ନୂଆଦିଲ୍ଲୀ: କହ୍ନେୟା କୁମାର ଆଜି କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ଅଛି। ତେବେ ତା’ପୂର୍ବରୁ ସେ ବିହାରର ରାଜଧାନୀ ପାଟନାରେ ସିପିଆଇ ରାଜ୍ୟ ଶାଖା କାର୍ଯ୍ୟାଳୟରେ ଲଗାଇଥିବା ଏସିକୁ ଖୋଲି ନେଇ ଯାଇଛନ୍ତି। ସିପିଆଇର ବିହାର ଶାଖାର ସଂପାଦକ ରାମ ନରେଶ ପାଣ୍ଡେ ଏହି କଥା କହିଛନ୍ତି।
ସେ କହିଛନ୍ତି, କିଛି ଦିନ ତଳେ କହ୍ନେୟା କୁମାର ଏସି ଖୋଲି ନେଇ ଯାଇଥିଲେ। ମୁଁ ବି ଏଥିପାଇଁ ଅନୁମତି ଦେଇଥିଲି। କାରଣ ସେ ନିଜ ଅର୍ଥରେ ଏହି ଏସି ଲଗାଇଥିଲେ।
ଶ୍ରୀ ପାଣ୍ଡେ କହିଛନ୍ତି, କହ୍ନେୟା କଂଗ୍ରେସରେ ଯୋଗ ଦେବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି, ସେଥିରୁ ଓହରି ଆସିଲେ ଭଲ ହୁଅନ୍ତା। ସେପ୍ଟେମ୍ବର ୪ ଓ ୫ ତାରିଖରେ ସିପିଆଇର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସେ ଯୋଗ ଦେଇଥିଲେ। କିନ୍ତୁ ସେଠାରେ ସେ ଦଳ ଛାଡ଼ିବା ନେଇ କିଛି ଆଭାସ ଦେଇ ନଥିଲେ। ତା’ସହିତ ଦଳୀୟ ନେତୃବୃନ୍ଦଙ୍କ ନିକଟରେ ପଦପଦବୀ ବା ଅନ୍ୟ କୌଣସି ଦାବି ଉପସ୍ଥାପନ କରି ନଥିଲେ।
କହ୍ନେୟା କୁମାରଙ୍କ ସହିତ ଗୁଜରାଟର ରାଷ୍ଟ୍ରୀୟ ଦଳିତ ଅଧିକାର ମଞ୍ଚ ବିଧାୟକ ଜିଗ୍ନେଶ ମୱାନି ଆଜି କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।