ନୂଆଦିଲ୍ଲୀ: ରବିବାର ୭୨ ଜଣଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବିମାନ ATR-72 ନେପାଳର ପୋଖରାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ନେପାଳରେ ବିମାନ ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ଏଠାରେ ଥିବା ଉଚ୍ଚ ଗିରି ଶୃଙ୍ଗ । ଏଭରେଷ୍ଟ ସହ ବିଶ୍ୱର ୧୪ଟି ଉଚ୍ଚତମ ଗିରିଶୃଙ୍ଗ ଏହି ଦେଶରେ ରହିଛି। ନେପାଳରେ ଗତବର୍ଷ ମେ ମାସରେ ତାରା ଏୟାରଲାଇନ୍ସର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏଥିରେ ୪ ଭାରତୀୟଙ୍କ ସମେତ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ୨୦୧୬ରେ ସେହି ତାରା ଏୟାରଲାଇନ୍ସର ବିମାନ ଉଡ଼ାଣ ଭରିବାର ଅଳ୍ପ ସମୟ ପରେ କ୍ରାସ୍ ହୋଇଥିଲା ଏଥିରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା ।
୨୦୧୮ ମାର୍ଚ୍ଚରେ ନେପାଳର ତ୍ରିଭୂବନ ଇଣ୍ଟନ୍ୟାସନାଲ ଏୟାରପୋର୍ଟରେ ୟୁଏସ୍-ବାଙ୍ଗ୍ଲା ଏୟାର ନାମକ ବିମାନ କ୍ରାସ୍ ଯୋଗୁ ବିମାନରେ ଥିବା ୫୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ୨୦୧୨ରେ ସୀତା ଏୟାର ନାମକ ବିମାନ ଜରୁରୀକାଳୀନ ଅବତରଣ ବେଳେ ତ୍ରିଭୂବନ ଇଣ୍ଟନ୍ୟାସନାଲ ଏୟାରପୋର୍ଟରେ କ୍ରାସ୍ ହୋଇଯାଇଥିଲା । ଏଥିରେ ୧୯ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ୨୦୧୨ ମେ ମାସ ୧୪ରେ ପୋଖରାରୁ ଜମ୍ସମ୍ ଯାଉଥିବା ବିମାନ ଜମ୍ସମ୍ ବିମାନ ବନ୍ଦର ନିକଟରେ କ୍ରାସ୍ ହୋଇଥିଲା ।
ଏହି ଦୁର୍ଘଟଣାରେ ସେତେବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ୧୯୯୨ରେ ନେପାଳରେ ସବୁଠୁ ଭୟଙ୍କର ବିମାନ ଦୁର୍ଘଟଣା ହୋଇଥିଲା ପାକିସ୍ତାନ ଇଣ୍ଡରନ୍ୟାସନାଲ ଏୟାରଲାଇନ୍ସର ବିମାନ କାଠମାଣ୍ଡୁ ଆସୁଥିବା ବେଳେ କ୍ରାସ୍ ହେବାରୁ ୧୬୭ ଜଣଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।