ଜି-୭ ବୈଠକ ପାଇଁ ବ୍ରିଟେନ ଯିବେନି ମୋଦି, ଗସ୍ତ ବାତିଲ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ହୁହୁ ହୋଇ ବଢ଼ୁଥିବାରୁ ନିଜର ବ୍ରିଟେନ ଗସ୍ତ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ଜୁନ୍‌ ମାସରେ ବ୍ରିଟେନରେ ଜି-୭ ବୈଠକ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବାକୁ ମୋଦିଙ୍କୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିମନ୍ତ୍ରଣ କରିଥିଲେ। ସେ ସ୍ୱତନ୍ତ୍ର ଅତିଥି ଭାବେ ଏଥିରେ ଯୋଗଦେଇଥାଆନ୍ତେ। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋଦିଙ୍କ ଗସ୍ତକୁ ବାତିଲ କରାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ଆଜି ଘୋଷଣା କରିଛି। ଭାରତ ଜି-୭ର ସଦସ୍ୟ […]

Modi

Hemant Lenka
  • Published: Tuesday, 11 May 2021
  • , Updated: 11 May 2021, 08:16 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ହୁହୁ ହୋଇ ବଢ଼ୁଥିବାରୁ ନିଜର ବ୍ରିଟେନ ଗସ୍ତ ବାତିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ଜୁନ୍‌ ମାସରେ ବ୍ରିଟେନରେ ଜି-୭ ବୈଠକ ଅନୁଷ୍ଠିତ ହେବ। ଏଥିରେ ଯୋଗଦେବାକୁ ମୋଦିଙ୍କୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ନିମନ୍ତ୍ରଣ କରିଥିଲେ। ସେ ସ୍ୱତନ୍ତ୍ର ଅତିଥି ଭାବେ ଏଥିରେ ଯୋଗଦେଇଥାଆନ୍ତେ। ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋଦିଙ୍କ ଗସ୍ତକୁ ବାତିଲ କରାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ଆଜି ଘୋଷଣା କରିଛି।

ଭାରତ ଜି-୭ର ସଦସ୍ୟ ନୁହେଁ। ତଥାପି ସ୍ୱତନ୍ତ୍ର ଅତିଥି ଭାବେ ମୋଦିଙ୍କୁ ଯୋଗ ଦେବା ପାଇଁ ଜନସନ ନିମନ୍ତ୍ରଣ କରିଥିଲେ। ଏହି ବୈଠକ ଜୁନ୍‌ ୧୧ରୁ ୧୩ ଯାଏ ଅନୁଷ୍ଠିତ ହେବ। ଆଜି ବୈଦେଶିକ ମନ୍ତ୍ରଣାଳୟ କହିଛି, ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଜି-୭ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଏଥିପାଇଁ ଭାରତ ପକ୍ଷରୁ ବ୍ରିଟେନକୁ ଧନ୍ୟବାଦ ଦିଆଯାଉଛି।

କିନ୍ତୁ ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରିଟେନ ଗସ୍ତକୁ ବାତିଲ କରାଯାଇଛି। ସେ ଜି-୭ ବୈଠକରେ ଯୋଗଦେବା ପାଇଁ ବ୍ରିଟେନ ଗସ୍ତ କରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ତେବେ ମୋଦି ବ୍ରିଟେନ ଗସ୍ତ ବାତିଲ କରିଥିଲେ ହେଁ ଜି-୭ ବୈଠକରେ ଭିଡିଓ କନଫରେନ୍ସଂ ଜରିଆରେ ଯୋଗଦେବାର ସମ୍ଭାବନା ରହିଛି। ଚଳିତ ବର୍ଷ ଜି-୭ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟା ଓ କରୋନା ଭାଇରସ ସଙ୍କଟ ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି ସହ ମୁକାବିଲା କରି ଅର୍ଥନୀତିକୁ କେମିତି ଆଗକୁ ବଢ଼ା ଯାଇପାରିବ, ତା’ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଜି-୭ ସମ୍ମିଳନୀକୁ ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟମାନଙ୍କୁ ମଧ୍ୟ ବ୍ରିଟେନ ନିମନ୍ତ୍ରଣ କରିଛି। ଜି-୭ରେ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ବ୍ରିଟେନ ରହିଛନ୍ତି।

ଏମାନଙ୍କ ସହ ୟୁରୋପିଆନ ୟୁନିଅନ ମଧ୍ୟ ସମ୍ମିଳନୀରେ ଯୋଗଦେବ । ଗତବର୍ଷ ଜି-୭ ସମ୍ମିଳନୀ କରୋନା ମହାମାରୀ ଯୋଗୁ ସମ୍ଭବ ହୋଇ ନଥିଲା। ସେବେଠାରୁ ଜି-୭ ରାଷ୍ଟ୍ରର ନେତାମାନେ ପରସ୍ପରକୁ ବ୍ୟକ୍ତିଗତ ଭାବେ ଭେଟି ନାହାନ୍ତି।

Related story