କାଲିଠାରୁ ସମସ୍ତଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ: କରୋନା ଭାଇରସ୍ ବିରୋଧରେ ଭାରତରେ ଟିକାକରଣର ପରବର୍ତ୍ତୀ ପର୍ଯ୍ୟାୟ ଜୁନ୍ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଆଧାରରେ କେନ୍ଦ୍ର ସରକାର ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାଗଣାରେ ଟିକାକରଣ କରାଯିବା ନେଇ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜୁନ୍ ୭ ତାରିଖରେ ରାଜ୍ୟ ଗୁଡ଼ିକୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ଠାରୁ ଟିକା ନକିଣିବାକୁ ଘୋଷଣା କରିଥିଲେ। କେନ୍ଦ୍ର ସରକାର ୭୫ ପ୍ରତିଶତ ଟିକାର କିଣିବେ ଏବଂ ଏହାକୁ ରାଜ୍ୟ ଓ […]

vaccination

Ranjit Kumar Jena
  • Published: Sunday, 20 June 2021
  • , Updated: 20 June 2021, 08:13 PM IST

ନୂଆଦିଲ୍ଲୀ: କରୋନା ଭାଇରସ୍ ବିରୋଧରେ ଭାରତରେ ଟିକାକରଣର ପରବର୍ତ୍ତୀ ପର୍ଯ୍ୟାୟ ଜୁନ୍ ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଆଧାରରେ କେନ୍ଦ୍ର ସରକାର ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ମାଗଣାରେ ଟିକାକରଣ କରାଯିବା ନେଇ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଜୁନ୍ ୭ ତାରିଖରେ ରାଜ୍ୟ ଗୁଡ଼ିକୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ଠାରୁ ଟିକା ନକିଣିବାକୁ ଘୋଷଣା କରିଥିଲେ। କେନ୍ଦ୍ର ସରକାର ୭୫ ପ୍ରତିଶତ ଟିକାର କିଣିବେ ଏବଂ ଏହାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମାଗଣାରେ ବିତରଣ କରିବେ ବୋଲି କହିଛନ୍ତି।

ଭାରତରେ ଟିକାକରଣର ପ୍ରଥମ ଅଭିଯାନ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ଏପ୍ରିଲ୍ ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏହାରି ଭିତରେ କେନ୍ଦ୍ର ସରକାର ଟିକା ନିର୍ମାତାଙ୍କ ଠାରୁ ୧୦୦% ଟିକା କିଣିଥିଲେ ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ମାଗଣାରେ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧା ଓ ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ପ୍ରାଥମିକତା ଦିଆଯାଇଥିଲା। ଏହା ପରେ ମେ' ୧ ତାରିଖରେ କେନ୍ଦ୍ର ଉଦାରବାଦୀ ନୀତି ଲାଗୁ କରିଥିଲେ ଯାହା ଅନ୍ତର୍ଗତ କେନ୍ଦ୍ର ଟିକା ନିର୍ମାତାଙ୍କଠାରୁ ୫୦ ପ୍ରତିଶତ ଟିକା କିଣିଥିଲା। ତେବେ ବାକି ୫୦ ପ୍ରତିଶତ ରାଜ୍ୟ ଓ ପ୍ରାଇଭେଟ୍ ହସ୍ପିଟାଲକୁ ପ୍ରତ୍ୟକ୍ଷ ଭାବେ ଟିକା ନିର୍ମାତାଙ୍କ ଠାରୁ କିଣିବାକୁ କହିଥିଲା।

ଟିକା କିଣା ନୀତିରେ ପରିବର୍ତ୍ତନକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ଅନେକ ରାଜ୍ୟ ଏବେ କହୁଛନ୍ତି ଯେ ସେମାନଙ୍କୁ ପାଣ୍ଠି ସଂଗ୍ରହ ଓ ଏହାର ପରିଚାଳନାରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ୁଛି। ଏହି କାରଣରୁ ଜାତୀୟ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଉପରେ ପ୍ରଭାବ ପକାଇଛି। ଏପରିକି ଛୋଟ ଏବଂ ଦୂରଦୂରାନ୍ତରେ ଥିବା ଘରୋଇ ଡାକ୍ତରଖାନା ଗୁଡ଼ିକୁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଏହାରି ଭିତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରବିବାର କହିଛି ଯେ ରାଜ୍ୟ ଓ କେନ୍ଦ୍ର ଶାସିକ ଅଞ୍ଚଳ ପାଖରେ ୩.୦୬ କୋଟିରୁ ଅଧିକ କୋଭିଡ୍-୧୯ ଟିକା ମହଜୁଦ୍ ରହିଛି। ସେମାନଙ୍କୁ ଆଗାମୀ ତିନି ଦିନ ଭିତରେ ୨୪.୫୩ ଲକ୍ଷରୁ ଅଧିକ ଟିକା ମିଳିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି।

ସୂଚନାଯୋଗ୍ୟ, ରବିବାର ଆସିଥିବା ରିପୋର୍ଟ ମୁତାବକ, ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ଭାରତ ସରକାର ଏପର୍ଯ୍ୟନ୍ତ ୨୯,୧୦,୫୪,୦୫୦ରୁ ଅଧିକ ଟିକା ମାଗଣାରେ ଯୋଇ ଦେଇଛନ୍ତି। ଏଥିରୁ ୨୬ କୋଟିରୁ ଅଧିକ ଟିକାକରଣ କରାଯାଇଛି। ଏହିପରି ଭାବେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଖରେ ୩,୦୬,୩୪,୬୩୮ ଟିକା ମହଜୁଦ୍ ରହିଛି।

Related story