ଓଡ଼ିଶାର ମହାବାତ୍ୟା ଦେଖି କାନ୍ଦିଥିଲେ ଆଜାଦ, ଲୁଲୁ ମହାପାତ୍ରଙ୍କ କଥା ବି କହିଲେ

ନୂଆଦିଲ୍ଲୀ: ରାଜ୍ୟସଭାରେ ନିଜର ଅବସରକାଳୀନ ଭାଷଣ ଦେବା ବେଳେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ୧୯୯୯ ମସିହା ମହାବାତ୍ୟା କଥା ଉଠାଇଛନ୍ତି। ନିଜ କ୍ୟାନସର ପୀଡ଼ିତ ବାପାଙ୍କୁ ଛାଡ଼ି ସେ ମହାବାତ୍ୟା ବେଳେ ଓଡ଼ିଶାବାସୀଙ୍କୁ ସହଯୋଗ କରିବାକୁ କେମିତି ଆଗେଇ ଆସିଥିଲେ ସେକଥା କହିଛନ୍ତି। ଏଥିସହ ମହାବାତ୍ୟାର ଦୃଶ୍ୟ ଦେଖି ସେ ଚିତ୍କାର କରି କାନ୍ଦି ଥିଲେ। କଂଗ୍ରେସର ଦିବଂଗତ ନେତା ଲୁଲୁ ମହାପାତ୍ରଙ୍କ ସ୍ମୃତି ମଧ୍ୟ ଶ୍ରୀ ଆଜାଦ ଗୃହରେ ଉପସ୍ଥାପନ କରିଛନ୍ତି। […]

Ghulam

Hemant Lenka
  • Published: Tuesday, 09 February 2021
  • , Updated: 09 February 2021, 05:20 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ନିଜର ଅବସରକାଳୀନ ଭାଷଣ ଦେବା ବେଳେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ୧୯୯୯ ମସିହା ମହାବାତ୍ୟା କଥା ଉଠାଇଛନ୍ତି। ନିଜ କ୍ୟାନସର ପୀଡ଼ିତ ବାପାଙ୍କୁ ଛାଡ଼ି ସେ ମହାବାତ୍ୟା ବେଳେ ଓଡ଼ିଶାବାସୀଙ୍କୁ ସହଯୋଗ କରିବାକୁ କେମିତି ଆଗେଇ ଆସିଥିଲେ ସେକଥା କହିଛନ୍ତି।

ଏଥିସହ ମହାବାତ୍ୟାର ଦୃଶ୍ୟ ଦେଖି ସେ ଚିତ୍କାର କରି କାନ୍ଦି ଥିଲେ। କଂଗ୍ରେସର ଦିବଂଗତ ନେତା ଲୁଲୁ ମହାପାତ୍ରଙ୍କ ସ୍ମୃତି ମଧ୍ୟ ଶ୍ରୀ ଆଜାଦ ଗୃହରେ ଉପସ୍ଥାପନ କରିଛନ୍ତି।

ସେ କହିଛନ୍ତି, ମୋ ଜୀବନରେ ମୁଁ ୫ଥର ଚିତ୍କାର କରି କାନ୍ଦିଛି। ସେଥି ମଧ୍ୟରୁ ଗୋଟିଏ ହେଲା ୧୯୯୯ ମସିହାରେ ଓଡ଼ିଶାରେ ଦେଖା ଦେଇଥିବା ମହାବାତ୍ୟା ବା ସୁନାମୀ। ଘଟଣା ଦିନ ମୁଁ ମୋ ବାପାଙ୍କୁ ହସ୍ପିଟାଲରୁ ଆଣି ଘରେ ପହଞ୍ଚିଥିଲି। ମୋ ବାପା କ୍ୟାନସରରେ ପୀଡ଼ିତ ଥିବାରୁ ତାଙ୍କ ପାଖରେ ୨୧ ଦିନର ସମୟ ଥିଲା।

ଏହି ଶେଷ ସମୟରେ ମୁଁ ମୋ ବାପାଙ୍କ ପାଖରେ ରହିବାକୁ ଚାହୁଁଥିଲି। ହେଲେ ଓଡ଼ିଶାର ମହାବାତ୍ୟା ଘଟଣା ଶୁଣି ଶ୍ରୀମତୀ ଗାନ୍ଧି(ସୋନିଆ ଗାନ୍ଧି) ମୋତେ ଫୋନ କରିଥିଲେ। ତୁରନ୍ତ ଓଡ଼ିଶା ଯିବାକୁ ସେ କହିଥିଲେ। ତାଙ୍କ କଥା ରଖି ବାପାଙ୍କୁ ପଛରେ ପକାଇ ମୁଁ ଓଡ଼ିଶା ଆସିଥିଲି। ତାଙ୍କୁ କହିଥିଲି ଯେ ମୁଁ ଦୁଇ ଦିନରେ ଫେରି ଆସିବି। ଏହି ଘଟଣାର ସାକ୍ଷୀ ଲଲୁ ରହିଥିଲା। ସେ ତ ଆଉ ଏ ଦୁନିଆରେ ନାହିଁ। ସେ ଆମ କଂଗ୍ରେସ ଯୁବ ନେତା ଥିଲା। ଓଡ଼ିଶାର ଘରେ ଘରେ ସେ ଆଜି ବି ପରିଚିତ।

