ମୃତ ଭାବି ସରିଥିଲା ଶୁଦ୍ଧିକ୍ରିୟା, କିନ୍ତୁ ୧୨ ବର୍ଷ ପରେ ପାକ୍‌ରୁ ଆସିଲା ଜୀବିତ ଖବର

ପାଟନା: ଦୀର୍ଘ ୧୨ ବର୍ଷ ଅର୍ଥାତ ଗୋଟିଏ ଯୁଗ ଧରି ନିଖୋଜ ଥିବା ଜଣେ ୩୦ ବର୍ଷୀୟ ଯୁବକଙ୍କ ପତ୍ତା ମିଳିଛି। ବିହାରର ବକ୍ସର ଜିଲ୍ଲାରୁ ୧୨ ବର୍ଷ ତଳେ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ସେ ମୃତ ବୋଲି ଭାବି ପରିବାର ଲୋକ ତାଙ୍କର ଶୁଦ୍ଧିକ୍ରିୟା ମଧ୍ୟ କରିଦେଇଥିଲେ। ହେଲେ ଏବେ ଏବେ ସେ ଜୀବିତ ଥିବା ପାକିସ୍ତାନରୁ ଖବର ଆସିଛି। ଯୁବକ ଜଣଙ୍କ ଏବେ ପାକିସ୍ତାନର ଗୋଟିଏ ଜେଲରେ ବନ୍ଦୀ ଜୀବନ କାଟୁଥିବା ପରିବାର […]

Bihar

Hemant Lenka
  • Published: Saturday, 18 December 2021
  • , Updated: 18 December 2021, 10:12 AM IST

ପାଟନା: ଦୀର୍ଘ ୧୨ ବର୍ଷ ଅର୍ଥାତ ଗୋଟିଏ ଯୁଗ ଧରି ନିଖୋଜ ଥିବା ଜଣେ ୩୦ ବର୍ଷୀୟ ଯୁବକଙ୍କ ପତ୍ତା ମିଳିଛି। ବିହାରର ବକ୍ସର ଜିଲ୍ଲାରୁ ୧୨ ବର୍ଷ ତଳେ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ସେ ମୃତ ବୋଲି ଭାବି ପରିବାର ଲୋକ ତାଙ୍କର ଶୁଦ୍ଧିକ୍ରିୟା ମଧ୍ୟ କରିଦେଇଥିଲେ। ହେଲେ ଏବେ ଏବେ ସେ ଜୀବିତ ଥିବା ପାକିସ୍ତାନରୁ ଖବର ଆସିଛି। ଯୁବକ ଜଣଙ୍କ ଏବେ ପାକିସ୍ତାନର ଗୋଟିଏ ଜେଲରେ ବନ୍ଦୀ ଜୀବନ କାଟୁଥିବା ପରିବାର ଲୋକ ଜାଣିବାକୁ ପାଇଛନ୍ତି।

ନିଖୋଜ ହୋଇଯାଇଥିବା ଯୁବକ ଜଣଙ୍କ ନାଁ ଛବି। ସେ ବକ୍ସର ଜିଲ୍ଲାର ଖିଲାଫତପୁରରେ ରହୁଥିଲେ। ତାଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ହଠାତ୍ ସେ ଘରୁ କେଉଁ ଆଡ଼େ ଚାଲିଯାଇଥିଲେ। ନିଖୋଜ ସମୟରେ ଛବି ମାନସିକ ରୋଗରେ ପୀଡ଼ିତ ଥିଲେ। ତେଣୁ ସେ ଭୁଲବଶତଃ କେଉଁ ଆଡ଼େ ଚାଲି ଯାଇଥିବା ଚିନ୍ତା କରି ପରିବାର ଲୋକ ଖୋଜାଖୋଜି କରିଥିଲେ।

କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନଥିଲା। ପରିବାର ଲୋକ ପୁଲିସରେ ମଧ୍ୟ ଏନେଇ ଅଭିଯୋଗ କରିଥିଲେ। ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରେ ଛବିକୁ ଖୋଜା ଯାଇଥିଲା। କିନ୍ତୁ କିଛି ବି ଲାଭ ମିଳି ନଥିଲା। ନିଖୋଜର କିଛି ବର୍ଷ ପରେ ପରିବାର ଲୋକ ଛବି ମରି ସାରିଥିବା ଭାବି ତାଙ୍କର ଶୁଦ୍ଧିକ୍ରିୟା ମଧ୍ୟ କରି ଦେଇଥିଲେ।

ଏବେ ନିଖୋଜର ଦୀର୍ଘ ୧୨ ବର୍ଷ ପରେ ପୁଲିସ୍ ଛବିଙ୍କ ସମ୍ପର୍କରେ ସୂଚନା ପାଇଛି। ପୁଲିସ୍ ପାଖକୁ ପାକିସ୍ତାନ ଜେଲରୁ ଗୋଟିଏ ଚିଠି ଆସିଛି। ଏହି ଚିଠି ଲେଖିଥିବା ବ୍ୟକ୍ତି ଜଣଙ୍କ ନିଜକୁ ଛବି ବୋଲି କହିବା ସହ ତାଙ୍କ ଘର ବିହାରର ଖିଲାଫତୁପରରେ ଜଣାଇଛନ୍ତି। ପୁଲିସ୍ ପାଖରେ ଏପରି ଚିଠି ପହଞ୍ଚିବା ପରେ ପରିବାର ଲୋକ ଛବିଙ୍କୁ ପାକିସ୍ତାନକୁ ଫେରାଇ ଆଣିବାକୁ ଦାବି କରିଛନ୍ତି।

ପୁଲିସ୍ କହିଛି ଯେ ପାକ୍ ଜେଲ୍ କର୍ତ୍ତୃପକ୍ଷ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଏ ସମ୍ପର୍କରେ ଯୋଗାଯୋଗ କରିଥିଲେ। ଏହାପରେ ସ୍ୱତନ୍ତ୍ର ବ୍ରାଞ୍ଚ ଜରିଆରେ ଛବି କୁମାରଙ୍କ ସମ୍ପର୍କରେ ଯାଞ୍ଚ କରିବା ପାଇଁ ବିହାର ପୁଲିସ୍ ଚିଠି ପାଇଥିଲା। ହେଲେ ଚିଠିରେ ଛବି ପାକିସ୍ତାନର କେଉଁ ଜେଲରେ ଅଛନ୍ତି, ସେକଥା କୁହାଯାଇନି।

ପୁଲିସ୍ ଚିଠି ଓ ଛବିଙ୍କ ଫଟୋକୁ ଧରି ତାଙ୍କ ଗାଁରେ ପହଞ୍ଚିଥିଲା। ସେଠାରେ ଗାଁ ଲୋକ ଓ ଛବିଙ୍କ ମା’ଙ୍କ ସହ କଥାବାର୍ତ୍ତା କରିଥିଲା। ଫଟୋ ଦେଖି ଛବିଙ୍କ ମା’ ତାଙ୍କୁ ଚିହ୍ନ ପାରିଥିଲେ। ଏଥିସହ ପୁଲିସକୁ ତାଙ୍କ ସମ୍ପର୍କରେ ସବୁ ତଥ୍ୟ ଦେଇଥିଲେ। ଛବି ନିଖୋଜ ହେବାର ୧୨ ବର୍ଷ ମଧ୍ୟରେ ଅନେକ କିଛି ପରିବର୍ତ୍ତନ ହୋଇଯାଇଛି।

ତାଙ୍କ ବାପା ଆରପାରିକୁ ଚାଲି ଯାଇଛନ୍ତି। ଏବେ ତାଙ୍କ ମା’, ଭାଇ ଓ ଭାଉଜ ହିଁ ରହିଛନ୍ତି। ସେମାନେ ଛବିଙ୍କ ସମ୍ପର୍କରେ ସୂଚନା ପାଇଥିବାରୁ ତୁରନ୍ତ ତାଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

Related story