ନୂଆଦିଲ୍ଲୀ: ଲଗାତାର କିଛି ଦିନ ହେବ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ନେଇ ଗୋଟେ ପରେ ଗୋଟେ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ପ୍ରଥମେ ଜେଲ ଭିତରେ ମନ୍ତ୍ରୀଙ୍କୁ ମାଲିସ ମିଳିବା ଆଉ ଏବେ ମନ୍ତ୍ରୀଙ୍କୁ ଜେଲ ଭିତରେ ହୋଟେଲ ଖାଦ୍ୟ ଦିଆଯାଉଥିବା ଭିଡିଓ ସାମ୍ନାକୁ ଆସିଛି । ଏହି ସମସ୍ତ ଘଟଣାକୁ ଏକ ବଡ ପ୍ରସଙ୍ଗ କରି ଏବେ ଆମ ଆଦମୀ ପାର୍ଟିକୁ ଟାର୍ଗେଟ କରୁଛି ବିଜେପି। ଏନେଇ ଅରବିନ୍ଦ କେଜ୍ରିୱାଲ ନିଜ ପ୍ରତିକ୍ରିୟା ରଖିଛନ୍ତି। ବିଜେପିକୁ କଟାକ୍ଷ କରି ସେ କହିଛନ୍ତି ଯେ, ବିଜେପି ଦିଲ୍ଲୀରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଇଛି ଯେ, ନିର୍ବାଚନ ଜିତିଲେ ସେମାନେ ପ୍ରତ୍ୟେକ ୱାର୍ଡରେ ଭିଡିଓ ଦୋକାନ ଖୋଲିବେ। ବିଜେପି ବର୍ତ୍ତମାନ ଏକ ଭିଡିଓ ତିଆରି କରୁଥିବା କମ୍ପାନୀରେ ପରିଣତ ହୋଇଛି।
ଏବେ ଦିଲ୍ଲୀର ଲୋକମାନେ ନିଷ୍ପତ୍ତି ନେବେ ଯେ ସେମାନଙ୍କୁ ଭିଡିଓ ତିଆରି କରୁଥିବା କମ୍ପାନୀ ଦରକାର ନା ସରକାର ଭଲ ଭାବରେ ଚଳାଉଥିବା ଏବଂ ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ଉଜ୍ଜଳ କରୁଥିବା ସରକାର ଦରକାର।
ଏହା ପରେ ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଆପଣ ରାସ୍ତାକୁ ବାହାରି ଲୋକଙ୍କୁ ପଚାରନ୍ତୁ, ସେମାନେ କାହାକୁ ଭୋଟ୍ ଦେବେ? ସେମାନେ ବିଜେପି କିମ୍ବା ଆମ୍ ଆଦମୀ ପାର୍ଟି ବୋଲି କହିବେ। ସେହିପରି ଗୁଜରାଟ ନିର୍ବାଚନୀ ମଙ୍ଗ ଧରିଥିବା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଥର ଗୁଜରାଟରେ ଆପ୍ ସରକାର ଆସିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି।
କେଜ୍ରିୱାଲ ପଞ୍ଜାବ ନିର୍ବାଚନ ପୂର୍ବରୁ ଯେଉଁଭଳି ଭବିଷ୍ୟବାଣୀ କରିଥିଲେ ଠିକ୍ ସେହିଭଳି ଗୁଜରାଟର ପ୍ରଥମ ପର୍ୟ୍ୟାୟ ଭୋଟ ପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି। ସେ ଆଜି ଗୁଜରାଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କାଗଜରେ ଲେଖି ଏଥର ଗୁଜରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି ବୋଲି ଦାବି କରିଛନ୍ତି।