ବେଙ୍ଗାଲୋରୁ: ସାମ୍ନାକୁ ଆସିଲା ମେଡିକାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା। ଦିନେ ନୁହେଁ କି ଦୁଇ ଦିନ ନୁହଁ। ମୃତ୍ୟୁର ବର୍ଷେ ପରେ ବି ଶବ ବ୍ୟବଚ୍ଛେଦ ହୋଇପାରିଲାନି। ଆଉ ହସପିଟାଲର ଶବାଗାରରେ ଏପାଖ ସେପାଖ ହେଉଛି ମୃତ ଦେହ। କୋଭିଡରେ ମୃତ୍ୟୁବରଣ କରିଥିବା ୨ ଜଣଙ୍କ ବିଷୟରେ ଏମିତି ଏକ ଖବର ପାଇବାପରେ ପରିବାର ଲୋକେ ଚକିତ ହୋଇପଡ଼ିଛନ୍ତି। ବେଙ୍ଗାଲୋରରୁ ଆସିଥିବା ଏମିତି ଏକ ସମ୍ବେଦନଶୀଳ ଖବର ପରିବାର ଲୋକଙ୍କୁ ମର୍ମାହତ କରିଛି। ସୂଚନା ଅନୁଯାୟୀ, ଗତ ବର୍ଷ ଜୁଲାଇ ୨ ତାରିଖରେ ଦୁର୍ଗା ସୁମିତ୍ରା(୪୦) ଏବଂ ମୁନିରାଜୁ (୫୦)ଙ୍କର କରୋନାରେ ମୃତ୍ୟୁ ଘଟିଥିଲା। ବେଙ୍ଗାଲୋରୁରରେ ରାଜାଜି ନଗରରରେ ଅବସ୍ଥିତ ଇଏସଆଇ ହସପିଟାଲରେ ଉଭୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହି ସମୟରେ କରୋନାର ଦ୍ୱିତୀୟ ଲହରୀ ପିକ୍ରେ ଥିବା ବେଳେ ସଂକ୍ରମଣକୁ ଦୃଷ୍ଟିରେ ରଖି କାହାକୁ ଶବ ଦିଆଯାଉ ନଥିଲା। ହସପିଟାଲ କର୍ତ୍ତୃପକ୍ଷ ସଂକ୍ରମଣ କଥା କହି ପରିବାର ଲୋକଙ୍କୁ ଶବ ଦେଇ ନଥିଲେ ଏବଂ ସଂସ୍କାର କରାଯାଇଥିବା କହିଥିଲେ। ହେଲେ ଘଟଣାର ବର୍ଷେ ପରେ ହସପିଟାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟଜନକ ଖବର ଦେଇଥିଲେ। ସମ୍ପୃକ୍ତ ମୃତ ଦେହ ଦୁଇଟି ବ୍ୟବଚ୍ଛେଦ କରାନଯାଇ ଶବାଗାରେ ରଖାଯାଥିବା କହିଥିଲେ। ଏହି ଖବର ପରିବାର ଲୋକଙ୍କୁ ବିଚଳିତ କରିଛି। ହାଉସ କିପିଂ ଷ୍ଠାଫ ମାନେ ଘଟଣା ସମ୍ପର୍କରେ ହସପିଟାଲ କର୍ତ୍ତୃପକ୍ଷରୁ ସୂଚନା ଦେବା ପରେ ସାମ୍ନାକୁ ଆସିଥିଲା ମେଡିକାଲର ଅବହେଳା । ଏନେଇ ହସପିଟାଲ କର୍ତ୍ତୃପକ୍ଷ ଏକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଦୁର୍ଗାଙ୍କ ଭଉଣୀ ସୁଜତା କହିଛନ୍ତି ଯେ. ଗତ ବର୍ଷ ବହୁ ଖୋଜାଖୋଜି ପରେ ସେମାନେ ESI ଡାକ୍ତରଖାନାରେ ଏକ ବେଡ ପାଇଥିଲେ । ହସପିଟାଲରେ ଆଡମିଟ୍ର ୪ ଦିନ ପରେ ତାଙ୍କ ଭଉଣୀ ଦୁର୍ଗାଙ୍କର ମୃତ୍ୟୁ ଘଟିଥିଲା। ଏହା କୋଭିଡ୍ ଜନିତ ହୋଇଥିବାରୁ ମୃତଦେହକୁ ହସ୍ତାନ୍ତର କରାଯାଇ ନଥିଲା । ସୁଜତା କହିଛନ୍ତି ଯେ, ଆମେ ଘରକୁ ଫେରି ଆସିଥିଲୁ। ଉକ୍ତ ହସପିଟାଲର ପରିଚାଳନା ବୁଝାମଣା ପାଇଁ ବେଙ୍ଗାଲୋରୁର ଏକ ସାମାଜିକ ସଂସ୍ଥା ଦାୟିତ୍ୱ ନେଇଥିଲା। ସମ୍ପୃକ୍ତ ସଂସ୍ଥା ମୃତଦେହକୁ ଦାହ କରାଯାଇଥିବା ପରିବାର ଲୋକଙ୍କୁ କଲ କରି ଜଣାଇଥିଲେ । ହେଲେ ଘଟଣାର ୧୫ ମାସ ପରେ ଅର୍ଥାତ ୩ ଦିନ ପୂର୍ବରୁ ଯେଉଁ ଖବର ପାଇଲୁ ତାହା ଜାଣି ଆମେ ତାଜୁବ ହୋଇଗଲୁ ବୋଲି ସେ କହିଛନ୍ତି।
ମୁନିରାଜୁଙ୍କ ପୁଅ ସତୀଶଙ୍କ ସହ ସମାନ ଅନୁଭୂତି ବଖାଣିଥିଲେ। ଯେତେବେଳେ ଆମେ ହସ୍ପିଟାଲରୁ ଏକ କଲ ପାଇଥିଲୁ, ସେ କହିଥିଲେ ଯେ ମୁନିରାଜୁ ଆଉ ନାହାଁନ୍ତି। ଆମେ ତାଙ୍କ ଶବ ମାଗିଥିଲୁ। କିନ୍ତୁ କର୍ତ୍ତୃପକ୍ଷ ଦେବାକୁ ମନା କରିଦେଇଥିଲେ। ଏହିପରିପ୍ରେକ୍ଷୀରେ ରାଜାଜୀନଗର ବିଜେପି ବିଧାୟକ ସୁରେଶ କୁମାର କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ଏ ଶିବରାମଙ୍କୁ ଚିଠି ଲେଖି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି। ଘଟଣା ପଛରେ ଯିଏ ଦାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।