ନୂଆଦିଲ୍ଲୀ: ଓଏନଜିସି ପବନ ହଂସ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ସତ୍ୟମ୍ବଦ ପାତ୍ରଙ୍କ ମୃତଦେହ ଭୁବନେଶ୍ୱର ଅଣାଯିବ। ସତ୍ୟମ୍ବଦଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ପରିବାର ସଦସ୍ୟ ମୁମ୍ବାଇ ଯାଇଛନ୍ତି । ସତ୍ୟମ୍ବଦଙ୍କ ପୈତୃକ ଘର ଢେଙ୍କାନାଳ ଭୁବନ ଅଞ୍ଚଳରେ। ସେ ମାଲକାନଗିରିରେ ରହି ପାଠ ପଢୁଥିଲେ। ସତ୍ୟମ୍ବଦ ମୁମ୍ବାଇରେ ଓଏନଜିସିର ଜିଓଲୋଜିଷ୍ଟ ବା ଭୂତତ୍ୱବିତ୍ ଭାବେ କାର୍ଯ୍ୟରତ ଥିଲେ।
ଗତକାଲି ଆରବ ସାଗର ନିକଟ ମୁମ୍ବାଇ ତଟରେ ହେଲିକପ୍ଟର ଦୁର୍ଘଟଣା ଘଟିଥିଲା । ସେଥିରେ ଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କ ଜୀବନ ଯାଇଥିଲା । ମୃତକ ୪ ଜଣଙ୍କ ମଧ୍ୟରେ ଅଛନ୍ତି ସତ୍ୟମ୍ବଦ। ଗତବର୍ଷ ବିବାହ କରିଥିଲେ ସତ୍ୟମ୍ବଦ । ସତ୍ୟମ୍ବଦଙ୍କ ମୃତ୍ୟୁ ଖବର ଶୁଣି ଭାଙ୍ଗି ପଡିଛନ୍ତି ପରିବାର ଲୋକ ।
ଗତକାଲି ହେଲିକପ୍ଟରଟି ମୁମ୍ବାଇ ତଟ ଆରବସାଗରରେ ଜରୁରୀ ଅବତରଣ କରିଥିଲା। ଘଟଣା ପରେ ଓଏସବି ମାଳବୀୟ ୧୬କୁ ଏନଆରସିସି ମୁମ୍ୱାଇକୁ ଉଦ୍ଧାର ଅଭିଯାନରେ ସାମିଲ କରାଯାଇଥିଲା। ମୁମ୍ୱାଇ ଠାରୁ ୫୦ ନଟିକଲ ମାଇଲ ଦୂରରେ ଥିବା ଏକ ରିଗରେ ଅବତରଣ ପାଇଁ ପ୍ରସାୟ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଲ୍ୟାଣ୍ଡିଂ ଜୋନଠାରୁ ୧.୫ କିଲୋମିଟର ଦୂରରେ ଥିବା ସମୟରେ ହେଲିକପ୍ଟରଟି ସମୁଦ୍ରରେ ପଡିଯାଇଥିବା କମ୍ପାନିର ଅଧିକାରୀ ସୂଚନା ଦେଇଛନ୍ତି ।