ଲକର୍‌ରୁ ମିଳିଲା ଶିବଲିଙ୍ଗ, ଦାମ ୫୦୦ କୋଟି ଟଙ୍କା

ଟ୍ରିଚୀ: ମୂଲ୍ୟବାନ ଓ ବିରଳ ପ୍ରତିମୂର୍ତ୍ତି ରାକେଟକୁ ଧରୁଥିବା ତାମିଲନାଡୁ ପୁଲିସର ସିଆଡି ୱିଙ୍ଗ ମର୍କତ ରତ୍ନର ଗୋଟିଏ ଶିବଲିଙ୍ଗ ଠାବ କରିଛି। ଏହାର ଦାମ ୫୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ତାଞ୍ଜାଭୁର ସ୍ଥିତ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଲକର୍‌ରୁ ଏହି ଶିବଲିଙ୍ଗକୁ ଉଦ୍ଧାର କରାଯାଇଛି। ସିଆଡି ୱିଙ୍ଗର ମୁଖ୍ୟ ଏଡିଜିପି ଜୟନ୍ତ ମୁରଲୀ କହିଛନ୍ତି, ତାଞ୍ଜାଭୁର ଠାରେ ଥିବା ଗୋଟିଏ ଘରେ କିଛି ମୂଲ୍ୟବାନ ପ୍ରତିମୂର୍ତ୍ତି ଥିବା ଖବର ମିଳିଥିଲା। ଏହାପରେ ପୂରା […]

lingam

Hemant Lenka
  • Published: Saturday, 01 January 2022
  • , Updated: 01 January 2022, 01:56 PM IST

ଟ୍ରିଚୀ: ମୂଲ୍ୟବାନ ଓ ବିରଳ ପ୍ରତିମୂର୍ତ୍ତି ରାକେଟକୁ ଧରୁଥିବା ତାମିଲନାଡୁ ପୁଲିସର ସିଆଡି ୱିଙ୍ଗ ମର୍କତ ରତ୍ନର ଗୋଟିଏ ଶିବଲିଙ୍ଗ ଠାବ କରିଛି। ଏହାର ଦାମ ୫୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ତାଞ୍ଜାଭୁର ସ୍ଥିତ ଜଣେ ବ୍ୟକ୍ତିଙ୍କ ବ୍ୟାଙ୍କ ଲକର୍‌ରୁ ଏହି ଶିବଲିଙ୍ଗକୁ ଉଦ୍ଧାର କରାଯାଇଛି।

ସିଆଡି ୱିଙ୍ଗର ମୁଖ୍ୟ ଏଡିଜିପି ଜୟନ୍ତ ମୁରଲୀ କହିଛନ୍ତି, ତାଞ୍ଜାଭୁର ଠାରେ ଥିବା ଗୋଟିଏ ଘରେ କିଛି ମୂଲ୍ୟବାନ ପ୍ରତିମୂର୍ତ୍ତି ଥିବା ଖବର ମିଳିଥିଲା। ଏହାପରେ ପୂରା ଟିମ୍‌ ସେଠାରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ଏହି ଯାଞ୍ଚ ଟିମ୍‌ର ନେତୃତ୍ୱ ଆଡିସନାଲ ଏସ୍‌ପି ଆର ରାଜରାମ ଓ ପି ଅଶୋକ ନଟରାଜନ ନେଇଥିଲେ।

ସେମାନେ ତାଞ୍ଜାଭୁର ସ୍ଥିତ ଅରୁଲାନନ୍ଦ ନଗର ଅନ୍ତର୍ଗତ ୭ତମ କ୍ରସ ଷ୍ଟ୍ରିଟ ଠାରେ ଥିବା ଲାଙ୍ଗଭାଲ ହୋମ୍ସରେ ସର୍ଚ୍ଚ କରିଥିଲେ। ଏହି ଘରେ ସେମାନେ ୮୦ ବର୍ଷୀୟ ଏନଏ ସାମିୟାପ୍ପାନଙ୍କ ପୁଅ ଏନଏସ୍‌ ଅରୁଣଙ୍କୁ ପଚରାଉଚରା କରିଥିଲେ।

ଏହି ସମୟରେ ଅରୁଣ ତାଙ୍କ ବାପା ଗୋଟିଏ ବ୍ୟାଙ୍କ ଲକରରେ ମର୍କତ ରତ୍ନର ଶିବଲିଙ୍ଗ ରଖିଥିବା କହିଥିଲେ। ଏହାପରେ ସେ ସିଆଇଡି ଟିମ୍‌କୁ ଏହାକୁ ହସ୍ତାନ୍ତର କରି ତଦନ୍ତରେ ସହଯୋଗ କରିଥିଲେ।

ଏହି ଜବତ ଶିବଲିଙ୍ଗର ଓଜନ ୫୩୦ ଗ୍ରାମ ଓ ଉଚ୍ଚତା ୮ ସେମି। ସାମିୟାପ୍ପାନ କେଉଁଠୁ ଓ କେମିତି ଏହି ମୂଲ୍ୟବାନ ଶିବଲିଙ୍ଗ ଠାବ କରିଥିଲେ, ସେକଥା ଅରୁଣ ଜାଣି ନଥିବା କହିଛନ୍ତି। ତେବେ ଏହି ଶିବଲିଙ୍ଗର ବଜାର ମୂଲ୍ୟ ୫୦୦ କୋଟି ଟଙ୍କା ହେବ ବୋଲି ଜୟନ୍ତ ମୁରଲୀ କହିଛନ୍ତି।

ସେ ଆହୁରି କହିଛନ୍ତି, “ପରୀକ୍ଷା ପରେ ଏହା ଗୋଟିଏ ଅର୍ଜିନାଲ ମର୍କତ ରତ୍ନ ଶିବଲିଙ୍ଗ ବୋଲି ଜଣାପଡ଼ିଛି। ଏବେ ଅଧିକ ଯାଞ୍ଚ କରାଯାଉଛି। କାରଣ ଏହା କେଉଁ ମନ୍ଦିରରେ ରହିଥିଲା, ସେକଥା ଜାଣିବା ଜରୁରୀ। ଏହି ଘଟଣାରେ ମାମଲା ରୁଜୁ କରାଯାଇଛି।”

ଅନ୍ୟପକ୍ଷରେ ଇଣ୍ଡିଆ ପ୍ରାଇଡ ପ୍ରୋଜେକ୍ଟର ଏସ୍‌ ବିଜୟ କୁମାର କହିଛନ୍ତି, “ଶିବଲିଙ୍ଗର ମୂଲ୍ୟ ୫୦୦ କୋଟି ଟଙ୍କା ବୋଲି କହିବା କେବଳ ଏକ ଆକଳନ। ଦକ୍ଷିଣ ଭାରତରେ ବିଭିନ୍ନ ମନ୍ଦିର ଓ ମଠରୁ ମର୍କତ ରତ୍ନ ଶିବଲିଙ୍ଗ ଚୋରି ଘଟଣା ୮୦ ଦଶକରୁ ଜାରି ରହିଛି।”

୨୦୧୬ରେ ତିରୁକୁଭାଲାଇରେ ଥିବା ଗୋଟିଏ ମନ୍ଦିରରୁ ଶିବଲିଙ୍ଗ ଚୋରି ହୋଇଥିଲା। ବର୍ତ୍ତମାନ ଠାବ ହୋଇଥିବା ଶିବଲିଙ୍ଗ ସହ ଏହାର ଲିଙ୍କ ରହିଛି କି ନାହିଁ, ତା’ର ଯାଞ୍ଚ ପୁଲିସ୍ କରୁଛି।

Related story