ଓଡ଼ିଶାର ଏୟାରପୋର୍ଟରେ ମୁଁ ଯେତେବେଳେ ପହଞ୍ଚିଲି, ସେଠାରେ ଏକ ହଜାର ଯୁବ କଂଗ୍ରେସ ସଦସ୍ୟ ଥିଲେ। ସେମାନେ ମୋତେ କହିଥିଲେ ଯେ ପାଦରେ ଚାଲିଚାଲି ଯିବାକୁ ପଡ଼ିବ। କାରଣ ରାସ୍ତାରେ ଗଛ ପଡ଼ିଥିଲା ଓ ସହରରେ ପାଣି ପଶି ଯାଇଥିଲା। ଏହି କାରଣରୁ ୧୦ରୁ ୧୨ କିମି ଆମକୁ ଚାଲିଚାଲି ଯିବାକୁ ପଡ଼ିଥିଲା।

ଏହି ସମୟରେ ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ କେହି ବି ନଥିଲେ। ମୁଖ୍ୟମନ୍ତ୍ରୀ କେଉଁ ଆଡ଼େ ଚାଲି ଯାଇଥିଲେ, ସେକଥା କେହି ବି ଜାଣି ନଥିଲେ। ପୁଲିସ୍ ସହାୟତାରେ ପ୍ରଭାବିତ ଲୋକଙ୍କ ପାଇଁ ଆମେ ଦୋକାନ ଭାଙ୍ଗି ସାମଗ୍ରୀ ନେଇଥିଲୁ। ସେମାନଙ୍କର ଲିଷ୍ଟ ମଧ୍ୟ ପଛରେ ଟଙ୍କା ଦେବାକୁ ପ୍ରସ୍ତୁତ କରିଥିଲୁ।

ଆମେ ବଡ଼ବଡ଼ ହତିଆର ନେଇ ଜଙ୍ଗଲ କାଟି ରାସ୍ତା ବାହାର କରିବାକୁ ଚେଷ୍ଟା କରିଥିଲୁ। ୩ଦିନ ଓ ୩ ରାତି ୧୦୦୦ କଂଗ୍ରେସ କର୍ମୀଙ୍କୁ ନେଇ ଏହି କାମ ଜାରି ରହିଥିଲା। ରାସ୍ତା ସମୁଦ୍ର ଯାଏ ମିଳିବା ପରେ ସେତେବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଯୋଗାଯୋଗ କରି ଲୋକଙ୍କ ପାଇଁ କେମିତି ରାସନ ଯୋଗାଇ ଦିଆଯିବ, ତା’ର ବ୍ୟବସ୍ଥା କରିବାକୁ କହିଥିଲି।

ସେ ମଧ୍ୟ ସ୍ଥିତି ସମୀକ୍ଷା କରିବାକୁ ହେଲିକପ୍ଟର୍‌ରେ ଆସିଥିଲେ। ଅଟଳଜୀଙ୍କ ପରେ ମୁଁ ସ୍ଥିତି ସମ୍ପର୍କରେ ସୋନିଆ ଗାନ୍ଧିଙ୍କୁ କହିଥିଲି। ଆମେ ଯେତେବେଳେ ସମୁଦ୍ର କୂଳରେ ପହଞ୍ଚିଲୁ, ସେଠାକାର ସ୍ଥିତି ଦେଖି ସ୍ତମ୍ଭୀଭୂତ ହୋଇଯାଇଥିଲୁ। ଶହଶହ ମୃତଦେହ ପାଣିରେ ଭାସୁଥିଲା। ସେ ଦୃଶ୍ୟ ଦେଖି ମୁଁ ୪ର୍ଥ ଥର ପାଇଁ ଚିତ୍କାର କରି କାନ୍ଦିଥିଲି। ଏହାପୂର୍ବରୁ ସଞ୍ଜୟ ଗାନ୍ଧି, ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ମୃତ୍ୟୁବେଳେ ମୁଁ ଚିତ୍କାର କରି କାନ୍ଦିଥିଲି ବୋଲି ସେ କହିଛନ୍ତି।

Related story