ନୂଆଦିଲ୍ଲୀ: କୃଷି ଆଇନ୍ ପ୍ରତ୍ୟାହାର ପରେ ପ୍ରତିକ୍ରିୟା ରଖିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ। ସେ କହିଛନ୍ତି ଯେ, ବିଜେପି ସହ ମେଣ୍ଟ ପାଇଁ ସେ ଗୋଟିଏ ସର୍ତ୍ତ ରଖିଥିଲେ। ତାହା ହେଉଛି କୃଷି ଆଇନ୍ ପ୍ରତ୍ୟାହାର। ଏବେ ତାଙ୍କ ଦାବି ଏକ ପ୍ରକାର ପୂରଣ ହୋଇଛି। ତେଣୁ ବିଜେପି ସହ ମେଣ୍ଟ ପାଇଁ କଥା ଆଗକୁ ବଢ଼ିବ ବୋଲି ଅମରିନ୍ଦର ଆଶା ରଖିଛନ୍ତି। ଏନେଇ ସେ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ମେଣ୍ଟ ସମ୍ପର୍କରେ ଆଲୋଚନା କରିସାରିଛନ୍ତି । ଏବେ ବିଜେପି ତାଙ୍କ ସହ ସହମତି ହେବ ବୋଲି ସେ କହିଛନ୍ତି। ତେଣୁ ଖୁବ୍ଶୀଘ୍ର ନୂଆ ଦଳ ସମ୍ପର୍କରେ ଘୋଷଣା କରିପାରନ୍ତି ଅମରିନ୍ଦର।
ପୂର୍ବରୁ ତିନିଟି କୃଷି ଆଇନ ଉପରେ କୃଷକଙ୍କ ସ୍ୱାର୍ଥରେ ସମାଧାନ ହେଲେ ୨୦୨୨ ମସିହାରେ ବିଜେପି ସହିତ ଆସନ ବାଣ୍ଟିବା ଚୁକ୍ତିରେ ସହମତ ବୋଲି ପ୍ରକାଶ କରିଥିଲେ । ପଞ୍ଜାବ ବିଧାନସଭା ନିର୍ବାଚନ କିଛି ମାସ ଥିବା ବେଳେ ଏବେଠାରୁ ରାଜନୀତି ସରଗରମ ହେଲାଣି। ସମାନ ବିଚାରଧାରାର ଦଳ ସହ ମେଣ୍ଟ କରିବାକୁ ଚିନ୍ତା କରୁଥବା କହିଛନ୍ତି ଅମରିନ୍ଦର ସିଂ । ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ ହୋଇଥିବା କ୍ୟାପଟେନ୍ ନିଜ ଲୋକ ଏବଂ ରାଜ୍ୟର ଭବିଷ୍ୟତ ସୁରକ୍ଷିତ ନହେବା ପର୍ଯ୍ୟନ୍ତ ବିଶ୍ରାମ ନେବେ ନାହିଁ ବୋଲି ସ୍ପଷ୍ଟୋକ୍ତି କରିଛନ୍ତି ।
ସୂଚନାଯୋଗ୍ୟ ସେପ୍ଟେମ୍ବର ୧୮ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର ସିଂହ । ଦୀର୍ଘ ଦିନ ଧରି ପଞ୍ଚାବ କଂଗ୍ରେସରେ କନ୍ଦଳ ବଢ଼ିବାରେ ଲାଗିଥିଲା । ଦଳୀୟ ଅନ୍ତଃକନ୍ଦଳରେ ଅତିଷ୍ଠ ହୋଇ ଇସ୍ତଫା ଦେଇଥିଲେ । ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ମନୋମାଳିନ୍ୟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ସହିତ ଦଳ ଛାଡ଼ି ଏକ ନୂଆ ଦଳ ଗଠନ କରିବା ସଂପର୍କରେ ସେ ସଂକେତ ଦେଇଥିଲେ । ଦଳରେ ତାଙ୍କୁ ଅପମାନିତ କରାଯାଇଛି ବୋଲି ସେ ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଥିଲେ । ତାଙ୍କ ଇସ୍ତଫା ପରେ କଂଗ୍ରେସ ପକ୍ଷରୁ ଚରନଜିତ ସିଂ ଚନ୍ନିଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରାଯାଇଥିଲା ।