ଓଡ଼ିଆ ଅଫିସରଙ୍କ ଜାଲରେ ଶାହାରୁଖ୍ ଖାନ୍‌ଙ୍କ ପୁଅ

ମୁମ୍ବାଇ: ରେଭ୍ ପାର୍ଟିରେ ସାମିଲ ଥାଇ ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍ ଧରାଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି  ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ ଡିଜି ସତ୍ୟ ନାରାୟଣ ପ୍ରଧାନ। ସେ କହିଛନ୍ତି ଯେ, ଗତ ୨ ସପ୍ତାହ ହେଲାଣି ଅପରେସନ ପ୍ଲାନିଂ ଚାଲିଥିଲା। ଗୁଇନ୍ଦା ତଥ୍ୟ ଆଧାରରେ ଆମେ ଅପରେସନ ଚଳାଇଥିଲୁ। ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ। ନିଶା ମୁକ୍ତ ଭାରତ ଆମର ମିଶନ ବୋଲି ସତ୍ୟ ପ୍ରଧାନ କହିଛନ୍ତି। କ୍ରୁଜ […]

7901

Tapas Behera
  • Published: Sunday, 03 October 2021
  • , Updated: 03 October 2021, 09:53 PM IST

ମୁମ୍ବାଇ: ରେଭ୍ ପାର୍ଟିରେ ସାମିଲ ଥାଇ ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଖାନ୍ ଧରାଯିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି  ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ ଡିଜି ସତ୍ୟ ନାରାୟଣ ପ୍ରଧାନ। ସେ କହିଛନ୍ତି ଯେ, ଗତ ୨ ସପ୍ତାହ ହେଲାଣି ଅପରେସନ ପ୍ଲାନିଂ ଚାଲିଥିଲା। ଗୁଇନ୍ଦା ତଥ୍ୟ ଆଧାରରେ ଆମେ ଅପରେସନ ଚଳାଇଥିଲୁ। ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ। ନିଶା ମୁକ୍ତ ଭାରତ ଆମର ମିଶନ ବୋଲି ସତ୍ୟ ପ୍ରଧାନ କହିଛନ୍ତି।

କ୍ରୁଜ ଭିତରେ ଡ୍ରଗ୍ସ ପାର୍ଟିକୁ ନେଇ ଗିରଫ ହୋଇଛନ୍ତି ଆର୍ଯ୍ୟନ୍‌। ୧୨ ଘଣ୍ଟାର ମାରାଥନ୍ ଜେରା ପରେ ନିଷିଦ୍ଧ ନିଶା କାରବାର ମାମଲାରେ ଗିରଫ କରିଛି ମୁମ୍ବାଇ ନାର୍କୋଟିକ୍ କଣ୍ଟ୍ରୋଲ୍ ବୁ୍ୟରୋ-NCB। ଆଉ ତାଙ୍କୁ କୋର୍ଟରେ ହାଜର କରାଯାଇଛି । କେବଳ ଆର୍ଯ୍ୟନ୍‌ ନୁହେଁ, ଅନ୍ୟ ୭ ଜଣଙ୍କର ମଧ୍ୟ ମେଡ଼ିକାଲ୍ ଯାଞ୍ଚ ପରେ କୋର୍ଟରେ ହାଜର କରାଯାଉଛି। ସେପଟେ ପୁଅର ଗିରଫଦାରୀ ପରେ ସ୍ପେନ୍‌ରେ ଚାଲିଥିବା ଅପ୍‌କମିଂ ମୁଭି ପଠାନ୍‌ର ସୁଟିଂ ଛାଡ଼ି ଶାହରୁଖ ଖାନ୍ ଭାରତ ଫେରୁଥିବା ସୂଚନା ମିଳିଛି।

ବଲିଉଡ୍‌ର କିଙ୍ଗ ଖାନ୍ ଶାହରୁଖ୍ ଖାନ୍‌ଙ୍କ ୨୩ ବର୍ଷୀୟ ପୁଅ ଆର୍ଯ୍ୟନ୍‌।  ଯାହାଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ । ୱିକେଣ୍ଡ ମସ୍ତିରେ ମସଗୁଲ୍ ହେବାକୁ ଯାଇ କ୍ରୁଜ୍ ଭିତରେ ଆୟୋଜିତ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ କରିଛି ମୁମ୍ବାଇ NCB।  ଡାକ୍ତରୀ ପରୀକ୍ଷା ପରେ ସାଙ୍ଗ ଅରବାଜ ସେଠ୍ ମର୍ଚାଣ୍ଟ ଓ ମୁନମୁନ୍ ଧର୍ମେଚାଙ୍କ ସହ ଆର୍ଯ୍ୟନଙ୍କୁ ଧରି ନାର୍କୋଟିକ କଣ୍ଟ୍ରୋଲ୍ ବ୍ୟୁରୋ କୋର୍ଟରେ ହାଜର କରାଇଛନ୍ତିା ଆର୍ଯ୍ୟନଙ୍କ ମୋବାଇଲକୁ  ଏନ୍‌ସିବି ଜବତ କରିବା ସହ କାହା ସହ ସେ ଫୋନ୍‌ରେ କଥାବାର୍ତ୍ତା ହୋଇଛନ୍ତି ? କଣ ସବୁ ଚାଟ୍ କରିଛନ୍ତି ? ସେନେଇ ଯାଞ୍ଚ କରୁଛି । ଯାଞ୍ଚବେଳେ ଚଷମାର ଲେନ୍ସ କଭରରେ ଆର୍ଯ୍ୟନ୍‌ ଡ୍ରଗ୍ସ ରଖିଥିଲେ ବୋଲି ସୂଚନା ମିଳିଛି । ଏନ୍‌ସିବି ଡିଜି ସତ୍ୟନାରାୟଣ ପ୍ରଧାନ କହିଛନ୍ତି, ନିଶାମୁକ୍ତ ଭାରତ ଗଠନ କରିବା ଏନ୍‌ସିବିର ଲକ୍ଷ୍ୟ । ଘଟଣାରେ ଯିଏ ବି ସଂପୃକ୍ତ ଥାଆନ୍ତୁ କିମ୍ବା ଯେତେବଡ଼ ଲୋକ ହୋଇଥାନ୍ତୁ, ସମସ୍ତଙ୍କୁ ତଦନ୍ତ ପରିସରକୁ ନିଆଯିବ।

