ବେଙ୍ଗାଲୁରୁ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ Narcotics Control Bureau (NCB) ଆଜି ମୁମ୍ବାଇ ସ୍ଥିତ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଘରେ ଚଢ଼ାଉ କରିଥିଲା। ଅନ୍ୟପକ୍ଷରେ ବେଙ୍ଗାଲୁରୁର ସେଣ୍ଟ୍ରାଲ୍ କ୍ରାଇମ୍ ବ୍ୟୁରୋ (ସିସିବି) ପକ୍ଷରୁ ଆଜି ସକାଳେ କନ୍ନଡ଼ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କ ଘରେ ଚଢ଼ାଉ କରାଯାଇଛି। ସୂଚନାଯୋଗ୍ୟ, କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ କାରବାରକୁ ନେଇ ସିସିବି ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟାରେ ସିସିବିର ଏକ ଟିମ୍ ରାଗିଣୀଙ୍କ ଘରେ ପହଞ୍ଚିଥିଲେ। ବୁଧବାର ହାଜର ହେବା ପାଇଁ ସିସିବି ପୂର୍ବରୁ ରାଗିଣୀଙ୍କୁ ନୋଟିସ୍ ପଠାଇଥିଲା। ତେବେ ରାଗିଣୀ ନିଜେ ହାଜର ନହୋଇ ତାଙ୍କର ଏକ ଓକିଲ ଟିମ୍କୁ ସେଠାକୁ ପଠାଇଥିଲେ।
ଅନ୍ୟପକ୍ଷରେ କନ୍ନଡ଼ ଫିଲ୍ମ ଜଗତ ସହିତ ଜଡ଼ିତ ଥିବା ରବି ନାମକ ଜଣେ ବ୍ୟକ୍ତିଙ୍କୁ ସିସିବି ଗିରଫ କରିଛି, ଯିଏ ଏହି ଡ୍ରଗ୍ସ ମାମଲାରେ ସଂପୃକ୍ତ। ସେ ଦେଇଥିବା ସୂଚନା ଆଧାରରେ ରାଗିଣୀଙ୍କ ଘରେ ଚଢ଼ାଉ କରିଛି ସିସିବି।
ସୂଚନାଯୋଗ୍ୟ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଡ୍ରଗ୍ସ କାରବାର ଅଭିଯୋଗରେ ବେଙ୍ଗାଲୁରୁରୁ ୩ ଜଣଙ୍କୁ ଗିରଫ କରିବା ପରେ ସିସିବି ସକ୍ରିୟ ହୋଇଯାଇଥିଲା। ଉକ୍ତ ୩ ଅଭିଯୁକ୍ତ କନ୍ନଡ଼ ଫିଲ୍ମ ଜଗତର କିଛି ଗାୟକ ଓ କଳାକାରଙ୍କୁ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗ ହୋଇଛି। କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରୀର ପାଖାପାଖି ୧୫ ଜଣ ବ୍ୟକ୍ତି ଡ୍ରଗ୍ସ କାରବାର ସହିତ ଜଡ଼ିତ ବୋଲି ଅଭିଯୋଗ ରହିଛି।