ଜାତିସଂଘରେ କଶ୍ମୀର ପ୍ରସଙ୍ଗ: ପାକିସ୍ତାନ ପାଇଁ ଚାଇନାର ଓକିଲାତି, ଭାରତ ଦେଲା ଜବାବ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ପାଇଁ ପୂର୍ବରୁ ବହୁବାର ଜାତିସଂଘରେ ଢାଲ ସାଜିଥିବା ଚାଇନା ଆଜି ପୁଣି ଥରେ ତା’ ସହିତ ଛିଡ଼ା ହୋଇଛି। ଆଜି ଜାତିସଂଘ ସୁରକ୍ଷା ପରିଷଦର ଅନୌପଚାରିକ ରୁଦ୍ଧଦ୍ୱାର ବୈଠକ ପରେ କଶ୍ମୀରରେ ବର୍ତ୍ତମାନର ସ୍ଥିତିକୁ ନେଇ ଚାଇନା ଚିନ୍ତା ପ୍ରକଟ କରିଛି। ଚାଇନା ପକ୍ଷରୁ କୁହାଯାଇଛି ବର୍ତ୍ତମାନ କଶ୍ମୀରରେ ସ୍ଥିତି ‘ଗୁରୁତର ଏବଂ ବିପଜ୍ଜନକ’ ରହିଛି। ଜାତିସଂଘରେ ଚାଇନାର କୂଟନୀତିଜ୍ଞ କହିଥିଲେ, ଭାରତ ସରକାର କଶ୍ମୀରରେ ନେଉଥିବା ‘ଏକ ପାଖିଆ’ […]

unsc

Subrat Kumar Nayak
  • Published: Friday, 16 August 2019
  • , Updated: 16 August 2019, 10:48 PM IST

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଭୂସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ପାଇଁ ପୂର୍ବରୁ ବହୁବାର ଜାତିସଂଘରେ ଢାଲ ସାଜିଥିବା ଚାଇନା ଆଜି ପୁଣି ଥରେ ତା' ସହିତ ଛିଡ଼ା ହୋଇଛି। ଆଜି ଜାତିସଂଘ ସୁରକ୍ଷା ପରିଷଦର ଅନୌପଚାରିକ ରୁଦ୍ଧଦ୍ୱାର ବୈଠକ ପରେ କଶ୍ମୀରରେ ବର୍ତ୍ତମାନର ସ୍ଥିତିକୁ ନେଇ ଚାଇନା ଚିନ୍ତା ପ୍ରକଟ କରିଛି। ଚାଇନା ପକ୍ଷରୁ କୁହାଯାଇଛି ବର୍ତ୍ତମାନ କଶ୍ମୀରରେ ସ୍ଥିତି ‘ଗୁରୁତର ଏବଂ ବିପଜ୍ଜନକ’ ରହିଛି। ଜାତିସଂଘରେ ଚାଇନାର କୂଟନୀତିଜ୍ଞ କହିଥିଲେ, ଭାରତ ସରକାର କଶ୍ମୀରରେ ନେଉଥିବା ‘ଏକ ପାଖିଆ’ ପଧକ୍ଷେପ ‘ଅବୈଧ’। ଅନ୍ୟପକ୍ଷରେ ଏହି ରୁଦ୍ଧଦ୍ୱାର ବୈଠକ ପରେ ଚାଇନାର ଏଭଳି ମନ୍ତବ୍ୟର ଦୃଢ଼ ଜବାବ ଦେଇଛି ଭାରତ।

ଭାରତ ପକ୍ଷରୁ କୁହାଯାଇଛି, ଧାରା ୩୭୦ ଉଚ୍ଛେଦକୁ ନେଇ ଦେଶର ମତ ଅପରିବର୍ତ୍ତିତ ରହିଆସିଛି। ଏହା ସମ୍ପୂର୍ଣ୍ଣ ଭାବେ ଭାରତର ଆଭ୍ୟନ୍ତରୀଣ ମାମଲା। ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ୍‌ ଆକବରୁଦ୍ଦିନ୍‌ କହିଛନ୍ତି, “ସରକାର କଶ୍ମୀରରୁ ଧୀରେ ଧୀରେ କଟକଣା ହଟାଉଛନ୍ତି ଏବଂ ସରକାର ସେଠାରେ ସ୍ଥିତି ସ୍ୱାଭାବିକ କରାଇବାକୁ ପ୍ରତିଶ୍ରୁତିବଦ୍ଧ। ଜମ୍ମୁ-କଶ୍ମୀରରେ କରାଯାଇଥିବା ପରିବର୍ତ୍ତନ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଏବଂ ଏହା ଆଉ କାହାକୁ ପ୍ରଭାବିତ କରୁନାହିଁ।” ବୈଠକ ପୂର୍ବରୁ ରୁଷ ପ୍ରତିନିଧି କହିଥିଲେ, "ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଆମର କୌଣସି ଗୁପ୍ତ ଏଜେଣ୍ଡା ନାହିଁ।"

