ନୂଆଦିଲ୍ଲୀ: ଆଜି ପୁଣି ଇଡିରେ ହାଜର ହେଲେ କଂଗ୍ରେସ ସାସଂଦ ରାହୁଳ ଗାନ୍ଧି। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଆଜି ଦ୍ୱିତୀୟ ରାଉଣ୍ଡ ଜେରା କରିବ। ସୋମବାର ମଧ୍ୟ ରାହୁଲ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେଠାରେ ତାଙ୍କୁ ୧୦ ଘଣ୍ଟା ଧରି ଜେରା କରିଥିଲା ଇଡି। ତେବେ ରାହୁଲଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବାରୁ ଆଜି ପୁଣି ତାଙ୍କୁ ଇଡି ଡକାଇଥିଲା।
ସେପଟେ ରାହୁଲ ଗାନ୍ଧି ଇଡି ଅଫିସରେ ଭଉଣୀ ପ୍ରିୟଙ୍କା ଗାନ୍ଧିଙ୍କ ସହ ହାଜର ହେବା ପରେ ଆଜି ମଧ୍ୟ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାସ୍ତା ଅବରୋଧ କରିଛନ୍ତି। ଅନେକ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଛି। କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କୁ ମଧ୍ୟ ପୁଲିସ ବିକ୍ଷୋଭ ପ୍ରଦର୍ଶନ ସ୍ଥଳରୁ ଉଠାଇ ନେଇଛି। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରୁ ଇଡି ଅଫିସ୍ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ୍, ସିଆର୍ପିଏଫ୍ ପୁଲିସ୍ ମୁତୟନ ହୋଇଥିବା ସୂଚନା ରହିଛି। ଦିଲ୍ଲୀ ଅକବର ରୋଡ୍ରେ ୧୪୪ ଧାରା ଲାଗୁ କରାଯାଇଛି।
ଗତକାଲି ନ୍ୟାସ୍ନାଲ୍ ହେରାଲ୍ଡ ଖବରକାଗଜ ମନି ଲଣ୍ଡରିଂ ମାମଲାରେ ରାହୁଲ୍ ଗାନ୍ଧିଙ୍କୁ ଜେରା ହୋଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୨ଜଣ ଅଧିକାରୀ ରାହୁଲଙ୍କ ବୟାନ ରେକର୍ଡ କରିଥିଲେ। ‘ପିଏମ୍ଏଲ୍ଏ’ ଆକ୍ଟ ଧାରା ୫୦ ଅନୁସାରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।