ଅନୀଲ ଦେଶମୁଖଙ୍କ ସ୍ଥାନ ନେବେ ଦିଲୀପ ୱାଲସେ ପାଟିଲ!

ମୁମ୍ବାଇ: ବିବାଦ ପରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଅନୀଲ ଦେଶମୁଖଙ୍କ ସ୍ଥାନରେ କାହାକୁ ମିଳିବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ ବରିଷ୍ଠ ଏନସିପି ନେତା ଦିଲୀପ ୱାଲସେ ପାଟିଲ ମହାରାଷ୍ଟ୍ରର ପରବର୍ତ୍ତୀ ଗୃହମନ୍ତ୍ରୀ ହେବେ। ୭ ଥର ବିଧାୟକ ହୋଇଥିବା ପାଟିଲ ତାଙ୍କ ରାଜନୀତିକ କ୍ୟାରିୟର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପର୍ସନାଲ ଆସିସଷ୍ଟାଣ୍ଟ ଭାବେ ଆରମ୍ଭ କରିଥିଲେ। ଅମ୍ବେଗାଓଁରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ପାଟିଲ ଏବେ ମହା ବିକାଶ […]

Dilip-Walse-Patil

Hemant Lenka
  • Published: Monday, 05 April 2021
  • , Updated: 05 April 2021, 06:32 PM IST

ମୁମ୍ବାଇ: ବିବାଦ ପରେ ମହାରାଷ୍ଟ୍ରର ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଅନୀଲ ଦେଶମୁଖଙ୍କ ସ୍ଥାନରେ କାହାକୁ ମିଳିବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟ ଅନୁସାରେ ବରିଷ୍ଠ ଏନସିପି ନେତା ଦିଲୀପ ୱାଲସେ ପାଟିଲ ମହାରାଷ୍ଟ୍ରର ପରବର୍ତ୍ତୀ ଗୃହମନ୍ତ୍ରୀ ହେବେ।

୭ ଥର ବିଧାୟକ ହୋଇଥିବା ପାଟିଲ ତାଙ୍କ ରାଜନୀତିକ କ୍ୟାରିୟର ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପର୍ସନାଲ ଆସିସଷ୍ଟାଣ୍ଟ ଭାବେ ଆରମ୍ଭ କରିଥିଲେ। ଅମ୍ବେଗାଓଁରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ପାଟିଲ ଏବେ ମହା ବିକାଶ ଅଘାଡ଼ି ସରକାରରେ ଅବକାରୀ ଓ ଶ୍ରମ ରାଜ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ତାଙ୍କ ବାପା ହେଉଛନ୍ତି ଦତ୍ତାତ୍ରୟ ୱାଲସେ ପାଟିଲ କଂଗ୍ରେସର ପୂର୍ବତନ ବିଧାୟକ। ଜୁନିୟର ପାଟିଲଙ୍କ ଭଳି ସିନିୟର ପାଟିଲ ମଧ୍ୟ ଶରଦ ପାୱାରଙ୍କ ବେଶ ଘନିଷ୍ଠ। ୧୯୯୦ରେ ପାଟିଲ ପ୍ରଥମଥର କଂଗ୍ରେସ ଟିକେଟରୁ ଆମ୍ବେଗାଓଁରୁ ନିର୍ବାଚନ ଜିତିଥିଲେ। ସେ ୧୯୯୯ରେ ଶରଦ ପାୱାରଙ୍କୁ ଅନୁସରଣ କରି କଂଗ୍ରେସରୁ ବାଏବାଏ କହିଥିଲେ ଓ ଏନସିପିରେ ମିଶିଥିଲେ।

ଶିବସେନା, କଂଗ୍ରେସ ଓ ଏନସିପି ସରକାର ଗଠନ କରିବା ପ୍ରକ୍ରିୟା ଜାରି ରଖିଥିବା ବେଳେ ପାଟିଲ ମହାରାଷ୍ଟ୍ର ବାଚସ୍ପତି ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ୨୦୦୯ରୁ ୨୦୧୪ ମଧ୍ୟରେ ସେ ମହାରାଷ୍ଟ୍ର ବିଧାନସଭାର ସ୍ଥାୟୀ ବାଚସ୍ପତି ଭାବେ ବି କାର୍ଯ୍ୟ କରିଥିଲେ। ଏନସିପିରେ ତାଙ୍କର ବେଶ ଦବଦବା ରହିଥିବାରୁ ସେ ହିଁ ମହାରାଷ୍ଟ୍ରର ପରବର୍ତ୍ତୀ ଗୃହମନ୍ତ୍ରୀ ହେବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ମହାରାଷ୍ଟ୍ରରେ ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଅନୀଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ବଟି ଆଦାୟ ଅଭିଯୋଗ ଆସିଛି। ଖୋଦ୍‌ ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ପରମବୀର ସିଂହ ଏହି ଅଭିଯୋଗ ଆଣିଥିଲେ। ଆଜି ବମ୍ବେ ହାଇକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାରୁ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଅଭିଯୋଗର ତଦନ୍ତ ଆରମ୍ଭ ହୋଇଥିବାରୁ ଗୃହମନ୍ତ୍ରୀ ପଦରେ ରହିବା ଠିକ୍‌ ନୁହେଁ ବୋଲି ଶ୍ରୀ ଦେଶମୁଖ କହିଛନ୍ତି।

Related story