ଚଣ୍ଡିଗଡ଼କୁ ନେଇ ତେଜିଲା ବିବାଦ: ପଞ୍ଜାବ ବିଧାନସଭାରେ ସଂକଳ୍ପ ପାରିତ

ଚଣ୍ଡିଗଡ଼: କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼କୁ ନେଇ ପଞ୍ଜାବ ଓ କେନ୍ଦ୍ର ସରକାର ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି। ଚଣ୍ଡିଗଡ଼ରେ କାର୍ଯ୍ୟରତ କର୍ମଚାରୀଙ୍କୁ କେନ୍ଦ୍ର ସରକାର ନିଜ ଅଧୀନକୁ ନେବା ପରେ ପଞ୍ଜାବ ସରକାର ଆପତ୍ତି ଉଠାଇଛନ୍ତି। ଏଥିପାଇଁ ପଞ୍ଜାବରେ ଚଣ୍ଡିଗଡ଼କୁ ସାମିଲ କରିବା ପାଇଁ ଆଜି ରାଜ୍ୟର କ୍ଷମତାସୀନ ଆପ୍‌ ସରକାର ବିଧାନସଭାରେ ଗୋଟିଏ ସଂକଳ୍ପ ପାରିତ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଧାନସଭାରେ ବିଜେପିକୁ ଛାଡ଼ି ଆଉ ସବୁ ଦଳର ବିଧାୟକମାନେ ଏହି […]

Punjab

Hemant Lenka
  • Published: Friday, 01 April 2022
  • , Updated: 01 April 2022, 04:07 PM IST

ଚଣ୍ଡିଗଡ଼: କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼କୁ ନେଇ ପଞ୍ଜାବ ଓ କେନ୍ଦ୍ର ସରକାର ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଛି। ଚଣ୍ଡିଗଡ଼ରେ କାର୍ଯ୍ୟରତ କର୍ମଚାରୀଙ୍କୁ କେନ୍ଦ୍ର ସରକାର ନିଜ ଅଧୀନକୁ ନେବା ପରେ ପଞ୍ଜାବ ସରକାର ଆପତ୍ତି ଉଠାଇଛନ୍ତି। ଏଥିପାଇଁ ପଞ୍ଜାବରେ ଚଣ୍ଡିଗଡ଼କୁ ସାମିଲ କରିବା ପାଇଁ ଆଜି ରାଜ୍ୟର କ୍ଷମତାସୀନ ଆପ୍‌ ସରକାର ବିଧାନସଭାରେ ଗୋଟିଏ ସଂକଳ୍ପ ପାରିତ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଧାନସଭାରେ ବିଜେପିକୁ ଛାଡ଼ି ଆଉ ସବୁ ଦଳର ବିଧାୟକମାନେ ଏହି ସଂକଳ୍ପରେ ଏକମତ ହୋଇଛନ୍ତି। ଚଣ୍ଡିଗଡ଼କୁ ନିଜ ସହ ସାମିଲ କରିବା ପାଇଁ ଆଜି ପଞ୍ଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିଲା। ସାମାନ୍ୟ ଆଲୋଚନା ପରେ ଭୟସ ଭୋଟ ଜରିଆରେ ଏହି ସଂକଳ୍ପ ଗୃହରେ ପାରିତ ହୋଇଛି। ବିଜେପି ସଦସ୍ୟମାନେ ଏହି ସଂକଳ୍ପକୁ ବିରୋଧ କରିଥିଲେ। ତେଣୁ ଭୋଟ ଦାନ ବେଳେ ସେମାନେ କକ୍ଷତ୍ୟାଗ କରିଥିଲେ।

ସଂକଳ୍ପକୁ ଗୃହରେ ଆଗତ କରି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି, “ମୁଁ ରାଜ୍ୟର ଲୋକମାନଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ପଞ୍ଜାବର ସ୍ୱାର୍ଥ ପାଇଁ ମୁଁ ସବୁବେଳେ ଲଢ଼େଇ କରିବି। ଏ ବିଷୟରେ ଆଲୋଚନା କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ସମୟ ମାଗିଛି। ସେ ସମୟ ଦେଲେ ମୁଁ ତାଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିବି।

ପଞ୍ଜାବ ପୁର୍ନଗଠନ ଆଇନ ୧୯୬୬ ଅନୁଯାୟୀ ପଞ୍ଜାବର ପୁର୍ନଗଠନ ହୋଇଥିଲା। ଏହି ଆଇନ ଅନୁଯାୟୀ ପଞ୍ଜାବରୁ ହରିଆଣା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ଼ ସୃଷ୍ଟି ହୋଇଥିଲା। ଏଥିସହ ପଞ୍ଜାବର କିଛି ଅଞ୍ଚଳ ତତ୍କାଳୀନ ହିମାଚଳପ୍ରଦେଶକୁ ଦିଆ ଯାଇଥିଲା।

