କୋଲକାତା: ଆଜିଠାରୁ ପଶ୍ଚିମବଙ୍ଗ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ବିଧାନସଭାରେ ରାଜନୀତିକ ବୟାନବାଜୀ ଦେଖିବାକୁ ମିଳିଛି। ବିଜେପି ବିଧାୟକମାନେ ନିୟମିତ ଭାବେ ଗୃହରେ ନାରାବାଜୀ କରିବାରୁ ରାଜ୍ୟପାଳ ଜଗଦୀପ ଧାନକର ଠିକ୍ ଭାବେ ତାଙ୍କ ଭାଷଣ ଦେଇପାରିନାହାନ୍ତି। ନାରାବାଜୀ ଯୋଗୁ ସେ ନିଜ ଭାଷଣକୁ କାଟଛାଣ୍ଟ କରି ଶେଷ କରିଛନ୍ତି।
ବେଙ୍ଗଲରେ ଦେଖା ଦେଇଥିବା ନିର୍ବାଚନୀ ପରବର୍ତ୍ତୀ ହିଂସା ପାଇଁ ଶାସକ ଟିଏମସିକୁ ବିଜେପି ବିଧାୟକମାନେ ଦାୟୀ କରି ନାରା ଦେଇଥିଲେ। ଏହାପରେ ସେମାନେ ‘ଜୟ ଶ୍ରୀରାମ’ ନାରା ଦେଇ କକ୍ଷତ୍ୟାଗ କରିଥିଲେ। କକ୍ଷତ୍ୟାଗ କରିବା ପରେ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି, “ନିର୍ବାଚନୀ ପରବର୍ତ୍ତୀ ହିଂସା ଗୋଟିଏ ବଡ଼ ପ୍ରସଙ୍ଗ। ସବୁ କିଛି ଶେଷ ହେବା ଯାଏ ଏହି ଲଢ଼େଇ ଚାଲିବ।”
ସୂଚନାଯୋଗ୍ୟ, ନବ ଗଠିତ ମମତା ବାନାର୍ଜୀ ସରକାରଙ୍କ ଏହା ପ୍ରଥମ ବିଧାନସଭା ଅଧିବେଶନ। ଜୁଲାଇ ୮ ତାରିଖ ଯାଏ ଏହି ଅଧିବେଶନ ଚାଲିବ। ଜୁଲାଇ ୭ରେ ରାଜ୍ୟର ବଜେଟ ବିଧାନସଭାରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧାନକରଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ମଧ୍ୟ ଅଧିବେଶନ ସମୟରେ ଉଠିବ। ମମତା ସରକାର ରାଜ୍ୟପାଳଙ୍କୁ ବିଦା କରିବା ପାଇଁ ଗୃହରେ ସଂକଳ୍ପ ଆଣିବାର ସମ୍ଭାବନା ମଧ୍ୟ ରହିଛି।
ଅନ୍ୟପକ୍ଷରେ ଆଜି କ୍ୟାଲକାଟା ହାଇକୋର୍ଟ ରାଜ୍ୟ ପୁଲିସ୍କୁ ନିର୍ବାଚନୀ ପରବର୍ତ୍ତୀ ହିଂସା ସହ ଜଡ଼ିତ ସମସ୍ତ ଘଟଣାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ୫ ଜଣିଆ ଖଣ୍ଡପୀଠ ହିଂସାରେ ଆହତ ଲୋକମାନଙ୍କୁ ସମସ୍ତ ମେଡିକାଲ ସୁବିଧା ଓ ପ୍ରଭାବିତ ଲୋକଙ୍କୁ ରାସନ ଯୋଗାଇବାର ବ୍ୟବସ୍ଥା କରିବାକୁ ସରକାରଙ୍କୁ କହିଛନ୍ତି। ଯେଉଁମାନଙ୍କର ରାସନ କାର୍ଡ ନାହିଁ ସେମାନଙ୍କୁ ମଧ୍ୟ ରାସନ ଠିକ୍ ଭାବେ ଯୋଗାଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହାବାଦ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ କୋର୍ଟ ନିର୍ବାଚନୀ ପରବର୍ତ୍ତୀ ହିଂସାର ସମସ୍ତ ଫାଇଲକୁ ସଂରକ୍ଷିତ ରଖିବାକୁ ମଧ୍ୟ କହିଛନ୍ତି। ଜୁଲାଇ ୧୩ ଯାଏ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ଘଟଣାର ତଦନ୍ତ କରାଯିବ ଓ ଜୁଲାଇ ୧୩ରେ ହିଁ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।