ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବିଭିନ୍ନ ରାଜ୍ୟ ସରକାର ସ୍କୁଲ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ସ୍କୁଲ୍ ଖୋଲିବା ତୁଳନାରେ ନଖୋଲିବା ହେଉଛି ଅଧିକ ବିପଜ୍ଜନକ। ସ୍କୁଲ୍ ନଖୋଲିବା ଦ୍ୱାରା ନା କେବଳ ପରିବାର ଭିତରର ବାତାବରଣ ଖରାପ ହେଉଛି ବରଂ ପିଲାମାନଙ୍କର ଘରୋଇ କାମରେ ଭାଗିଦାରୀ ମଧ୍ୟ ବଢ଼ୁଛି। ଯାହାଦ୍ୱାରା ପିଲାମାନେ ପାଠପଢ଼ାରୁ ଧୀରେ ଧୀରେ ଦୂରେଇ ଯାଉଛନ୍ତି। ବିନୟ ପି. ସହସ୍ରବୁଦ୍ଧେଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଶିକ୍ଷା, ମହିଳା, ଯୁବବର୍ଗ, ପିଲା ଏବଂ ଖେଳକୁ ନେଇ ଗଠିତ ସଂସଦର ସ୍ଥାନୀୟ କମିଟି ତା’ର ରିପୋର୍ଟରେ ଦର୍ଶାଇଛି।
ରିପୋର୍ଟରେ କୁହାଯାଇଛି ଯେ ବର୍ଷକରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ହେବା ଦ୍ୱାରା ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ବଡ଼ ପିଲାମାନେ ଲଗାତର ଘରର ଚାରିକାନ୍ଥ ଭିତରେ ରହିବା ଦ୍ୱାରା ମାତାପିତାଙ୍କ ସହ ସେମାନଙ୍କର ସମ୍ପର୍କୀୟଙ୍କ ଉପରେ ମଧ୍ୟ ପ୍ରଭାବ ପକାଉଛି। ଏପରିକି ମାତାପିତା ଓ ପିଲାଙ୍କ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ତେବେ ଏହାର ଅଧିକ ପ୍ରଭାବ ଝିଅମାନଙ୍କ ଉପରେ ପଡୁଛି। କାରଣ ଏବେ ଝିଅମାନଙ୍କୁ କମ୍ ବୟସରେ ବିବାହ କରିଦିଆଯାଉଛି, ନଚେତ ତାଙ୍କ ଉପରେ ଘର କାମର ଦାୟିତ୍ୱ ବଢ଼ିଯାଉଛି। ଏହାଦ୍ୱାରା ଝିଅମାନଙ୍କ ପାଠପଢ଼ା ସବୁଦିନ ପାଇଁ ଶେଷ ହୋଇଯାଉଛି କିମ୍ବା ତାଙ୍କର ପାଠପଢ଼ା ଦୁର୍ବଳ ହେଉଛି। ସାଧାରଣତଃ ଏହା ମଧ୍ୟବର୍ଗୀୟ ଏବଂ ଗରିବୀ ସୀମାରେଖା ତଳେ ରହୁଥିବା ପରିବାରରେ ଅଧିକ ଦେଖିବାକୁ ମିଳୁଛି। ଏଥିପାଇଁ ସ୍କୁଲକୁ ଖୋଲିବା ଉପରେ ଧ୍ୟାନ ଦେବା ଜରୁରୀ।
ବିନୟ ପି. ସହସ୍ରବୁଦ୍ଧେଙ୍କ ନେତୃତ୍ୱରେ ଚଳିତ ସପ୍ତାହରେ ଶିକ୍ଷା, ମହିଳା, ପିଲା, ଯୁବବର୍ଗ ଓ କ୍ରୀଡ଼ା ସମ୍ବନ୍ଧିତ ସଂସଦୀୟ ସ୍ଥାୟୀ କମିଟି ତା’ର ରିପୋର୍ଟ ସଂସଦରେ ପୈଠ କରିଛି। ଏହି ରିପୋର୍ଟରେ ସ୍କୁଲ୍ ଲକଡାଉନ୍ କାରଣରୁ ପିଲାଙ୍କ ଶିଖିବାର ଅଭାବକୁ ଦୂର କରିବାର ଯୋଜନା ସହ ଅନଲାଇନ୍ ଓ ଅଫଲାଇନ୍ ନିର୍ଦ୍ଦେଶ ଓ ପରୀକ୍ଷାର ସମୀକ୍ଷା ଓ ସ୍କୁଲକୁ ପୁଣି