ନୂଆଦିଲ୍ଲୀ: ରାଜନୀତିରେ ଅପରାଧୀକରଣକୁ ନେଇ ସୁପ୍ରିମକୋର୍ଟ ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜନୀତିକ ଦଳଗୁଡିକ ସେମାନଙ୍କର ପ୍ରାର୍ଥୀଙ୍କ ଚୟନର ୪୮ ଘଣ୍ଟା ମଧ୍ୟରେ ଅପରାଧିକ ରେକର୍ଡ ସାର୍ବଜନୀନ କରିବା ଜରୁରୀ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ହାଇକୋର୍ଟଙ୍କ ଅନୁମତି ବିନା ବିଧାୟକ ଓ ସାଂସଦଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ପ୍ରତ୍ୟାହାର କରାଯାଇପାରିବ ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, ରାଜ୍ୟ ସରକାର ଅପରାଧିକ ସମ୍ବନ୍ଧିତ କୌଣସି ମାମଲା ପ୍ରତ୍ୟାହାର କରିବା ପୂର୍ବରୁ ପ୍ରଥମେ ହାଇକୋର୍ଟଙ୍କ ଅନୁମତି ମାଗିବା ଦରକାର। ନଭେମ୍ବରରେ ଅନୁଷ୍ଠିତ ବିହାର ନିର୍ବାଚନ ସମ୍ବନ୍ଧିତ ଏକ ପୂର୍ବ ରାୟରେ ସୁପ୍ରିମକୋର୍ଟ ଚଳିତ ବର୍ଷ ଫେବୃଆରୀରେ କହିଥିଲେ ଯେ ପ୍ରାର୍ଥୀମାନେ ଚୟନ ହେବାର ୪୮ ଘଣ୍ଟା ମଧ୍ୟରେ କିମ୍ବା ନାମାଙ୍କନ ପତ୍ର ଦାଖଲ କରିବାର ପ୍ରଥମ ତାରିଖର ଅତି କମରେ ଦୁଇ ସପ୍ତାହ ପୂର୍ବରୁ ଏହି ବିବରଣୀ ଅପଲୋଡ୍ କରିବେ। ଏବେ ତାହା କେବଳ ୪୮ ଘଣ୍ଟା ମଧ୍ୟରେ ସୀମିତ ଅଛି।
ସାଂସଦ ଓ ବିଧାୟକଙ୍କ ବିରୋଧରେ ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ ନକରିବାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ ବର୍ଷିଛନ୍ତି। ସିଜେଆଇ ଏନଭି ରମଣା କହିଛନ୍ତି, ଆମେ ଆରମ୍ଭରୁ ହିଁ କେନ୍ଦ୍ର ସରକାରଙ୍କୁ କହିଆସୁଛୁ ଯେ ସେମାନେ ସାଂସଦ ଓ ବିଧାୟକଙ୍କ ସମ୍ବନ୍ଧିତ ଅପରାଧିକ ମାମଲାକୁ ଗୁରୁତର ସହ ନିଅନ୍ତୁ, କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ କିଛି ପଦକ୍ଷେପ ନିଆଗଲା ନାହିଁ।
ସୁପ୍ରିମକୋର୍ଟ ଏହି ମାମଲାରେ ଇଡିର ଷ୍ଟାଟସ୍ ରିପୋର୍ଟ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ଆଜି ଆମେ ଖବରକାଗଜରେ ସବୁ ରିପୋର୍ଟ ପଢ଼ୁଛୁ। ସବୁକିଛି ମିଡିଆକୁ ଆଗ ମିଳିଯାଉଛି, କିନ୍ତୁ ଏଜେନ୍ସିମାନେ କୋର୍ଟଙ୍କୁ କିଛି ଜଣାଉ ନାହାନ୍ତି। ଇଡିର ଆଫିଡେଭିଟ୍ ମଧ୍ୟ ଫର୍ମାଟରେ ନାହିଁ ଏବଂ ଏଥିରେ କେବଳ ଅଭିଯୁକ୍ତଙ୍କ ତାଲିକା ରହିଛି। ସୁପ୍ରିମକୋର୍ଟ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ଶେଷ ସୁଯୋଗ ଦେଇଛନ୍ତି। ଦୁଇ ସପ୍ତାହ ସମୟ ଭିତରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ବିହାର ବିଧାନସଭା ନିର୍ବାଚନରେ ସେମାନଙ୍କ ପ୍ରାର୍ଥୀଙ୍କ ଅପରାଧିକ ଘଟଣାର ଖୁଲାସା ହେବାର ନିର୍ଦ୍ଦେଶ ପାଳନ ନକରିବାରୁ ସିପିଆଇ (ଏମ୍) ଏବଂ ଏନସିପି ସୁପ୍ରିମକୋର୍ଟଙ୍କୁ ସର୍ତ୍ତମୂଳକ କ୍ଷମା ପ୍ରାର୍ଥନା କରିଛନ୍ତି।