ମୁମ୍ୱାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ନତଙ୍କ ଅଫିସ ‘ମଣିକର୍ଣ୍ଣିକା ଫିଲ୍ମସ୍’କୁ ବେଆଇନ ଦର୍ଶାଇ କିଛି ଅଂଶ ଭାଙ୍ଗି ଦେଇଛି ବିଏମ୍ସି (ବ୍ରିହାମ୍ମୁମ୍ବାଇ ମହାନଗର ନିଗମ)। ଏହାକୁ ନେଇ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଅସନ୍ତୋଷ ପ୍ରକାଶ କରିଛନ୍ତି। ମୁମ୍ୱାଇରେ ଅନେକ ବେଆଇନ୍ କୋଠା ଅଛି ସେଗୁଡିକ ଉପରେ ଧ୍ୟାନ ଦେବାର ଅଛି। ଏଭଳି ନିଷ୍ପତ୍ତି ନେଇ କଙ୍ଗନାଙ୍କୁ କହିବାକୁ ସୁଯୋଗ ଦିଆଯାଉଛି। କଙ୍ଗନାଙ୍କ ଅଫିସ ଭାଙ୍ଗିବାର ଆବଶ୍ୟକ ନଥିଲା ବୋଲି ପାଓ୍ୱାର କହିଛନ୍ତି।
ମୁମ୍ୱାଇ ପୁଲିସ ଲୋକଙ୍କ ସୁରକ୍ଷା ପାଇଁ କାମ କରେ। ଏହା ସମସ୍ତେ ଜାଣନ୍ତି। କିନ୍ତୁ କିଛି ଲୋକଙ୍କ ମତକୁ ନେଇ ବିବାଦ ଛିଡା କରିବା ଠିକ୍ ନୁହେଁ ବୋଲି ପାଓ୍ୱାର କହିଛନ୍ତି। ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ସରକାର ରହିଛି। ବିଏମସି ଶିବସେନା ଦଖଲରେ ରହିଛି। ତେବେ ଶାସକ ଦଳର ବରିଷ୍ଠ ନେତା ଭାବରେ ପାଓ୍ୱାରଙ୍କ ମନ୍ତବ୍ୟ ଶିବସେନାର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି। ଖାଲି ପାଓ୍ନାର ନୁହଁ, ବିଜେପି, ଆରଏସଏସ ମଧ୍ୟ ବିଏମସିର ଏଭଳି ଆଭିମୁଖ୍ୟକୁ ବିରୋଧ କରିଛନ୍ତି।
ଅନ୍ୟପକ୍ଷରେ ବମ୍ବେ ହାଇକୋର୍ଟ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି। ଏଥିସହ ବିଏମସିକୁ ଜବାବ ତଲବ କରିଛନ୍ତି। ଆସନ୍ତାକାଲି ଅପରାହ୍ନ ତିନିଟାରେ ଏହି ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି।