ସଡ଼କ ଦୁର୍ଘଟଣା ନୁହେଁ, ୨ କୋଟିର ବୀମା ଟଙ୍କା ପାଇଁ ସ୍ତ୍ରୀଙ୍କୁ ମାରିଛି ସ୍ୱାମୀ

ଜୟପୁର: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗୋଟିଏ ସଡ଼କ ଦୁର୍ଘଟଣାର ତଦନ୍ତ କରିବା ବେଳେ ପୁଲିସ୍‌ ହାତରେ ଲାଗିଛି ସାଂଘାତିକ ତଥ୍ୟ। ପ୍ରଥମେ ପୁଲିସ୍‌ ଯାହାକୁ ସଡ଼କ ଦୁର୍ଘଟଣାର କେସ ବୋଲି ଭାବୁଥିଲା, ବାସ୍ତବରେ ଏହା ପଛରେ ହତ୍ୟାର ଷଡ଼ଯନ୍ତ୍ର ଥିବା ଏବେ ଜାଣିବାକୁ ପାଇଛି। ଜଣେ ବ୍ୟକ୍ତି ପତ୍ନୀଙ୍କ ନାଁରେ ଥିବା ପ୍ରାୟ ୨ କୋଟିର ବୀମା ଟଙ୍କା ପାଇବା ପାଇଁ ତାଙ୍କୁ ଯୋଜନାବଦ୍ଧ ଭାବେ ସୁପାରି କିଲରଙ୍କ ଦ୍ୱାରା ଗାଡ଼ି ମଡ଼ାଇ […]

mahesh

  • Published: Thursday, 01 December 2022
  • , Updated: 01 December 2022, 10:14 AM IST

ଜୟପୁର: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗୋଟିଏ ସଡ଼କ ଦୁର୍ଘଟଣାର ତଦନ୍ତ କରିବା ବେଳେ ପୁଲିସ୍‌ ହାତରେ ଲାଗିଛି ସାଂଘାତିକ ତଥ୍ୟ। ପ୍ରଥମେ ପୁଲିସ୍‌ ଯାହାକୁ ସଡ଼କ ଦୁର୍ଘଟଣାର କେସ ବୋଲି ଭାବୁଥିଲା, ବାସ୍ତବରେ ଏହା ପଛରେ ହତ୍ୟାର ଷଡ଼ଯନ୍ତ୍ର ଥିବା ଏବେ ଜାଣିବାକୁ ପାଇଛି।

ଜଣେ ବ୍ୟକ୍ତି ପତ୍ନୀଙ୍କ ନାଁରେ ଥିବା ପ୍ରାୟ ୨ କୋଟିର ବୀମା ଟଙ୍କା ପାଇବା ପାଇଁ ତାଙ୍କୁ ଯୋଜନାବଦ୍ଧ ଭାବେ ସୁପାରି କିଲରଙ୍କ ଦ୍ୱାରା ଗାଡ଼ି ମଡ଼ାଇ ହତ୍ୟା କରିଥିଲେ ବୋଲି ପୁଲିସ୍‌ କହିଛି। ରାଜସ୍ଥାନର ଜୟପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି। ଅକ୍ଟୋବର ୫ରେ ଜୟପୁରର ଶାଲୁ ଦେବୀ(୩୨) ଓ ତାଙ୍କ ସମ୍ପର୍କୀୟ ଭାଇ ରାଜୁ(୩୬) ବାଇ ଯୋଗେ ସାମୋଦ ମନ୍ଦିରକୁ ଯାଉଥିଲେ।

ଜୟପୁର-ସିକାର ରୋଡର ହାରମଦା ଠାରେ ହଠାତ୍‌ ସେମାନଙ୍କ ଉପରେ ଗୋଟିଏ ଏସ୍‌ୟୁଭି ମାଡ଼ି ଯାଇଥିଲା। ଫଳରେ ଶାହୁଲ ଦେବୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ୍‌ ପ୍ରାଥମିକ ଭାବେ ଏହାକୁ ଏକ ସାଧାରଣ ସଡ଼କ ଦୁର୍ଘଟଣା ଭାବି ନେଇଥିଲା। କିନ୍ତୁ ତଦନ୍ତ ଚାଲିଥିବା ବେଳେ ୨୦ ଦିନ ତଳେ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଥିଲା।

