ବର୍ଷା ବିତ୍ପାତ୍ତ ଯୋଗୁ ଗଲାଣି ୮ ଜୀବନ, ୨୩ ଜିଲ୍ଲାରେ ସ୍କୁଲ ବନ୍ଦ

ନୂଆଦିଲ୍ଲୀ: ତାମିଲନାଡୁରେ ଜାରି ରହିଥିବା ଲଗାଣ ବର୍ଷା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏଯାଏ ବର୍ଷା ଜନିତ ଅଘଟଣରେ ୮ ଜଣ ଲୋକ ପ୍ରାଣ ହରାଇଥିବା ତାମିଲନାଡୁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ବି ବିଭିନ୍ନ ସ୍ଥାନରେ ଅନେକ ଲୋକ ନିଖୋଜ ରହିଛନ୍ତି। ସେହିପରି ବର୍ଷା ଯୋଗୁ ୨୩ଟି ଜିଲ୍ଲାରେ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିବା ଚିଙ୍ଗେଲପେଟରେ ୨ଟି ଏନଡିଆରଏଫ ଟିମ ଓ କାଞ୍ଚିପୁରମରେ ଗୋଟିଏ […]

Rain

Hemant Lenka
  • Published: Saturday, 27 November 2021
  • , Updated: 27 November 2021, 06:30 PM IST

ନୂଆଦିଲ୍ଲୀ: ତାମିଲନାଡୁରେ ଜାରି ରହିଥିବା ଲଗାଣ ବର୍ଷା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏଯାଏ ବର୍ଷା ଜନିତ ଅଘଟଣରେ ୮ ଜଣ ଲୋକ ପ୍ରାଣ ହରାଇଥିବା ତାମିଲନାଡୁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ବି ବିଭିନ୍ନ ସ୍ଥାନରେ ଅନେକ ଲୋକ ନିଖୋଜ ରହିଛନ୍ତି। ସେହିପରି ବର୍ଷା ଯୋଗୁ ୨୩ଟି ଜିଲ୍ଲାରେ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି।

ବର୍ଷା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଥିବା ଚିଙ୍ଗେଲପେଟରେ ୨ଟି ଏନଡିଆରଏଫ ଟିମ ଓ କାଞ୍ଚିପୁରମରେ ଗୋଟିଏ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଶନିବାର ଅର୍ଥାତ ଆଜି ମଧ୍ୟ ତାମିଲନାଡୁର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି।

ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ରାଜଧାନୀ ଚେନ୍ନାଇ ମଧ୍ୟ ବର୍ଷା ଜନିତ ବିପର୍ଯ୍ୟୟରୁ ରକ୍ଷା ପାଇନି। ଏଠାରେ ଥିବା ମୁଖ୍ୟ ରାସ୍ତାଗୁଡ଼ିକରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେବା ସହ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ବିଭିନ୍ନ ସ୍ଥାନରେ ଗାଡ଼ି ମୋଟର ଭାସି ଯାଉଥିବା ବେଳର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି।

ଚେନ୍ନାଇର ୨୨୦ଟି ସ୍ଥାନରେ ପାଣି ଜମି ରହିଥିବା ଖବର ମିଳିଛି। ପ୍ରଶାସନ ଏଯାଏ କେବଳ ୩୪ଟି ସ୍ଥାନରୁ ଜଳ ନିଷ୍କାସନ କରିବାରେ ସକ୍ଷମ ହୋଇଛି। ୧୨୭ଟି ସ୍ଥାନରେ ପମ୍ପ ଯୋଗେ ପାଣିକୁ ବାହାର କରିବା ପାଇଁ ପ୍ରଶାସନ ଉଦ୍ୟମ କରୁଛି। ପାଣି ଜମି ରହିଥିବାରୁ ଚେନ୍ନାଇର ଅଧିକାଂଶ ସ୍ଥାନ ଅନ୍ଧାରରେ ରହିଛି।

ବାଜୁଲ୍ଲା ରୋଡ, ଉସମାନ ରୋଡ, ଗିରିଆପ୍ପା ରୋଡ, ପେରୁବାକ୍କାମର କିଛି ଅଂଶ, ଅଜିଜ ନଗର ଓ କେକେ ନଗରରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ଏଠାରେ ବିଜୁଳି ଯୋଗାଣ କରିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି।


ଅନ୍ୟପକ୍ଷରେ ଆସନ୍ତା ୨୯ ତାରିଖରୁ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ପୁଣି ଗୋଟିଏ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହା ଅଧିକ ଘନୀଭୂତ ହୋଇ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଏହାର ପ୍ରଭାବରେ ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ସମେତ ଓଡ଼ିଶାର କିଛି ସ୍ଥାନରେ ପ୍ରବଳୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Related story