ନୂଆଦିଲ୍ଲୀ: ସାର୍କ କୋଭିଡ୍ -୧୯ ଫଣ୍ଡରରୁ ଟଙ୍କା ନେଇ ଭାରତ ସରକାର ଆଜି ପଡ଼ୋଶୀ ଆଫଗାନିସ୍ତାନକୁ ୫ ଲକ୍ଷ ହାଇଡ୍ରୋକ୍ସି କ୍ଲୋରୋକୁଇନ ଟ୍ୟାବଲେଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଭାରତ ସମେତ ଏହି ସାର୍କ ଫଣ୍ଡରେ ଅନ୍ୟ ପଡ଼ୋଶୀ ଦେଶମାନଙ୍କର ଅର୍ଥ ରହିଥିଲା। ଏହାକୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ ହେବ ବୋଲି ସମସ୍ତେ ସହମତି ହୋଇଥିଲେ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆଫଗାନିସ୍ତାନକୁ ଟ୍ୟାବଲେଟ ଦେବାକୁ ନିଷ୍ପତ୍ତି ହୋଇଛି। ହେଲେ ପାକିସ୍ତାନ ସହ ସୁସମ୍ପର୍କ ନଥିବାରୁ ଲଜିଷ୍ଟିକ ଉପରେ ବିଚାରବିମର୍ଶ କରାଯାଉଛି। ତଥାପି ଆଫଗାନିସ୍ତାନର ଲୋକଙ୍କ ପାଖରେ ଶୀଘ୍ର ଔଷଧ ପହଞ୍ଚାଇବା ପାଇଁ ଆମେ ସବୁ ପ୍ରକାରର ବିକଳ୍ପ ଖୋଜିବା ଆରମ୍ଭ କରିଛୁ। ଦରକାର ପଡ଼ିଲେ ଆମେ ତୃତୀୟ ପକ୍ଷର ସହଯୋଗ ନେବାକୁ ମଧ୍ୟ ପଛାଇବୁ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଆଉ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଭାରତ ସରକାର ସାର୍କ ଦେଶ ଯଥା ମାଳଦ୍ୱୀପ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ ଓ ଭୁଟାନ ଭଳି ଦେଶକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ ଦେଇ ସାରିଛନ୍ତି। ପାକିସ୍ତାନକୁ ଏଯାଏ କ୍ଲୋରୋକୁଇନ ଦେବାକୁ କୌଣସି ବ୍ୟବସ୍ଥା ହୋଇନାହିଁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।