କୋଲାକାତା: ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏବେଠାରୁ ଆକଳନ ଓ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିର ସାଂସଦ ଅପରୂପା ପୋଦ୍ଦାର ସମସ୍ତଙ୍କୁ ଚକିତ କରିବା ଭଳି ବୟାନ ଦେଇଛନ୍ତି। ଦିନକ ପୂର୍ବରୁ ଟିଏମସିର ମୁଖପାତ୍ର କୁନାଲ ଘୋଷ ଟ୍ୱିଟରରେ କହିଥିଲେ ଯେ ଅଭିଷେକ ବାନାର୍ଜୀ ୨୦୩୬ରେ ବେଙ୍ଗଲର ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ସାଂସଦ ପୋଦ୍ଦାର ଏପରି ଟ୍ୱିଟକୁ କାଉଣ୍ଟର କରିବାକୁ ଚେଷ୍ଟା କରିଛନ୍ତି।
ସାଂସଦ ଅପରୂପା ପୋଦ୍ଦାର ଟ୍ୱିଟ କରି କହିଛନ୍ତି, “୨୦୨୪ରେ ମମତା ବାନାର୍ଜୀଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଆରଏସଏସ୍ ଦ୍ୱାରା ଚୟନ ହୋଇଥିବା ଜଣେ ରାଷ୍ଟ୍ରପତି ଶପଥ ପାଠ କରାଇବେ। ଅଭିଷେକ ବାନାର୍ଜୀ ବେଙ୍ଗଲର ମୁଖ୍ୟମନ୍ତ୍ରୀ ହେବେ।” ତେବେ ଏପରି ଟ୍ୱିଟକୁ ଶ୍ରୀମତୀ ପୋଦ୍ଦାର ମାତ୍ର ଘଣ୍ଟାଏ ମଧ୍ୟରେ ଡିଲିଟ କରିଦେଇଛନ୍ତି। କିନ୍ତୁ ଅନେକ ଲୋକ ଏହାର ସ୍କ୍ରିନ ଶଟ୍ ରଖି ନେଇଛନ୍ତି।
ବେଙ୍ଗଲରେ କ୍ଷମତା ଦଖଲ କରିବାର ବର୍ଷପୂର୍ତ୍ତି ଅବସରରେ କୁନାଲ ଘୋଷ ମେ’ ୨ରେ ଟ୍ୱିଟ କରିଥିଲେ। ଏଥିରେ ସେ କହିଥିଲେ, “ତୃଣମୂଳ କଂଗ୍ରେସର ଜଣେ ସୈନିକ ହିସାବରେ ମୁଁ କହି ପାରିବି ଯେ ମମତା ବାନାର୍ଜୀ ୨୦୩୬ ଯାଏ ବେଙ୍ଗଲର ମୁଖ୍ୟମନ୍ତ୍ରୀ ପଦରେ ରହିବେ। ୨୦୩୬ରେ ସେ ଜଣେ ଅଭିଭାବକ ହିସାବରେ ଉପସ୍ଥିତ ରହିବେ ଓ ଏହି ସମୟରେ ଅଭିଷେକ ବାନାର୍ଜୀ ବେଙ୍ଗଲର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ମମତା ବାନାର୍ଜୀ ସମଗ୍ର ଦେଶରେ ରେକର୍ଡ କରିବେ। ସବୁଠାରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହିଥିବା ଜ୍ୟୋତି ବସୁଙ୍କ ରେକର୍ଡ ମଧ୍ୟ ସେ ଭାଙ୍ଗିବେ।”