ନୂଆଦିଲ୍ଲୀ: ମଦ ନୀତି ଅନିୟମିତତା ଅଭିଯୋଗ ବାବଦରେ ପୁଣି ଥରେ ସିବିଆଇ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ କହିଛନ୍ତି ଯେ, ସିବିଆଇ ଜବତ କରିଥିବା ମୋ କମ୍ପ୍ୟୁଟରରୁ ଗୋପନୀୟ ଫାଇଲ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛି। ଏଥିସହ ଫାଇଲ ଏଡିଟ୍ କରି ତାଙ୍କୁ ମିଥ୍ୟା ମାମଲାରେ ଫସାଇବାକୁ ଚାହୁଁଛି। ଶନିବାର ସିବିଆଇ ପୁଣି ଥରେ ମନିଷଙ୍କ ଅଫିସରେ ରେଡ୍ କରିବା ସହ କିଛି ଗୁରୁତ୍ୱପୂର୍ଣ୍ଣ ଫାଇଲ ଜବତ କରିବା ପରେ ଏହି ଏହି ଅଭିଯୋଗ ଆଣିଛନ୍ତି ସିସୋଦିଆ। ଏପର୍ଯ୍ୟନ୍ତ ଏହି ମାମଲାରେ ମିଥ୍ୟା ଆରୋପ ଲଗାଇଥିବା ସିବିଆଇ ତାଙ୍କୁ ଅଭିଯୁକ୍ତ ଭାବେ ଚାର୍ଜସିଟ୍ କରାଯାଇ ନାହିଁ।
ମୋର ସ୍ପଷ୍ଟ ଆଶଙ୍କା ଅଛି ଯେ, ସିବିଆଇ ଏଥିରେ ସଂରକ୍ଷିତ ଗୋପନୀୟ ଫାଇଲ ନଷ୍ଟ କରିବା ପାଇଁ ସିପିୟୁ ଜବତ କରିଛି । ଆଉ କମ୍ପ୍ୟୁଟରରେ ଥିବା ଡକ୍ୟୁମେଣ୍ଟକୁ ଏଡିଟ୍ କରି ତାଙ୍କୁ ମିଛରେ ଫସେଇବ। ସେ ଆହୁରି କହିଛନ୍ତି ଯେ, ସେମାନେ ମଧ୍ୟ କିଛି ପାଇବେ ନାହିଁ। ମୁଁ କୌଣସି ଭୁଲ କରି ନାହିଁ ବୋଲି ସିସୋଦିଆ କହିଛନ୍ତି। ଦିଲ୍ଲୀରେ ୧୦ ହଜାର କୋଟି ଟଙ୍କାର ଏହି ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ଆଗରୁ ଥରେ ଜେରା କରିଛି। ପୂର୍ବରୁ ଏହି ମାମଲାରେ ତିନି ଜଣ ଗିରଫ ମଧ୍ୟ ହୋଇସାରିଛନ୍ତି।
ଏହି ବହୁଚର୍ଚ୍ଚିତ ମାମଲାରେ ଉଭୟ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି। ତଦନ୍ତକାରୀ ସଂସ୍ଥା ଦେଶର ବିଭିନ୍ନ ସ୍ଥାନରେ ରେଡ୍ ମଧ୍ୟ କରିଛି। ଦିଲ୍ଲୀ ଉପରାଜ୍ୟପାଳ ଏହି ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀର ଉପରାଜ୍ୟପାଳଙ୍କ ସୁପାରିସକ୍ରମେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାର ତଦନ୍ତ ଦାୟିତ୍ୱ ‘ସିବିଆଇ’କୁ ହସ୍ତାନ୍ତର କରାଯାଇଥିଲା। ଅଗଷ୍ଟ ୧୭ରେ ସିବିଆଇ ଅବକାରୀ ଦୁର୍ନୀତି ହୋଇଥିବା ନେଇ ମାମଲା ରୁଜୁ କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।