ବଢ଼ିଲା ବିଏସଏଫ୍‌ର କ୍ଷମତା

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ ବା ବିଏସ୍ଏଫର କ୍ଷମତା ବୃଦ୍ଧି କରାଯାଇଛି।  ଅନ୍ତର୍ଜାତୀୟ ସୀମାରେଖାଠାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ଯାଏ ବିଏସ୍ଏଫ୍ କ୍ଷମତା ବୃଦ୍ଧି ହୋଇଛି । ଏହି କ୍ଷମତା ବୃଦ୍ଧି ଯୋଗୁଁ ଏଣିକି ବିଏସ୍ଏଫ୍ ଅନ୍ତର୍ଜାତୀୟ ସୀମାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ମଧ୍ୟରେ ଗିରଫ, ତଲାସୀ ଓ ଜବତ କରିପାରିବ । ଏହା ପାକିସ୍ତାନ ଓ ବାଂଲାଦେଶ ସୀମାକୁ ଲାଗିଥିବା ୩ଟି ରାଜ୍ୟରେ ଲାଗୁ ହେବ। ପାକିସ୍ତାନକୁ ଲାଗିଥିବା ପଞ୍ଜାବ ଓ ବାଂଲାଦେଶକୁ […]

BSF

Tapas Behera
  • Published: Thursday, 14 October 2021
  • , Updated: 14 October 2021, 07:15 PM IST

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳ ବା ବିଏସ୍ଏଫର କ୍ଷମତା ବୃଦ୍ଧି କରାଯାଇଛି।  ଅନ୍ତର୍ଜାତୀୟ ସୀମାରେଖାଠାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ଯାଏ ବିଏସ୍ଏଫ୍ କ୍ଷମତା ବୃଦ୍ଧି ହୋଇଛି । ଏହି କ୍ଷମତା ବୃଦ୍ଧି ଯୋଗୁଁ ଏଣିକି ବିଏସ୍ଏଫ୍ ଅନ୍ତର୍ଜାତୀୟ ସୀମାରୁ ୫୦ କିଲୋମିଟର ଆଭ୍ୟନ୍ତରୀଣ ଅଞ୍ଚଳ ମଧ୍ୟରେ ଗିରଫ, ତଲାସୀ ଓ ଜବତ କରିପାରିବ । ଏହା ପାକିସ୍ତାନ ଓ ବାଂଲାଦେଶ ସୀମାକୁ ଲାଗିଥିବା ୩ଟି ରାଜ୍ୟରେ ଲାଗୁ ହେବ।

ପାକିସ୍ତାନକୁ ଲାଗିଥିବା ପଞ୍ଜାବ ଓ ବାଂଲାଦେଶକୁ ଲାଗିଥିବା ପଶ୍ଚିମବଙ୍ଗରେ ଏବଂ ଆସାମରେ ବିଏସ୍ଏଫର ଏହି କ୍ଷମତା ପ୍ରଦାନ କରାଯାଇଛି । କିଛିଦିନ ପୂର୍ବରୁ ସୀମାବର୍ତ୍ତୀ ଅଞ୍ଚଳରେ ଡ୍ରୋନ୍ ଜରିଆରେ ଅସ୍ତ୍ରଶସ୍ତ୍ର ପକାଯିବା ଘଟଣା ବିଏସ୍ଏଫର କ୍ଷମତା ବୃଦ୍ଧି କରିବାକୁ ବାଧ୍ୟ କରିଥିଲା ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।  ୧୦ଟି ରାଜ୍ୟରେ ଜାତୀୟ ସୁରକ୍ଷା ପ୍ରତି ବିପଦକୁ ପ୍ରତିହତ କରିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଛି।

ବିଏସ୍ଏଫ୍ ସୀମା ଜଗୁଥିଲେ ବି ଅନେକ କ୍ଷେତ୍ରରେ ସଂପୂର୍ଣ୍ଣ ଭାବେ ଅନୁପ୍ରବେଶ ଭଳି ଘଟଣା ରୋକିବାକୁ ସମର୍ଥ ହୋଇପାରୁନି । ଏଣୁ କ୍ଷମତା ପରିସର ବୃଦ୍ଧି ପାଇଲେ, ଆଖପାଖ ଅଞ୍ଚଳରେ ବିଏସ୍ଏଫ୍ କାଯର୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ କ୍ଷମତା ବୃଦ୍ଧି ଯୋଗୁଁ ସ୍ଥାନୀୟ ପୁଲିସ ବା ଗାଁ ଲୋକଙ୍କ ସହ ମୁହାଁମୁହିଁ ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି।

