ରାହୁଲ ଗାନ୍ଧିଙ୍କ ପିଛା ଛାଡ଼ୁନି ଇଡି, ପୁଣି ଶୁକ୍ରବାର ହାଜର ହେବେ

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା ରାହୁଲ ଗାନ୍ଧିଙ୍କ ପିଛା ଛାଡ଼ିବା ମୁଡରେ ନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। କ୍ରମାଗତ ୩ ଦିନ ଧରି ରାହୁଲଙ୍କୁ ପ୍ରାୟ ୩୦ ଘଣ୍ଟା ଜେରା କରିଥିଲେ ମଧ୍ୟ ଇଡିର ମନ ବୁଝିନାହିଁ। ଏଥିପାଇଁ ତାଙ୍କୁ ପୁଣି ଶୁକ୍ରବାର ଦିନ ୧୧ଟା ବେଳକୁ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ହାଜର ହେବାକୁ ଇଡି ନୋଟିସ କରିଛି। ସୋମବାର ୯ ଘଣ୍ଟା, ମଙ୍ଗଳବାର ୧୦ ଘଣ୍ଟା ଓ ଆଜି ମଧ୍ୟ ପ୍ରାୟ ୧୦ […]

Rahul-Gandhi

Rahul-Gandhi

Hemant Lenka
  • Published: Wednesday, 15 June 2022
  • Updated: 16 June 2022, 12:34 PM IST

Sports

Latest News

ନୂଆଦିଲ୍ଲୀ: ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା ରାହୁଲ ଗାନ୍ଧିଙ୍କ ପିଛା ଛାଡ଼ିବା ମୁଡରେ ନାହିଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। କ୍ରମାଗତ ୩ ଦିନ ଧରି ରାହୁଲଙ୍କୁ ପ୍ରାୟ ୩୦ ଘଣ୍ଟା ଜେରା କରିଥିଲେ ମଧ୍ୟ ଇଡିର ମନ ବୁଝିନାହିଁ। ଏଥିପାଇଁ ତାଙ୍କୁ ପୁଣି ଶୁକ୍ରବାର ଦିନ ୧୧ଟା ବେଳକୁ ଦିଲ୍ଲୀ ସ୍ଥିତ ମୁଖ୍ୟାଳୟରେ ହାଜର ହେବାକୁ ଇଡି ନୋଟିସ କରିଛି।

ସୋମବାର ୯ ଘଣ୍ଟା, ମଙ୍ଗଳବାର ୧୦ ଘଣ୍ଟା ଓ ଆଜି ମଧ୍ୟ ପ୍ରାୟ ୧୦ ଘଣ୍ଟା ଧରି ରାହୁଲଙ୍କୁ ନ୍ୟାଶନାଲ ହେରାଲ୍ଡ ଓ ୟଙ୍ଗ ଇଣ୍ଡିଆ କମ୍ପାନୀରେ ଥିବା ତାଙ୍କ ଭୂମିକା ସମ୍ପର୍କରେ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲା ଇଡି। ଏଥିସହ ରାହୁଲଙ୍କ ଅଡିଓ ଓ ଭିଡିଓ ମଧ୍ୟ ଆଜି ଇଡିର ୩ ଜଣିଆ ଟିମ୍‌ ରେକର୍ଡ କରିଛନ୍ତି। ଏହା ସତ୍ତ୍ୱେ ମଧ୍ୟ ଆଉ କିଛି ପ୍ରଶ୍ନ ବଳି ପଡ଼ିଛି। ତେଣୁ ତାଙ୍କୁ ଶୁକ୍ରବାର ହାଜର ହେବାକୁ କୁହାଯାଇଛି।

ରାହୁଲଙ୍କୁ ପ୍ରତିଦିନ ଇଡି ଦୀର୍ଘ ଘଣ୍ଟା ବସାଇ ଜେରା କରୁଥିବାରୁ କଂଗ୍ରେସ ଏହାକୁ ବିରୋଧ କରିଛି। ଆଜି ରାହୁଲଙ୍କ ଜେରାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ବିକ୍ଷୋଭ କରୁଥିବା ବେଳେ ଦିଲ୍ଲୀ ପୁଲିସ୍‌ର କର୍ମଚାରୀମାନେ ଦଳର ମୁଖ୍ୟାଳୟରେ ପଶି ଠେଲାପେଲା କରିଛନ୍ତି। ଏହା ବିରୋଧରେ କଂଗ୍ରେସ କର୍ମୀ ଓ ନେତାମାନେ ଆସନ୍ତାକାଲି ଦେଶରେ ଥିବା ସମସ୍ତ ରାଜଭବନ ଘେରାଉ କରିବେ। ସେହିପରି ଦିନକ ପରେ ଜିଲ୍ଲା ସଦର ମହକୁମାରେ ମଧ୍ୟ ଦଳ ସମସ୍ତ କେନ୍ଦ୍ରୀୟ ଅଫିସ ଗୁଡ଼ିକ ଆଗରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି।

ଏହାବାଦ ଆଜି କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଇଡିର କାର୍ଯ୍ୟକଳାପ ଉପରେ ହସ୍ତକ୍ଷେପ କରିବାକୁ ଚିଠି ଲେଖିଛନ୍ତି। ରାହୁଲ ଗାନ୍ଧି ଜଣେ ସାଂସଦ ହୋଇଥିବା ବେଳେ ତାଙ୍କୁ ଇଡି ବାରମ୍ବାର ଡାକି ଅମାନବୀୟ ବ୍ୟବହାର କରୁଥିବାରୁ ସେ ବାଚସ୍ପତିଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। କଂଗ୍ରେସ ମଧ୍ୟ ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ କେନ୍ଦ୍ର ସରକାର ବୃଦ୍ଧି କରିଥିବାରୁ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଜଣାପଡ଼ିଛି।

ଆଜି ଦିନ ପ୍ରାୟ ୧୧.୩୫ ରାହୁଲ ଗାନ୍ଧି ଭଉଣୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଓ ଜେଡ ପ୍ଲସ ସୁରକ୍ଷା ମଧ୍ୟରେ ଏପିଜେ ଅବଦୁଲ କଲାମ ମାର୍ଗରେ ଥିବା ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ତାଙ୍କୁ ଠିକ୍‌ ୧୨ ଟା ବେଳକୁ ଜେରା ଆରମ୍ଭ କରାଯାଇଥିଲା। ତାଙ୍କ ବୟାନକୁ ଉଭୟ ଅଡିଓ ଓ ଭିଡିଓ ରେକର୍ଡିଂ କରାଯାଇଛି।

ସେହିପରି ଏ୪ କାଗଜରେ ମଧ୍ୟ ରାହୁଲ କହୁଥିବା କଥା ଗୁଡ଼ିକୁ ଟାଇପ କରି ରଖାଯାଇଛି। ପ୍ରାୟ ୩ ଘଣ୍ଟାର ଜେରା ପରେ ରାହୁଲଙ୍କୁ ଲଞ୍ଚ ବ୍ରେକରେ ଛଡ଼ା ଯାଇଥିଲା। ସେ ପୁଣି ଅପରାହ୍ନ ୪ଟାରେ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ପର୍ଯ୍ୟାୟରେ ତାଙ୍କୁ ପ୍ରାୟ ସାଢ଼େ ୬ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା। ସେ ଇଡି କାର୍ଯ୍ୟାଳୟରୁ ବାହାରିବା ବେଳେ ତାଙ୍କୁ ଗୁରୁବାର ଛାଡ଼ି ଶୁକ୍ରବାର ପୁଣି ହାଜର ହେବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos