ହନିଟ୍ରାପରେ ଫସି ଗୁପ୍ତ ତଥ୍ୟ ଲିକ୍‌ କରିଥିଲେ, ବନ୍ଧା ହେଲେ ଆର୍ମି କର୍ମଚାରୀ

ନୂଆଦିଲ୍ଲୀ: ପୁଣିଥରେ ହନିଟ୍ରାପ୍‌ରେ ଭାରତୀୟ ସେନାର ଜଣେ କର୍ମଚାରୀ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ମହିଳା ଏଜେଣ୍ଟଙ୍କ ଜାଲରେ ଫସି ଏହି ଆର୍ମି କର୍ମଚାରୀ ଜଣଙ୍କ ସେନା ସହ ଜଡ଼ିତ ଗୁପ୍ତ ତଥ୍ୟ ଲିକ୍‌ କରିଛନ୍ତି। ଆଜି ଏହି ଘଟଣାରେ ପୁଲିସ୍‌ ଉକ୍ତ ଆର୍ମି କର୍ମଚାରୀ ପ୍ରଦୀପ କୁମାରଙ୍କୁ ଗିରଫ କରିଛି। ରାଜସ୍ଥାନ ପୁଲିସ୍‌ ପକ୍ଷରୁ ଏପରି ଗିରଫଦାରୀ କରାଯାଇଛି। ଭାରତୀୟ ସେନା ସହ ଜଡ଼ିତ ଖବର ହାସଲ କରିବା ପାଇଁ ୨୪ ବର୍ଷୀୟ ପ୍ରଦୀପଙ୍କ […]

Pradeep-Kumar

Hemant Lenka
  • Published: Saturday, 21 May 2022
  • , Updated: 21 May 2022, 06:16 PM IST

ନୂଆଦିଲ୍ଲୀ: ପୁଣିଥରେ ହନିଟ୍ରାପ୍‌ରେ ଭାରତୀୟ ସେନାର ଜଣେ କର୍ମଚାରୀ। ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ମହିଳା ଏଜେଣ୍ଟଙ୍କ ଜାଲରେ ଫସି ଏହି ଆର୍ମି କର୍ମଚାରୀ ଜଣଙ୍କ ସେନା ସହ ଜଡ଼ିତ ଗୁପ୍ତ ତଥ୍ୟ ଲିକ୍‌ କରିଛନ୍ତି। ଆଜି ଏହି ଘଟଣାରେ ପୁଲିସ୍‌ ଉକ୍ତ ଆର୍ମି କର୍ମଚାରୀ ପ୍ରଦୀପ କୁମାରଙ୍କୁ ଗିରଫ କରିଛି। ରାଜସ୍ଥାନ ପୁଲିସ୍‌ ପକ୍ଷରୁ ଏପରି ଗିରଫଦାରୀ କରାଯାଇଛି। ଭାରତୀୟ ସେନା ସହ ଜଡ଼ିତ ଖବର ହାସଲ କରିବା ପାଇଁ ୨୪ ବର୍ଷୀୟ ପ୍ରଦୀପଙ୍କ ସହ ଜଣେ ମହିଳା ବନ୍ଧୁତା କରିଥିଲେ। ତାଙ୍କ କଥାରେ ଫସି ପ୍ରଦୀପ ମଧ୍ୟ ଗୁପ୍ତ ତଥ୍ୟ ଶେୟାର କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଯୋଧପୁରରେ କାର୍ଯ୍ୟରତ ଥିବା ପ୍ରଦୀପ ଫେସବୁକ ଜରିଆରେ ପାକିସ୍ତାନର ଗୁପ୍ତଚର ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ। ମହିଳା ଜଣଙ୍କ ପ୍ରଦୀପଙ୍କୁ ହନିଟ୍ରାପ୍‌ କରିବା ପାଇଁ ନିଜକୁ ଜଣେ ହିନ୍ଦୁ ଯୁବତୀ ଭାବେ ପରିଚୟ ଦେଇଥିଲେ। ସେ ନିଜର ନାଁ ଛଦମ୍‌ କହିବା ସହ ଘର ମଧ୍ୟପ୍ରଦେଶର ଗ୍ୱାଲିୟର୍‌ରେ ବୋଲି ଜଣାଇଥିଲେ। ଏଥିସହ ପାକିସ୍ତାନୀ ମହିଳା ଜଣଙ୍କ ବେଙ୍ଗାଲୁରୁର ଗୋଟିଏ କର୍ପୋରେଟ୍‌ ଫାର୍ମରେ କାମ କରୁଥିବା ମଧ୍ୟ ପ୍ରଦୀପଙ୍କୁ କହି ତାଙ୍କ ବିଶ୍ୱାସ ଜିତିଥିଲେ।

ଉଭୟ ବେଶ କିଛି ମାସ ଧରି ପରସ୍ପର ସହ ଯୋଗାଯୋଗରେ ରହିଥିଲେ। ଶେଷରେ ବାହାଘର ଆଳରେ ପ୍ରଦୀପ ଦିଲ୍ଲୀ ଯାଇ ଭାରତୀୟ ସେନାର କିଛି ଗୁପ୍ତ ଦସ୍ତାବିଜ୍‌ ହାସଲ କରିଥିଲେ। ସେହିପରି ସାମରିକ ବାହିନୀ ସହ ଜଡ଼ିତ କିଛି ଗୁପ୍ତ ଫଟୋ ମଧ୍ୟ ଉଠାଇ ପାକିସ୍ତାନୀ ମହିଳାଙ୍କ ପାଖକୁ ପଠାଇଥିଲେ। ଗୁଇନ୍ଦା ବିଭାଗ ଡିଜି ଉମେଶ ମିଶ୍ରା କହିଛନ୍ତି, ପ୍ରଦୀପ କୁମାର ଓ ମହିଳା ଜଣଙ୍କ ୬ ମାସ ଧରି ହ୍ୱାଟସଆପ୍‌ରେ ପରସ୍ପରର ସମ୍ପର୍କରେ ରହିଥିଲେ।

ଏହାପରେ ହ୍ୱାଟସଆପ୍‌ ଜରିଆରେ ପ୍ରଦୀପ ପାକିସ୍ତାନୀ ମହିଳାଙ୍କୁ ଗୁପ୍ତ ଦସ୍ତାବିଜ୍‌ର ଫଟୋ ପଠାଇଥିଲେ। ଏଥିସହ ଅନ୍ୟ କିଛି ସୈନ୍ୟଙ୍କୁ ମଧ୍ୟ ଏହି ଅପରାଧରେ ସାମିଲ କରିବାକୁ ଉଦ୍ୟମ ହୋଇଥିଲା। ପ୍ରଦୀପ କୁମାରଙ୍କ ଜଣେ ମହିଳା ବନ୍ଧୁ ଏଥିରେ ସାମିଲ ଅଛନ୍ତି। ଗୁଇନ୍ଦାଗିରି ଘଟଣା ସାମ୍ନାକୁ ଆସିବା ପରେ ରାଜସ୍ଥାନ ପୁଲିସ୍‌ ୧୮ ତାରିଖରେ ପ୍ରଦୀପଙ୍କୁ ଉଠାଇ ନେଇ ଜେରା କରିଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ଉମେଶ ମିଶ୍ରା ସୂଚନା ଦେଇଛନ୍ତି।

Related story