ଏଣିକି ଯଦି କୌଣସି ଘଟଣାକୁ ନେଇ ଗୁଇନ୍ଦା ସୂଚନା ମିଳେ, ତା ହେଲେ ଆଉ ସ୍ଥାନୀୟ ପୋଲିସକୁ ଅପେକ୍ଷା କରିବ ନାହିଁ ବିଏସ୍ଏଫ୍ । ସୀମା ଭିତରେ ୫୦ କିଲୋମିଟର ଯାଏ ନିଜେ ନିଜେ ତତକ୍ଷଣାତ ପଦକ୍ଷେପ ନେଇପାରିବ । ନୂଆ କ୍ଷମତା ବଳରେ ପଶ୍ଚିମବଙ୍ଗ, ପଞ୍ଜାବ ଓ ଆସାମରେ ବିଏସ୍ଏଫ୍ ସିଆରପିସି, ପାସପୋର୍ଟ ଆଇନ ଓ ଭାରତକୁ ପ୍ରବେଶ ନେଇ ପାସପୋର୍ଟ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ । ପୋଲିସ ଭଳି ତଲାସୀ ଓ ଗିରଫ ମଧ୍ୟ କରିପାରିବ ବିଏସ୍ଏଫ୍ ।

ପୂର୍ବରୁ ଭାରତ-ପାକିସ୍ତାନ ଓ ଭାରତ-ବାଂଲାଦେଶ ସୀମାର ଭାରତ ପଟେ ୧୫ କିଲୋମିଟର ଯାଏ ବିଏସ୍ଏଫକୁ କ୍ଷମତା ଦିଆଯାଇଥିଲା । ଏବେ ଏହାକୁ ବୃଦ୍ଧି କରି ୫୦ କିଲୋମିଟର କରାଯାଇଛି । ସେହିପରି ଗୁଜୁରାଟରେ ୮୦ କିମିକୁ ହ୍ରାସ କରି ୫୦ କିଲୋମିଟରକୁ ଅଣାଯାଇଛି । ରାଜସ୍ଥାନରେ ପୂର୍ବର ୫୦ କିମି କ୍ଷମତା ପରିସରକୁ ବଜାୟ ରଖାଯାଇଛି । ଏହାଫଳରେ ସାରା ଦେଶରେ ବିଏସ୍ଏଫ୍ର କ୍ଷମତା ପରିସର ସମାନ ରହିବ ବୋଲି କୁହାଯାଉଛି।

ତେବେ ମେଘାଳୟ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ମଣିପୁର, ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ବିଏସ୍ଏଫ୍ ପାଇଁ କୌଣସି ସୀମା ରଖାଯାଇନାହିଁ । ସାରା ରାଜ୍ୟରେ ବିଏସ୍ଏଫ୍ ନିଜର କ୍ଷମତା ପ୍ରୟୋଗ କରିପାରିବ । ମାଜିଷ୍ଟ୍ରେଟଙ୍କ ଅନୁମତି ବିନା ବିଏସ୍ଏଫ ଯେ କୌଣସି ଅଫିସର କ୍ଷମତା ପ୍ରୟୋଗ କରି ଗିରଫ, ତଲାସୀ ଓ ଜବତ କରିପାରିବ ବୋଲି ନୂଆ  ବିଜ୍ଞପ୍ତିରେ କୁହାଯାଇଛି।

ସେପଟେ ବିଏସ୍ଏଫର  କ୍ଷମତା ବୃଦ୍ଧିକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନି ବିରୋଧ କରିଛନ୍ତି । ସୀମା ଭିତରେ ୫୦ କିଲୋମିଟର ଯାଏ ବିଏସ୍ଏଫ କ୍ଷମତା ଦିଆଯିବା ସିଧାସଳଖ ଭାବେ ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ । ଏଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିନେବାକୁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନିବେଦନ କରିଛନ୍ତି।  ସେହିପରି ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧଓ୍ୱା କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

Related story