ମୁଜାଫରପୁର: ବିହାରର ମୁଜାଫରପୁରେ ଥିବା ନୁଡଲ୍ସ ତିଆରି ଫ୍ୟାକ୍ଟ୍ରୀରେ ଗୋଟିଏ ବଏଲର୍ ବିସ୍ଫୋରଣ ହୋଇଛି। ଏଥିରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ନୁଡଲ୍ସ ଫ୍ୟାକ୍ଟ୍ରୀରେ କାମ ଚାଲିଥିଲା। ତେବେ ଦିନ ପ୍ରାୟ ୧୦ଟା ବେଳେ ହଠାତ୍ ଫ୍ୟାକ୍ଟ୍ରୀର ଗୋଟିଏ ବଏଲରରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ଏହା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ଗୋଟିଏ କିମି ଯାଏ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା।
ଏହା ଶୁଣି ଲୋକମାନେ ଫ୍ୟାକ୍ଟ୍ରୀ ଅଭିମୁଖେ ଦୌଡ଼ି ଥିଲେ। ସେହିପରି ପୁଲିସ୍ ଓ ଉଦ୍ଧାରକାରୀ ଦଳକୁ ମଧ୍ୟ ଖବର ଦିଆଯାଇଥିଲା। ଉଦ୍ଧାରକାରୀ ଟିମ ୫ଟି ଦମକଳ ବାହିନୀ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଏହାପରେ ସେମାନେ ବିସ୍ଫୋରଣ ଯୋଗୁ ଫ୍ୟାକ୍ଟ୍ରୀରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲେ।
ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁ ଆୟତ୍ତ ହୋଇଥିଲା। ଫ୍ୟାକ୍ଟ୍ରୀ ମଧ୍ୟରୁ ୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ୧୨ରୁ ଅଧିକ ଲୋକଙ୍କୁ ହସ୍ପିଟାଲ ନିଆ ଯାଇଛି। ତେବେ ବିସ୍ଫୋରଣ ବେଳେ ଫ୍ୟାକ୍ଟ୍ରୀରେ କେତେ ଶ୍ରମିକ ଥିଲେ, ସେକଥା ଜଣାପଡ଼ିନି।
ବିସ୍ଫୋରଣ ପରେ ଫ୍ୟାକ୍ଟ୍ରୀର ଏକାଧିକ କାନ୍ଥ ଭୁଶୁଡ଼ି ପଡ଼ିଥିବା ଫଟୋ ସାମ୍ନାକୁ ଆସିଛି। ସେହିପରି ଏହାକୁ ଲାଗି ରହିଥିବା ଅନେକ ଘରର କାନ୍ଥ ଓ କାଚ ମଧ୍ୟ ବିସ୍ଫୋରଣ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଲୋକମାନେ ବିସ୍ଫୋରଣ ପରେ ଏତେ ଡରି ଯାଇଥିଲେ ଯେ ଦୀର୍ଘ ସମୟ ଧରି ସେମାନେ ଘର ଭିତରକୁ ମଧ୍ୟ ଯାଇ ନଥିଲେ।
ଘଟଣା ସ୍ଥଳରେ ଜିଲ୍ଲା ମାଜିଷ୍ଟ୍ରେଟ ଓ ଏସ୍ପି ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି। କିନ୍ତୁ ବଏଲର କେମିତି ବିସ୍ଫୋରଣ ହେବା ସେକଥା ଜଣାପଡ଼ିନି।