆ
୫. ସାଉଦୀ ଆରବ
୬. ପାକିସ୍ତାନ
୭. ଡେନମାର୍କ (ରିପବ୍ଲିକ ଅଫ୍ କଙ୍ଗୋ)
୮. ୟେମେନ
୯. ନାଇଜେରିଆ
୧୦. ଆମେରିକା