ଇସଲାମାବାଦ: ପାକିସ୍ତାନରେ ଜଳପ୍ରଳୟ। ଜୁନରୁ ଏ ପର୍ଯ୍ୟନ୍ତ ହଜାରେ ଲୋକଙ୍କ ମୃତ୍ୟୁ ହେଲାଣି । ଜୁଆଡ଼େ ଦେଖିବ ଖାଲି ପାଣି । ପରିସ୍ଥିତି ଏପରି ଯେ, ହେଲିକପ୍ଟର ଓହ୍ଲାଇବାକୁ ଶୁଖିଲା ଜାଗା ମିଳୁନି । ୩୦ ବର୍ଷ ଭିତରେ ପାକିସ୍ତାନର ଏ ବର୍ଷ ସବୁଠାରୁ ଅଧିକ ବର୍ଷା ହୋଇଛି। ଏହା ଫଳରେ ଯେଉଁ ବନ୍ୟା ହୋଇଛି, ତାହା ପୁରା ଦେଶରେ ରଚାଇଛି ଧ୍ୱଂସଲୀଳା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସିନ୍ଧ ଓ ବଲୁଚିସ୍ତାନ । ପ୍ରଳୟଙ୍କରୀ ବନ୍ୟାରେ ୧୧ଶହରୁ ଧିକ ଲୋକଙ୍କ ଜୀବନ ଯାଇଛି। ବିଲିୟନ ଡଲାରର ସଂପତ୍ତି ନଷ୍ଟ ହୋଇଥିବାର ଆକଳନ କରାଯାଇଛି । ପାକିସ୍ତାନର ପାଣିପାଗ ବିଭାଗ ମନ୍ତ୍ରୀ ସେରି ରେହମାନ କହିଛନ୍ତି, କେତେକ ଜିଲ୍ଲା ତ ଲାଗୁଛି ପୁରା ମହାସାଗର ଭଳି । ଏହି ବନ୍ୟାରେ ୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଲାଗିଛି ନୌସେନା ।
ବନ୍ୟା ପ୍ରଭାବ ଯୋଗୁଁ ସେଠାରେ ଦରଦାମ ଆକାଶଛୁଆଁ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ଏତେ ବଢ଼ିଛି ଯେ ତାହା ଲୋକଙ୍କ କ୍ରୟଶକ୍ତି ବାହାରକୁ ଚାଲି ଯାଇଛି । ଲକ୍ଷ ଲକ୍ଷ ହେକ୍ଟର କପା ଚାଷ ନଷ୍ଟ ହୋଇଥିବାରୁ ଏହା ପାକିସ୍ତାନର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବାର ଆଶଙ୍କା ଅଛି। ବନ୍ୟାରେ ବୁଡିଥିବା ପାକିସ୍ତାନ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରଙ୍କୁ ଶାନ୍ତ୍ୱନା ଦେବା ସହିତ ପାକିସ୍ତାନ ଖୁବ ଶୀଘ୍ର ଏହି ବିପର୍ଯ୍ୟୟରୁ ମୁକ୍ତି ପାଉ ବୋଲି କାମନା କରିଛନ୍ତି ମୋଦି। ସେପଟେ ପାକିସ୍ତାନର ବନ୍ୟା ବିପନ୍ନଙ୍କୁ ଖାଦ୍ୟ ସହାୟତା ଦେବା ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି ରହିଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।