ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ପର୍ଣ୍ଣ ରାକେଟର ପର୍ଦ୍ଦାଫାସ କରିଛି ପୁଲିସ୍। ଏହି ଘଟଣାରେ ପୁଲିସ୍ ୮ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜଣେ ଅଭିନେତ୍ରୀ ମଧ୍ୟ ରହିଛନ୍ତି। ଏହାବାଦ ଜଣେ ପ୍ରଫେସନାଲ ଫଟୋଗ୍ରାଫର ଓ ବିଦେଶୀ ପ୍ରଡକ୍ସନ କମ୍ପାନୀର କର୍ମଚାରୀଙ୍କୁ ବି ପୁଲିସ୍ ଗିରଫ କରିଛି।
ପୁଲିସ୍ କହିଛି ଯେ ଲକଡାଉନ ବେଳେ ପର୍ଣ୍ଣ ଫିଲ୍ମର ଚାହିଦା ବଢ଼ିଥିଲା। ଏହାର ଫାଇଦା ହାସଲ କରି ଅଭିଯୁକ୍ତମାନେ ମୁମ୍ବାଇ ଭିତରେ ଓ ବାହାରେ ଥିବା ବଙ୍ଗଳାରେ ଏକାଧିକ ଆଡଲ୍ଟ ଫିଲ୍ମ ତିଆରି କରିଥିଲେ। ଅଭିଯୁକ୍ତ ଅଭିନେତ୍ରୀ ଗେହାନା ବୈଶିଷ୍ଟ ଗୋଟିଏ ପ୍ରଡକ୍ସନ ହାଉସ ଖୋଲିଥିଲେ ଓ ଶର୍ଟ ଫିଲ୍ମ ପାଇଁ ପର୍ଣ୍ଣ କ୍ଲିପ ତିଆରି କରିଥିଲେ।
ସୋମବାର ପୁଲିସ୍ ଉମେଶ କାମତ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଓଟିଟି ପ୍ଲାଟଫର୍ମରେ ପର୍ଣ୍ଣ କ୍ଲିପ ଅପଲୋଡ କରିବା ପାଇଁ ଉମେଶ ବିଦେଶୀ ପ୍ରଡକ୍ସନ ହାଉସ ସହ ସମନ୍ୱୟ ରକ୍ଷା କରୁଥିଲେ। ଏଥିପାଇଁ କେତେ ଟଙ୍କା ମିଳିବ, ତା’ର ଡିଲ୍ ମଧ୍ୟ ସେ କରୁଥିଲେ। ଏହି ଗ୍ରୁପ୍ର ସଦସ୍ୟମାନେ ମୁମ୍ବାଇରେ ଶୁଟିଂ କରୁଥିଲେ ହେଁ ପର୍ଣ୍ଣ କ୍ଲିପ୍କୁ ବିଦେଶୀ ପ୍ରଡକ୍ସନ ହାଉସ ଜରିଆରେ ସେଠାକାର ସର୍ଭର ବ୍ୟବହାର କରି ଓଟିଟି ପ୍ଲାଟଫର୍ମରେ ଅପଲୋଡ କରୁଥିଲେ।
ଫଳରେ ଭାରତର ଯେ ଏହି ସବୁ କାର୍ଯ୍ୟ ଚାଲିଛି, ତାହା ଜଣାପଡ଼ୁ ନଥିଲା। ଗ୍ରୁପ୍ ପକ୍ଷରୁ ଅଭିନୟ କରିବାକୁ ନୂଆ କରି ଆସୁଥିବା ଯୁବକ ଯୁବତୀଙ୍କୁ ଟାର୍ଗେଟ କରାଯାଉଥିଲା। ସେମାନଙ୍କୁ ଶର୍ଟ ଫିଲ୍ମରେ କାମ ଦେବାକୁ କହି ପର୍ଣ୍ଣ କ୍ଲିପ ଶୁଟିଂ କରାଯାଉଥିଲା। ଏବେ ପୁଲିସ୍ ବଲିଉଡର କେହି ସଦସ୍ୟ ଏହି ରାକେଟରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେକଥା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।