ମୁଖ୍ୟମନ୍ତ୍ରୀ ହେବା ପରେ ଜୁନିୟର ପଦ ଗ୍ରହଣ କରିବାରେ ଫଡନାଭିସ ୫ମ ରାଜନେତା

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଗୁରୁବାର ଗଠନ ହୋଇଥିବା ସିନ୍ଦେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଥର ଶପଥ ନେଇଥିବା ବେଳେ ଗତକାଲି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ହୋଇ ସାରିବା ପରେ ପୁଣି କୌଣସି ସରକାରରେ ଏହା ଠାରୁ ଜୁନିୟର ପଦର ଦାୟିତ୍ୱ ନେବା ମାମଲାରେ ଫଡନାଭିସ ମହାରାଷ୍ଟ୍ରର ୫ମ ରାଜନେତା। ପୂର୍ବରୁ ୪ ଜଣ ରାଜନେତାଙ୍କ କ୍ଷେତ୍ରରେ ଏପରି […]

Debendra-Fadnavis

Hemant Lenka
  • Published: Friday, 01 July 2022
  • , Updated: 01 July 2022, 04:31 PM IST

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଗୁରୁବାର ଗଠନ ହୋଇଥିବା ସିନ୍ଦେ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଭାବେ କାମ କରିବେ। ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଭାବେ ଦୁଇ ଥର ଶପଥ ନେଇଥିବା ବେଳେ ଗତକାଲି ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ହୋଇ ସାରିବା ପରେ ପୁଣି କୌଣସି ସରକାରରେ ଏହା ଠାରୁ ଜୁନିୟର ପଦର ଦାୟିତ୍ୱ ନେବା ମାମଲାରେ ଫଡନାଭିସ ମହାରାଷ୍ଟ୍ରର ୫ମ ରାଜନେତା। ପୂର୍ବରୁ ୪ ଜଣ ରାଜନେତାଙ୍କ କ୍ଷେତ୍ରରେ ଏପରି ଘଟଣା ଘଟିଥିଲା।

ବିଜେପି ସମର୍ଥନରେ ଏକନାଥ ସିନ୍ଦେ ମହାରାଷ୍ଟ୍ରରେ ସରକାର ଗଠନ କରିଛନ୍ତି। ଫଡନାଭିସ ଓ ବିଜେପି ପାଖରେ ୧୦୬ ବିଧାୟକ ଥିଲେ ମଧ୍ୟ ଦଳ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇଛି। ସିନ୍ଦେ ମୁଖ୍ୟମନ୍ତ୍ରୀ ହେବେ ବୋଲି ଫଡନାଭିସ ଗୁରୁବାର ଘୋଷଣା କରିଥିଲେ। ଏଥିସହ ନିଜେ କୌଣସି ପ୍ରକାରର ସରକାରରେ ସାମିଲ ହେବେନି ବୋଲି କହିଥିଲେ। କିନ୍ତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ ପରେ ଫଡନାଭିସ ଶେଷ ମୁହୂର୍ତ୍ତରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଏବେ ଉପ ମୁଖ୍ୟମନ୍ତ୍ରୀ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଫଡନାଭିସ ୨୦୧୪ରୁ ୨୦୧୯ ଯାଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୨୦୧୯ ବିଧାନସଭା ନିର୍ବାଚନ ପରେ ଶିବସେନା ମୁଖ୍ୟମନ୍ତ୍ରୀ ପଦ ଦାବି କରି ବିଜେପି ଠାରୁ ଅଲଗା ହୋଇ ଯାଇଥିଲା।

ଏହାପରେ ଫଡନାଭିସ ରାତାରାତି ଏନସିପିର ଅଜିତ ପାୱାରଙ୍କୁ ଧରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ହେଲେ ଅଜିତ ପାୱାର ଶପଥ ନେବାର ୨୪ ଘଣ୍ଟା ଭିତରେ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ। ଫଳରେ ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ପରବର୍ତ୍ତୀ ସରକାରରେ ଜୁନିୟର ପଦ ଗ୍ରହଣ କରିବା ଭାରତୀୟ ରାଜନୀତିରେ ବେଶ ବିରଳ ଘଟଣା। କିନ୍ତୁ ମହାରାଷ୍ଟ୍ରରେ ପୂର୍ବରୁ ଏପରି ଘଟଣା ଘଟିଥିବା ବେଳେ ଏବେ ଏହାର ପୁନରାବୃତ୍ତି ହୋଇଛି।

କଂଗ୍ରେସ ନେତା ଶଙ୍କର ରାଓ ଚୌହାନ ୧୯୭୫ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ଏହି ପଦରେ ଦୁଇ ବର୍ଷ କାମ କରିବା ପରେ ବସନ୍ତଦାଦା ପାଟିଲ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୭୮ରେ ପାଟିଲଙ୍କ କ୍ୟାବିନେଟରେ ଥିବା ଶରଦ ପାୱାର ସରକାର ଭାଙ୍ଗି ନିଜେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ପାୱାରଙ୍କ ନେତୃତ୍ୱରେ ଗଠନ ହୋଇଥିବା ପ୍ରୋଗ୍ରେସିଭ ଡେମୋକ୍ରାଟିକ ଫ୍ରଣ୍ଟ ସରକାରରେ ଶଙ୍କର ରାଓ ଚୌହାନ ଅର୍ଥମନ୍ତ୍ରୀ ଦାୟିତ୍ୱ ନେଇଥିଲେ।

ଶିବାଜୀ ରାଓ ପାଟିଲ ନିଲାଙ୍ଗେକର ୧୯୮୫ ଜୁନରୁ ୧୯୮୬ ମାର୍ଚ୍ଚ ଯାଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ୨୦୦୪ରେ ସୁଶୀଲ ସିନ୍ଦେଙ୍କ ସରକାରରେ ସେ ରାଜସ୍ୱ ମନ୍ତ୍ରୀ ଭାବେ କାମ କରିଥିଲେ। ୧୯୯୯ରେ ଶିବସେନା ସହ ଥିବା ନାରାୟଣ ରାଣେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ତାଙ୍କ ସରକାର ବର୍ଷକରୁ କମ ସମୟ ଚାଲିଥିଲା। ସେ ପରବର୍ତ୍ତୀ ସମୟରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହି ସମୟରେ ସେ ବିଳାଶ ରାଓ ଦେଶମୁଖଙ୍କ ସରକାରରେ ରାଜସ୍ୱ ମନ୍ତ୍ରୀ ହୋଇଥିଲେ।

କଂଗ୍ରେସ ନେତା ଅଶୋକ ଚୌହାନ ୨୦୦୮ରୁ ୨୦୧୦ ମଧ୍ୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ। କିନ୍ତୁ ୨୦୧୯ରେ ମହାରାଷ୍ଟ୍ରରେ ଗଠନ ହୋଇଥିବା ଉଦ୍ଧବ ଠାକେରଙ୍କ ସରକାରରେ ସେ ପିଡ୍ଲ୍ୟୁଡି ମନ୍ତ୍ରୀ ଦାୟିତ୍ୱ ନେଇଥିଲେ।

Related story