୨୦ ଦିନ ତଳେ ପୁଲିସ୍ ଜାଣିବାକୁ ପାଇଥିଲା ଯେ ଶାଲୁ ଦେବୀଙ୍କ ମୃତ୍ୟୁ ହେଲେ ତାଙ୍କ ସ୍ୱାମୀ ବୀମା ବାବଦରେ ୧.୯୦ କୋଟି ଟଙ୍କା ପାଇବେ। ତେଣୁ ପୁଲିସ୍‌ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ଥିବା ଆଶଙ୍କା କରି ତଦନ୍ତ ଆରମ୍ଭ କରିଥିଲା। ଏଥିସହ ଶାଲୁ ଦେବୀଙ୍କ ସ୍ୱାମୀ ମହେଶ ମଧ୍ୟ ପୂର୍ବରୁ ଯୌତୁକ ନିର୍ଯାତନା କେସ୍‌ର ଅଭିଯୁକ୍ତ। ତେଣୁ ପୁଲିସ୍‌ ଘଟଣାର ତଦନ୍ତ କରି ମହେଶଙ୍କୁ ଜେରା କରିଥିଲା। ଏହାପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ଡିସିପି(ପଶ୍ଚିମ) ବନ୍ଦିତା ରାଣା କହିଛନ୍ତି, ମହେଶ ଚନ୍ଦ୍ର ପତ୍ନୀ ଶାଲୁଙ୍କୁ ହତ୍ୟା କରିବା ପାଇଁ ପେଶାଦାର ଅପରାଧୀ ମୁକେଶ ସିଂହ ସହ ୧୦ ଲକ୍ଷ ଟଙ୍କାର ଡିଲ କରିଥିଲେ। ଡିଲ ବାବଦରେ ସେ ୫.୫୦ ଲକ୍ଷ ଟଙ୍କା ମଧ୍ୟ ମୁକେଶକୁ ଦେଇ ସାରିଥିଲେ। ପୁଲିସ୍‌ ମୁକେଶ, ମହେଶ, ରାକେଶ କୁମାର ଓ ସୋନୁ ସିଂହକୁ ଏହି ଘଟଣାରେ ଗିରଫ କରିଛି।

ତଦନ୍ତୁ ଜଣାପଡ଼ିଛି ୨୦୧୭ରୁ ଶାଲୁ ଓ ମହେଶ ଅଲଗା ଅଲଗା ରହୁଥିଲେ। ତଥାପି ଚଳିତ ବର୍ଷ ମହେଶ ପତ୍ନୀ ଶାଲୁଙ୍କ ନାଁରେ ଗୋଟିଏ ବୀମା ଖୋଲିଥିଲେ। ୨୦୧୯ରେ ଶାଲୁ ଯୌତୁକ ନିର୍ଯାତନା ଅଭିଯୋଗ କରିଥିବା ବେଳେ ମହେଶ କେମିତି ତାଙ୍କ ନାଁରେ ବୀମା ଖୋଲିବାକୁ ଆଗ୍ରହ ଦେଖାଇଲେ, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ଘଟଣାର ତଦନ୍ତ କରି ସଡ଼କ ଦୁର୍ଘଟଣା ପଛରେ ଥିବା ପ୍ରକୃତ କାରଣର ଖୁଲାସ କରାଯାଇଥିବା ସେ କହିଛନ୍ତି।

ମହେଶ ସବୁଦିନ ପାଇଁ ଶାଲୁଙ୍କୁ ହତ୍ୟା କରିବାକୁ ପୂର୍ବରୁ ହିଁ ଚିନ୍ତା କରି ସାରିଥିଲେ। ଏଥିପାଇଁ ଯୋଜନା ମୁତାବକ ବୀମା କରାଇଥିଲେ। ଏଥିସହ ବିବାଦ ସତ୍ତ୍ୱେ ଶାଲୁଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏପ୍ରିଲ ମାସରେ ସେ ଶାଲୁଙ୍କ ଘରକୁ ଯାଇ ପରିବାରର ମଙ୍ଗଳ କାମନା ପାଇଁ ସାମୋଦ ମନ୍ଦିରରେ ଗୋଟିଏ ମାନସିକ କରିଥିବା କଥା କହିଥିଲେ।

ପରିବାରର ମଙ୍ଗଳ ପାଇଁ ଶାଲୁ ଉକ୍ତ ମନ୍ଦିରକୁ ୧୧ ଥର ଯିବା ଦରକାର ବୋଲି ମହେଶ ତାଙ୍କୁ ବୁଝାଇଥିଲେ। ତାଙ୍କ କଥାରେ ଶାଲୁ ମଧ୍ୟ ରାଜି ହୋଇଥିଲେ। ଅକ୍ଟୋବର ୫ରେ ମହେଶ ନିଜ ଘର ବାହାରେ ଛିଡ଼ା ହୋଇ ସୁପାରି କିଲରଙ୍କୁ ଶାଲୁଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନେ ମଧ୍ୟ ଶାଲୁ ଯାଉଥିବା ଗାଡ଼ିକୁ ପଛ ପଟୁ ଧକ୍କା ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଶାଲୁଙ୍କ ମୃତ୍ୟୁ ଘଟିଥିଲା।

୨୦୧୫ରେ ଶାଲୁ ଓ ମହେଶ ବିବାହ କରିଥିଲେ। ସେମାନଙ୍କର ଗୋଟିଏ କନ୍ୟା ସନ୍ତାନ ରହିଛନ୍ତି।

Related story