ହାଇଦ୍ରାବାଦ: ଏକ ତିନି ବର୍ଷର ଶିଶୁକୁ ତା’ ବାପା ଦୌଡ଼ିରେ ପିଟୁଥିବା ତଥା ତଣ୍ଟିକୁ ଧରି ତଳେ କଚାଡ଼ି ଦେଉଥିବାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍ ତା’ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
ଏହି ଘଟଣାଟି ଘଟିଛି ତେଲେଙ୍ଗାନାର ମେଡକ ଜିଲ୍ଲାରେ। ଅଭିଯୁକ୍ତଙ୍କ ନାଁ ଏମ୍ ନାଗାରାଜୁ (୩୨)। ସେ ଜଣେ ପୌର କର୍ମଚାରୀ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ ସେ ତାଙ୍କର ୩ ବର୍ଷର ଝିଅକୁ ଏକ ଦୌଡ଼ିରେ ପିଟୁଛନ୍ତି। ତା’ସହିତ ତଣ୍ଟିକୁ ଧରି ତାକୁ ତଳେ କଚାଡ଼ି ଦେଉଛନ୍ତି। ଏହି ସମୟରେ ଝିଅଟିର ମା’ ମଧ୍ୟ ଉପସ୍ଥିତ ଅଛନ୍ତି। ତେବେ ସେ କିଛି ନ କହି ସେହି ଦୃଶ୍ୟ ଦେଖି ହସୁଛନ୍ତି। ଝିଅ ଖାଇବାକୁ ମନା କରି ଦେବାକୁ ନାଗାରାଜୁ ରାଗି ଯାଇ ଏଭଳି ଦଣ୍ଡ ଦେଇଥିବା ଜଣାପଡ଼ିଛି।
ରବିବାର ରାତିରେ ନାଗାରାଜୁ ତାଙ୍କ ଝିଅକୁ ଏମିତି ମାଡ଼ ମାରୁଥିବା ବେଳେ ଜଣେ ପଡ଼ୋଶୀ ତାଙ୍କ ମୋବାଇଲ୍ରେ ପୂରା ଘଟଣାର ଚିତ୍ର ଉତ୍ତୋଳନ କରିଥିଲେ।
ପୁଲିସ୍ ନାଗାରାଜୁଙ୍କ ବିରୋଧରେ ଦୁଇଟି ଦଫା (ଆଇପିସିର ଧାରା ୩୨୪ ଓ ଜୁଭେନାଇଲ ଜଷ୍ଟିସ୍ ଆକ୍ଟର ଧାରା ୭୫) ଲଗାଇ ମାମଲାର ତଦନ୍ତ କରୁଛି।