କେଜ୍ରିୱାଲଙ୍କ ଦାବି; ଗୁଜରାଟ ନିର୍ବାଚନରୁ ଓହରି ଯିବାକୁ ପ୍ରସ୍ତାବ ପଠାଇଥିଲା ବିଜେପି

ନୂଆଦିଲ୍ଲୀ: ‘ଆମ୍‌ ଆଦ୍‌ମୀ ପାର୍ଟି (ଆପ୍) ଗୁଜରାଟ ବିଧାନସଭା ନିର୍ବାଚନରୁ ଓହରି ଗଲେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ୍‌ରୁ ମୁକ୍ତ କରାଯିବ। ସେହିପରି ତଦନ୍ତ ଜାଲରେ ଛନ୍ଦି ହୋଇପଡ଼ିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ରକ୍ଷା ପାଇଯିବେ।’ ବିଜେପି ତାଙ୍କୁ ଏମିତି ପ୍ରସ୍ତାବ ଦେଇଥିଲା ବୋଲି ଶନିବାର ଦାବି କରିଛନ୍ତି ଆପ୍‌ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ କହିଛନ୍ତି, ବିଜେପି ପ୍ରଥମେ ମନୀଷ ସିସୋଦିଆଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ଆପ୍ […]

Arvind Kejriwal

  • Published: Saturday, 05 November 2022
  • , Updated: 05 November 2022, 02:53 PM IST

ନୂଆଦିଲ୍ଲୀ: ‘ଆମ୍‌ ଆଦ୍‌ମୀ ପାର୍ଟି (ଆପ୍) ଗୁଜରାଟ ବିଧାନସଭା ନିର୍ବାଚନରୁ ଓହରି ଗଲେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ୍‌ରୁ ମୁକ୍ତ କରାଯିବ। ସେହିପରି ତଦନ୍ତ ଜାଲରେ ଛନ୍ଦି ହୋଇପଡ଼ିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ରକ୍ଷା ପାଇଯିବେ।’ ବିଜେପି ତାଙ୍କୁ ଏମିତି ପ୍ରସ୍ତାବ ଦେଇଥିଲା ବୋଲି ଶନିବାର ଦାବି କରିଛନ୍ତି ଆପ୍‌ର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।

ସେ କହିଛନ୍ତି, ବିଜେପି ପ୍ରଥମେ ମନୀଷ ସିସୋଦିଆଙ୍କ ପାଖରେ ପହଞ୍ଚିଥିଲା। ତାଙ୍କୁ ଆପ୍ ଛାଡ଼ି ଦେବାକୁ ପ୍ରସ୍ତାବ ଦେଇଥିଲା। ଆପ୍ ଛାଡ଼ି ବିଜେପିରେ ମିଶିଲେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି କହିଥିଲା। ହେଲେ ମନୀଷ ରାଜି ହେଲେନି। ସେ ଆପ୍ ଛାଡ଼ିବେ ନାହିଁ ବୋଲି କହିଲେ। ତା’ପରେ ବିଜେପି ମୋ ପାଖରେ ପହଞ୍ଚିଥିଲା। ମୋତେ କୁହାଯାଇଥିଲା, ତୁମେ ଗୁଜରାଟ ଛାଡ଼ି ଦିଅ। ସେଠାରେ ନିର୍ବାଚନ ଲଢ଼ ନାହିଁ। ତା’ହେଲେ ଆମେ ଉଭୟ ସତ୍ୟେନ୍ଦ୍ର ଜୈନ ଓ ମନୀଷ ସିସୋଦିଆଙ୍କ ବିରୋଧରେ ଥିବା ସମସ୍ତ ଅଭିଯୋଗକୁ ଉଠାଇ ଦେବୁ।

ବିଜେପିରୁ କିଏ ତାଙ୍କୁ ଏଭଳି ପ୍ରସ୍ତାବ ଦେଇଥିଲେ, ତାହା କେଜ୍ରିୱାଲ କହି ନାହାନ୍ତି। ସେ କହିଛନ୍ତି, ମୁଁ ମୋ ନିଜ ଲୋକଙ୍କ ନାଁ କିପରି ପ୍ରକାଶ କରିଦେବି। ସେମାନଙ୍କ ମାଧ୍ୟମରେ ମୋ ପାଖକୁ ପ୍ରସ୍ତାବ ପଠାଯାଇଥିଲା। ଦେଖନ୍ତୁ, ବିଜେପି ମୋତେ କେବେ ସିଧାସଳଖ ଯୋଗାଯୋଗ କରିବ ନାହିଁ। ସେମାନେ ଅନ୍ୟମାନଙ୍କ ମାଧ୍ୟମରେ ପ୍ରସ୍ତାବ ପଠାଇଥିଲେ।

କେଜ୍ରିୱାଲ କହିଛନ୍ତି, ଗୁଜରାଟ ନିର୍ବାଚନ ସମୟରେ ଦିଲ୍ଲୀ ମହାନଗର ନିଗମର ନିର୍ବାଚନ ହେଉଛି। ଏହା ଦ୍ୱାରା କେଜ୍ରିୱାଲ କୋଣଠେସା ହେବ ନାହିଁ। ବଂର ବିଜେପି ଡରି ଯାଇଛି ବୋଲି ଜଳଜଳ ହୋଇ ଦେଖାଯାଉଛି। ଯଦି ଉଭୟ ସ୍ଥାନରେ ଜିତିବା ନେଇ ସେମାନଙ୍କର ଆତ୍ମବିଶ୍ୱାସ ଥାଆନ୍ତା ସେମାନେ ଏଭଳି କରିନଥା’ନ୍ତେ। ବାସ୍ତବ କଥା ହେଉଛି, ଉଭୟ ଗୁଜରାଟ ବିଧାନସଭା ଓ ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ ବିଜେପି ହାରିଯିବ ବୋଲି ଜାଣିଛି। ତେଣୁ ସେମାନେ ଗୋଟିଏ ସମୟରେ ଦୁଇଟି ଯାକ ନିର୍ବାଚନ କରାଉଛନ୍ତି।

Related story