ବାୟୁ ପ୍ରଦୂଷଣ ରୋକିବାକୁ ଏନଜିଟି ଗଠନ କଲେ ଜାତୀୟ ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବାୟୁ ପ୍ରଦୂଷଣ ସାଂଘାତିକ ରୂପ ନେଉଛି। ଭାରତରେ ବାର୍ଷିକ ୧.୫ ନିୟୁତ ଲୋକ ବାୟୁ ପ୍ରଦୂଷଣ ଯୋଗୁ ପ୍ରାଣ ମଧ୍ୟ ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ୮ ଜଣିଆ ଜାତୀୟ ଟାସ୍କ ଫୋର୍ସ(ଏନଟିଏଫ) ଗଠନ କରିଛନ୍ତି। ଏନଟିଏଫ ବାୟୁ ପ୍ରଦୂଷଣ ଉପରେ ନଜର ରଖିବା ସହ ଏହାକୁ ହ୍ରାସ କରିବା ପାଇଁ ନିଆ ଯାଇଥିବା ପଦକ୍ଷେପ ଗୁଡ଼ିକୁ ତର୍ଜମା କରିବ। ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଏକେ ଗୋଏଲ […]

NGT

Hemant Lenka
  • Published: Wednesday, 14 April 2021
  • , Updated: 14 April 2021, 06:55 PM IST

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବାୟୁ ପ୍ରଦୂଷଣ ସାଂଘାତିକ ରୂପ ନେଉଛି। ଭାରତରେ ବାର୍ଷିକ ୧.୫ ନିୟୁତ ଲୋକ ବାୟୁ ପ୍ରଦୂଷଣ ଯୋଗୁ ପ୍ରାଣ ମଧ୍ୟ ହରାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) ୮ ଜଣିଆ ଜାତୀୟ ଟାସ୍କ ଫୋର୍ସ(ଏନଟିଏଫ) ଗଠନ କରିଛନ୍ତି। ଏନଟିଏଫ ବାୟୁ ପ୍ରଦୂଷଣ ଉପରେ ନଜର ରଖିବା ସହ ଏହାକୁ ହ୍ରାସ କରିବା ପାଇଁ ନିଆ ଯାଇଥିବା ପଦକ୍ଷେପ ଗୁଡ଼ିକୁ ତର୍ଜମା କରିବ।

ଏନଜିଟି ଅଧ୍ୟକ୍ଷ ଜଷ୍ଟିସ ଏକେ ଗୋଏଲ କହିଛନ୍ତି, ବର୍ତ୍ତମାନ ସମୟରେ ସରକାରୀ ସ୍ତରରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ହେବ। ଏହା ସମୟର ଆବଶ୍ୟକତା। ଏଥିପାଇଁ ସର୍ବୋଚ୍ଚ ସ୍ଥାନରେ ଥିବା ଅଧିକାରୀ ଟ୍ରଷ୍ଟି ଭାବେ କାର୍ଯ୍ୟ କରି ଲୋକଙ୍କ ପାଇଁ ସାମ୍ବିଧାନିକ ଓ ବୈଧାନିକ ନିର୍ଦ୍ଦେଶନାମା ଜାରି କରିବା ଉଚିତ। ଏହା ଛଡ଼ା ଆଉ କୌଣସି ମ୍ୟାଜିକର ଆବଶ୍ୟକତା ନାହିଁ। ବିଶ୍ୱରେ ଭାରତ ଏମିତି ଏକ ରାଷ୍ଟ୍ର ଯେଉଁଠାରେ ସର୍ବାଧିକ ଲୋକ ବାୟୁ ପ୍ରଦୂଷଣ ଯୋଗୁ chronic respiratory ରୋଗରେ ପ୍ରାଣ ହରାଉଛନ୍ତି ବୋଲି ସେ କହିଛନ୍ତି।

ଏନଜିଟି ଗଠନ କରିଥିବା ଏନଟିଏଫର ମୁଖ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ସଚିବ ରହିବ। ଏଥିରେ ନଗର ଉନ୍ନୟନ, ସଡ଼କ ପରିବହନ, ପେଟ୍ରୋଲିୟମ, ଶକ୍ତି, କୃଷି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦସ୍ୟ ଓ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ନୋମିନ ଭାବେ କାର୍ଯ୍ୟ କରିବେ।

ଏନଟିଏଫ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଜାରି ହୋଇଥିବା ନିର୍ଦ୍ଦେଣନାମାକୁ ପାଳନ କରାଯାଉଛି କି ନାହିଁ, ତା’ର ତର୍ଜମା କରିବ। ସେହିପରି ଏହାକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ଗ୍ରହଣ କରିବ। ଏନଟିଏଫ ତା’ର ପ୍ରଥମ ବୈଠକ ମାସକ ମଧ୍ୟରେ କରିବ। ଏହାପରେ ୪ ମାସରେ ଥରେ ପ୍ରଦୂଷଣ ବଢ଼ୁଥିବା ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳର ସଚିବମାନଙ୍କ ସହ ଆଲୋଚନା କରାଯିବ। ଏନସିଏପି ଅଧୀନରେ ଜାତୀୟ ଓ ରାଜ୍ୟ ସ୍ତରରେ ଗଠନ ହୋଇଥିବା କମିଟି ଗୁଡ଼ିକ ସହ ସମନ୍ୱୟ ମଧ୍ୟ ରକ୍ଷା କରିବ।

Related story