ଖୋଲିବା ନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା ଉଲ୍ଲେଖ ହୋଇଛି। ଏହାସହ ପ୍ୟାନେଲ୍ ସୁପାରିସ୍ କରି କହିଛି ଯେ ଏହି ମାମଲାର ଗଭୀରତାକୁ ଅଣଦେଖା କରାଯାଇପାରିବ ନାହିଁ ଏବଂ ସ୍କୁଲକୁ ଖୋଲିବା ପାଇଁ ସନ୍ତୁଳିତ ତର୍କପୂର୍ଣ୍ଣ ଦୃଷ୍ଟିକୋଣ ଆପଣାଇବା ଦରକାର।
ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଚୁକ୍ତିପ୍ରାପ୍ତ କର୍ମଚାରୀଙ୍କ ପାଇଁ ଭ୍ୟାକସିନ୍ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବାକୁ ପଡ଼ିବ, ଯଦ୍ଦ୍ୱାରା ସ୍କୁଲକୁ ଯଥା ଶୀଘ୍ର ସ୍ୱାଭାବିକ କରାଯାଇପାରିବ। ଏଥିରେ ଶାରୀରିକ ଦୂରତାର ପାଳନ କରାଯିବା ଓ ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସ୍ପର୍ଶକୁ କମ କରିବା ପାଇଁ ବିକଳ୍ପ ଦିନ କିମ୍ବା ଦୁଇଟି ପାଳିରେ ଶ୍ରେଣୀଗୃହର ଆୟୋଜନ କରିବା ନେଇ ଗୁରୁତ୍ୱ ଦିଆଯାଇଛି। ପିଲାଙ୍କ ଉପସ୍ଥିତି ସମୟରେ ନିୟମିତ ଭାବେ ଥର୍ମାଲ୍ ସ୍କ୍ରିନିଂ ଓ କୌଣସି ସଂକ୍ରମିତ ଛାତ୍ରଛାତ୍ରୀ, ଶିକ୍ଷକ କିମ୍ବା କର୍ମଚାରୀଙ୍କୁ ତୁରନ୍ତ ଖୋଜି ବାହାର କରିବା ଏବଂ ସେମାନଙ୍କୁ ଅଲଗା ରଖିବା ସହ ନିୟମିତ ଭାବେ ଆରଟି-ପିସିଆର୍ ଟେଷ୍ଟ କରାଇବା ଆଦି ଏହି ରିପୋର୍ଟରେ ସାମିଲ୍ ଅଛି।
ପ୍ୟାନେଲର ସୁପାରିସରେ ପ୍ରତି ସ୍କୁଲରେ କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ତାଲିମପ୍ରାପ୍ତ କର୍ମଚାରୀଙ୍କ ସହ ଅତି କମରେ ଦୁଇଟି ଅକ୍ସିଜେନ୍ କନସେନଟ୍ରେଟର୍ ରହିବା ନିହାତି ଦରକାର ଏବଂ ପ୍ରାଥମିକ ଚିକିତ୍ସା ବ୍ୟତୀତ ବାହ୍ୟ ଚିକିତ୍ସା ସହାୟତାର ଉପଲବ୍ଧତା ପ୍ରଦାନ କରିବାକୁ ପଡ଼ିବ। ପ୍ୟାନେଲ୍ କହିଛି ଯେ ସ୍ୱଚ୍ଛତା ଓ କୋଭିଡ୍ ପ୍ରୋଟୋକଲ କଡ଼ାକଡ଼ି ପାଳନ ହେଉଛି ନା ନାହିଁ, ତାକୁ ସୁନିଶ୍ଚିତ କରିବା ପାଇଁ ସ୍ୱାସ୍ଥ୍ୟ ନୀରିକ୍ଷକ ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ସ୍କୁଲକୁ ବାରମ୍ବାର ନୀରିକ୍ଷଣ କରାଇଯାଇପାରେ। ସ୍କୁଲ୍ ଖୋଲିବା ପାଇଁ ବିଭିନ୍ନ ଦେଶରେ ଗ୍ରହଣ କରାଯାଉଥିବା ସର୍ବୋତ୍ତମ ପ୍ରଥାର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇପାରେ ଏବଂ ନିଷ୍ପତ୍ତି ନେବା ସମୟରେ ଏହାକୁ ବିଚାରକୁ ନିଆଯାଇପାରେ।