ଭାରତର ସରକାର ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ଅଧିକାର ଉଚ୍ଛେଦ କରିବା ପରେ ପାକିସ୍ତାନ ବାରମ୍ବାର ବିଭିନ୍ନ ଦେଶ ନିକଟରେ ଏବଂ ଜାତିସଂଘ ନିକଟରେ ଗୁହାରି କରିଆସୁଛି। ଏହାକୁ ନେଇ ଆଜି ଜାତିସଂଘର ସୁରକ୍ଷା ପରିଷଦ ଏକ ରୁଦ୍ଧଦ୍ୱାର ବୈଠକ ଆୟୋଜନ କରିଥିଲା। ଏହି ବୈଠକ ପରେ ଚାଇନାର ରାଷ୍ଟ୍ରଦୂତ ଆଜି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସମ୍ବିଧାନରେ ପରିବର୍ତ୍ତନ ଆଣି ଭାରତ ‘ସୀମାରେ ଶାନ୍ତି ରକ୍ଷା ନେଇ ଦ୍ୱିପାକ୍ଷିକ ଚୁକ୍ତି ଉଲ୍ଲଂଘନ କରିଛି’। କଶ୍ମୀରରେ ସ୍ଥିତି ଚିନ୍ତାଜନକ ଏବଂ ବିପଜ୍ଜନକ ରହିଛି ବୋଲି ସେ କହିଛନ୍ତି। କଶ୍ମୀର ପ୍ରସଙ୍ଗରେ କୌଣସି ‘ଏକ ପାଖିଆ’ ନିଷ୍ପତ୍ତି ନେଇ ଅଶାନ୍ତି ସୃଷ୍ଟି କରିବାରୁ ବିରତ ରହିବାକୁ କହିବା ସହିତ ସେ କହିଛନ୍ତି, ଏହି ପଦକ୍ଷେପ ବୈଧ ନୁହେଁ। ସେ କହିଛନ୍ତି ଏହି ସମସ୍ୟାର ସମାଧାନ ଜାତିସଂଘର ଚାର୍ଟର ଅନୁଯାୟୀ କରାଯାଉ।

ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମଲୀହା ଲୋଧି ଜାତିସଂଘ ସୁରକ୍ଷା ପରିଷଦରେ ଏହି ବୈଠକକୁ ସ୍ୱାଗତ କରିବା ସହ ଏଥିପାଇଁ ଚାଇନାକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, “କଶ୍ମୀରବାସୀ ଏକା ନୁହେଁ, ସେମାନଙ୍କ କଥା ଆଜି ଶୁଣାଗଲା। ଏହା ଏକ ଅନ୍ତର୍ଜାତୀୟ ସମସ୍ୟା। ଆମେ ଜାତିସଂଘ ସୁରକ୍ଷା ପରିଷଦର ୧୫ ସଦସ୍ୟଙ୍କ ପ୍ରତି କୃତଜ୍ଞ। ଆମେ ଜମ୍ମୁ-କଶ୍ମୀରର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁ। ଏହା ପ୍ରମାଣିତ କରିଛି କଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା ନୁହେଁ। ଏହା ପ୍ରଥମ ଏବଂ ଶେଷ ପଦକ୍ଷେପ ନୁହେଁ।”

ସୂଚନାଯୋଗ୍ୟ ଯେ, ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପରେ କୌଣସି ବିଧିବଦ୍ଧ ଘୋଷଣା ହେବନି, କାରଣ ଏହା ଔପଚାରିକ ବୈଠକ ନୁହେଁ। ଭାରତ ଏବଂ ପାକିସ୍ତାନ ଏଥିରେ ଯୋଗ ଦେଇନଥିଲେ। ଏଥିରେ କେବଳ ୫ଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଏବଂ ୧୦ଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଥିଲେ।

Related story