ସେବେଠାରୁ ପ୍ରାଶାସନିକ ଭାରସାମ୍ୟ ରକ୍ଷା କରିବା ପାଇଁ ପଞ୍ଜାବ ଓ ହରିଆଣାର ଅଧିକାରୀ ଚଣ୍ଡିଗଡ଼ରେ କାମ କରୁଛନ୍ତି। ଉଭୟ ରାଜ୍ୟର ପ୍ରଶାସନିକ ନିୟମ ଏହି କର୍ମଚାରୀଙ୍କ କ୍ଷେତ୍ରରେ ଲାଗୁ ହୋଇଛି। ବାର୍ଖା ବିତସ୍ତା ପରିଚାଳନା ବୋର୍ଡକୁ ମଧ୍ୟ ଲାଗୁ କରାଯାଇଥିଲା। ହେଲେ ଏବେ ଚଣ୍ଡିଗଡ଼ର କର୍ମଚାରୀଙ୍କୁ କେନ୍ଦ୍ର ସରକାର ନିଜ ଅଧୀନକୁ ନେବା ଗ୍ରହଣୀୟ ନୁହେଁ।”

ଏହି ସଂକଳ୍ପକୁ ଆପ୍‌, କଂଗ୍ରେସ, ଅକାଳୀ ଦଳ ଓ ବିଏସ୍‌ପି ବିଧାୟକମାନେ ସମର୍ଥନ କରିଥିଲେ। କିନ୍ତୁ ବିଜେପିର ଅଶ୍ୱିନୀ ଶର୍ମା ପ୍ରସ୍ତାବକୁ ବିରୋଧ କରିଥିଲେ। ସେ ଏହି ସଂକଳ୍ପ ଜରିଆରେ ରାଜ୍ୟବାସୀଙ୍କୁ ଭ୍ରମିତ କରାଯାଉଥିବା ଅଭିଯୋଗ କରିଛନ୍ତି। ପୂର୍ବରୁ ଥିବା ସରକାର ନିଜର ବିଫଳତା ଘୋଡ଼ାଇବାକୁ ପ୍ରୟାସ କରୁଛନ୍ତି।

୧୯୮୬ ମାର୍ଚ୍ଚ ୧ରୁ ୧୯୯୧ ମାର୍ଚ୍ଚ ୩୧ ଯାଏ ଚଣ୍ଡିଗଡ଼ରେ କାର୍ଯ୍ୟରତ କର୍ମଚାରୀଙ୍କ କ୍ଷେତ୍ରରେ କେନ୍ଦ୍ରୀୟ ପ୍ରାଶାସନିକ ନିୟମ ଲାଗୁ ହୋଇଥିଲା। ଏହାପରେ ପଞ୍ଜାବ ଦରମା ହାରକୁ ଦେଖି କର୍ମଚାରୀମାନେ ଆକର୍ଷିତ ହୋଇଥିଲେ। ଏବେ ଚଣ୍ଡିଗଡ଼ର କର୍ମଚାରୀମାନେ କେନ୍ଦ୍ରୀୟ ନିୟମ ପାଇଁ ଦାବି କରୁଛନ୍ତି।

ଯଦି ପଞ୍ଜାବ ସରକାର ଏହି କର୍ମଚାରୀଙ୍କୁ ନିଜ ଅଧୀନରେ ରଖିବାକୁ ଚାହୁଁଛନ୍ତି, ତା’ହେଲେ ୬ଷ୍ଠ ବେତନ କମିଶନ ନିୟମ ଲାଗୁ କରନ୍ତୁ ବୋଲି ଶ୍ରୀ ଶର୍ମା କହିଛନ୍ତି। ସେ ଆହୁରି କିଛି କହିବାକୁ ଚାହୁଁଥିଲେ ମଧ୍ୟ ବାଚସ୍ପତି ଏଥିପାଇଁ ଅନୁମତି ଦେଇ ନଥିଲେ। ତେଣୁ ଶ୍ରୀ ଶର୍ମା ଓ ବିଜେପି ବିଧାୟକ ଜାଙ୍ଗି ଲାଲ ମହାଜନ ରାଗରେ କକ୍ଷ ତ୍ୟାଗ କରିଥିଲେ।

Related story