ଗାନ୍ଧୀନଗର: ଆସନ୍ତା ୫ ବର୍ଷରେ ୨୦ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବ। ୧ଲକ୍ଷ ମହିଳାଙ୍କୁ ବି ମିଳିବ ରୋଜଗାର। ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ସଂକଳ୍ପ ପତ୍ର ଜାରି କରି ଏଭଳି ପ୍ରତିଶ୍ରୁତି ଦେଇଛି ବିଜେପି । ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା କହିଛନ୍ତି, ଗୁଜରାଟରେ ଦୁଇଟି ସିଫୁଡ୍ ପାର୍କ ପ୍ରତିଷ୍ଠା କରାଯିବ। ଏଥିରେ ବ୍ୟାପକ ନିଯୁକ୍ତି ସୁଯୋଗ ମିଳିବ।
ଛାତ୍ରୀଙ୍କୁ ମାଗଣାରେ ଇଲେକ୍ଟ୍ରିକ୍ ସ୍କୁଟି ଦିଆଯିବ। ଜଳସେଚନ ପାଇଁ ୨୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବା ସହ ୟୁସିସି କମିଟି ପ୍ରସ୍ତାବକୁ ଲାଗୁ କରାଯିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି। ଦଳର ନିର୍ବାଚନୀ ସଂକଳ୍ପ ପତ୍ର ଜାରି କରାଯିବା ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଗୁଜରାଟ ବିଜେପି ସଭାପତି ସିଆର ପାଟିଲ ଉପସ୍ଥିତ ଥିଲେ।
ସମ୍ବିଧାନ ହି ଆମର ସବୁଠୁ ବଡ ଧର୍ମ। ସମ୍ବିଧାନକୁ ମାନି ଚାଲିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ଦର୍ଶାଇଛନ୍ତି ନଡ୍ଡା। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିଛି। ବିକାଶର ଗଙ୍ଗୋତ୍ରୀ ହେଉଛି ଗୁଜରାଟ। ନୂଆ ସଂକଳ୍ପ ସହ ଦଳ ନିଜକୁ ପୁନଃସ୍ଥାପିତ କରିବା ସହ ଆଗକୁ ବଢୁଛି ବୋଲି କହିଛନ୍ତି ନଡ୍ଡା।
ଗୁଜରାଟରେ ୨୭ବର୍ଷ ହେଲା କ୍ଷମତାରେ ରହିଛି ବିଜେପି। ଏଥର ସରକାର ବିରୋଧୀ ଜନମତ ଅଧିକ ଥିବା ଆଶଙ୍କା କରୁଛି ଦଳ। ନିର୍ବାଚନୀ ମୈଦାନରେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିର ଲଢୁଆ ମନୋବୃତ୍ତିକୁ ନେଇ ଦଳର ଏହି ଆଶଙ୍କା ଅଧିକ ବଢିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ବାରମ୍ବାର ଗୁଜରାଟ ଆସି ପ୍ରଚାର କରୁଛନ୍ତି। ଏଭଳି ସ୍ଥିତିରେ ଗୁରୁତ୍ୱର ସହ ଦଳ ନିର୍ବାଚନୀ ସଂକଳ୍ପ ପତ୍ର ପ୍ରସ୍ତୁତ କରିଛି।
ପୂର୍ବରୁ କଂଗ୍ରେସ ଏବଂ ଆପ୍ ନିଜ ନିଜ ନିର୍ବାଚନୀ ସଂକଳ୍ପ ପତ୍ର ପ୍ରକାଶ କରିସାରିଛନ୍ତି । ତେବେ ଦଳର ନିର୍ବାଚନୀ ଇସ୍ତାହାର ପାଇଁ ଲୋକଙ୍କ ଠାରୁ ପରାମର୍ଶ ଲୋଡିଥିଲା ବିଜେପି। ଏଥିପାଇଁ ଦଳ ପକ୍ଷରୁ ଜୋରଦାର ଅଭିଯାନ ଜାରି ରହିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।