ଏମିତି ଥିଲା ଅପରେସନ୍

ଯେଉଁ ଜାହାଜରେ ରେଭ୍ ପାଟି ଚାଲିଥିଲା ତାହା ହେଉଛି  ‘କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସ’ । ଗତକାଲି ରାତିରେ ଏହି ଜାହାଜ ମୁମ୍ବାଇରୁ ଗୋଆ ବାହାରିଥିଲା । କ୍ରୁଜ୍‌ରେ ଥିଲେ ଆର୍ଯ୍ୟନଙ୍କ ସମେତ ତାଙ୍କ ବନ୍ଧୁ ଅରବାଜ ସେଠ୍ ମର୍ଚାଣ୍ଟ, ମୁନ୍ମୁନ୍ ଧର୍ମେଚା, ନୁପୁର ସାରିକା, ଇସମିତ୍ ସିଂହ, ମୋହକ ଜସଓ୍ୱାଲ, ବିକ୍ରାନ୍ତ ଚୋକର ଏବଂ ଗୋମିତ ଚୋପ୍ରା ସମେତ ବହୁ ହାଇପ୍ରୋଫାଇଲ୍ ବ୍ୟକ୍ତି। ଶନିବାର ମୁମ୍ବାଇରୁ ବାହାରିଥିବା ଏହି କ୍ରୁଜ୍ ଗୋଆ  ଯାଇ ସୋମବାର ଫେରିଆସିଥାନ୍ତା । କ୍ରୁଜ୍‌ରେ ଏକ ଫ୍ୟାସନ୍ ସୋ ସହ ରେଭ୍ ପାର୍ଟି ପାଇଁ ଆୟୋଜନ କରାଯାଇଥିଲା ।

ଗୋଆ ଅଭିମୁଖେ ଜାହାଜଟି ବାହାରିବା କ୍ଷଣି ୧୫ ଦିନ ଆଗରୁ ଖବର ପାଇଥିବା ମୁମ୍ବାଇ NCB ଅଧିକାରୀ କ୍ରୁଜ୍ ଭିତରେ ଗ୍ରାହକ ବେଶରେ ପଶିଥିଲେ । ଏହାପରେ ମୁମ୍ବାଇ ପୁଲିସ ସହାୟତାରେ ଏନ୍‌ସିବି ଅଧିକାରୀ ଜାହାଜକୁ ଫେରାଇ ଆଣିଥିଲେ । ସବୁ ଯାତ୍ରୀଙ୍କୁ କୁହାଗଲା, ଜାହାଜ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଉ ଜାହାଜଟି ମୁମ୍ବାଇ ଉପକୂଳରେ ଲାଗିବା କ୍ଷଣି ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲା।

ଏଥିରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୨୨ ଜଣଙ୍କୁ ଧରିଥିଲା ଏନ୍‌ସିବି । ତାସହ ଏକ୍ଷ୍ଟାସି, କୋକେନ୍, ମେଫେଡ୍ରନ ଓ ଚରସ ଭଳି ନିଶାଦ୍ରବ୍ୟ ଜବତ କରିଥିଲା। ସେହିପରି ୬ ଜଣ ପାର୍ଟି ଆୟୋଜକଙ୍କୁ ଏନ୍‌ସିବି ସମନ କରିଛି । ତେବେ ଜେରାବେଳେ ଆର୍ଯ୍ୟନ କହିଛନ୍ତି, ଏହି ପାର୍ଟିକୁ ଅର୍ଥ ପୈଠ କରି ଆସିନଥିଲେ ବରଂ ତାଙ୍କୁ ଅତିଥି ଭାବେ ଡକାଯାଇଥିଲା। ଏହି ଘଟଣା ପରେ ଅଭିନେତା ସୁନୀଲ ସେଟ୍ଟୀ ଏକ କାର୍ଯ୍ୟକ୍ରମରେ ଆର୍ଯ୍ୟନଙ୍କୁ ଛୋଟପିଲା ଏବଂ ବର୍ତ୍ତମାନଠୁ କାହାକୁ ଦୋଷୀ କହିବା ଠିକ୍ ହେବନାହିଁ ବୋଲି କହିଛନ୍ତି। ତେବେ ଘଟଣା ସମ୍ପର୍କରେ ଶାହାରୁଖ ଏଯାଏଁ କୌଣସି ପ୍ରତିକ୍ରିୟା ରଖିନଥିବାବେଳେ ଅପକମିଂ ମୁଭି ପଠାନ୍‌କୁ ସୁଟିଂକୁ ଅଧାରୁ ଛାଡ଼ି ସେ ସ୍ପେନରୁ ଭାରତ ଫେରୁଥିବା ସୂଚନା ମିଳିଛି ।

Related story