ଏପ୍ରିଲ ୨୨ରୁ ପୂରା ରାଜ୍ୟରେ ମାସେ ପାଇଁ ଲାଗୁ ହେବ ୧୪୪ ଧାରା

ଜୟପୁର: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ୧୫ ଦିନିଆ ଲକଡାଉନ ଲାଗୁ କରିଥିବା ରାଜସ୍ଥାନ ସରକାର ଏବେ ଆହୁରି କଠୋର ପଦକ୍ଷେପ ନେଇଛନ୍ତି। ଲକଡାଉନ ଭିତରେ ଲୋକମାନେ ନିଜ ନିଜ ଘରେ ରହିଥିବା ବେଳେ ସରକାର ୧୪୪ ଧାରା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୨ ତାରିଖରୁ ସମଗ୍ର ରାଜ୍ୟରେ ୧୪୪ ଧାରା ଲାଗୁ ହେବ। ଏହା ମେ’ ୨୧ ଅର୍ଥାତ ମାସେ ଯାଏ ବଳବତ୍ତର ରହିବ। ୧୪୪ ଧାରା ଲାଗୁ ହୋଇଥିବାରୁ […]

Raj

Hemant Lenka
  • Published: Tuesday, 20 April 2021
  • , Updated: 20 April 2021, 06:30 PM IST

ଜୟପୁର: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ୧୫ ଦିନିଆ ଲକଡାଉନ ଲାଗୁ କରିଥିବା ରାଜସ୍ଥାନ ସରକାର ଏବେ ଆହୁରି କଠୋର ପଦକ୍ଷେପ ନେଇଛନ୍ତି। ଲକଡାଉନ ଭିତରେ ଲୋକମାନେ ନିଜ ନିଜ ଘରେ ରହିଥିବା ବେଳେ ସରକାର ୧୪୪ ଧାରା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଆସନ୍ତା ୨୨ ତାରିଖରୁ ସମଗ୍ର ରାଜ୍ୟରେ ୧୪୪ ଧାରା ଲାଗୁ ହେବ। ଏହା ମେ’ ୨୧ ଅର୍ଥାତ ମାସେ ଯାଏ ବଳବତ୍ତର ରହିବ। ୧୪୪ ଧାରା ଲାଗୁ ହୋଇଥିବାରୁ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଗୋଟିଏ ସମୟରେ ଏକାଠି ହୋଇପାରିବେ ନାହିଁ। ରାଜସ୍ଥାନ ଗୃହ ବିଭାଗ ପକ୍ଷରୁ ଏ ସଂମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ୧୪୪ ଧାରା ଲାଗୁ ବେଳେ କେଉଁ ସବୁ ସେବାକୁ ଅନୁମତି ମିଳିବ ଓ କ’ଣ ସବୁ ବନ୍ଦ ରହିବ ସେ ବିଷୟରେ ବିସ୍ତୃତ ତଥ୍ୟ ଦିଆଯାଇନାହିଁ। ସୂଚନାଯୋଗ୍ୟ, ଗତକାଲି ଠାରୁ ରାଜସ୍ଥାନରେ ୧୫ ଦିନିଆ ଲକଡାଉନ ଆରମ୍ଭ ହୋଇଥିଲା। ଏହି ଲକଡାଉନ ମେ’ ୩ ଯାଏ ବଳବତ୍ତର ରହିବ ବୋଲି ସରକାର କହିଥିଲେ।

ଲକଡାଉନରୁ ଜରୁରୀ ସେବାକୁ ବାଦ ଦିଆଯାଇଛି। ହେଲେ ରାଜ୍ୟରେ ଥିବା ପେଟ୍ରୋଲ ପମ୍ପଗୁଡ଼ିକ ରାତି ୮ଟା ସୁଦ୍ଧା ବନ୍ଦ ହେବ ବୋଲି ଗାଇଡଲାଇନରେ କୁହାଯାଇଥିଲା। ଗାଇଡଲାଇନରେ ଆହୁରି କୁହାଯାଇଛି ଯେ ବଜାର, ମଲ୍‌, କମ୍ଲେକ୍ସ, ସିନେମା ହଲ ଓ ଧର୍ମାନୁଷ୍ଠାନ ଲକଡାଉନ ବେଳେ ଖୋଲିବ ନାହିଁ। ସମସ୍ତ ଶିକ୍ଷାନୁଷ୍ଠାନ, ଲାଇବ୍ରେରୀ, ସାମାଜିକ ଓ ରାଜନୀତିକ କାର୍ଯ୍ୟକ୍ରମ ଉପରେ ବ୍ୟାନ୍‌ ଲଗାଯାଇଛି। ସମସ୍ତ ବ୍ୟବସାୟିକ ଅଫିସ ମଧ୍ୟ ବନ୍ଦ ରହିବ।

ରେଳ, ବସ୍‌ କିମ୍ବା ବିମାନ ବନ୍ଦର ଯାଉଥିବା ଲୋକମାନେ ସେମାନଙ୍କ ବୈଧ ଟିକେଟ ଦେଖାଇ ଯିବା ଆସିବା କରିପାରିବେ। ବାହାର ରାଜ୍ୟରୁ ରାଜସ୍ଥାନ ଆସିବାକୁ ଥିବା ଲୋକମାନେ ୭୨ ଘଣ୍ଟା ପୂର୍ବରୁ ନିଜର ଆରଟି-ପିସିଆର ଟେଷ୍ଟ ରିପୋର୍ଟ ଦେଖାଇବେ। ବାହାଘର କାର୍ଯ୍ୟକ୍ରମରେ ୫୦ ଜଣ ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣ ସାମିଲ ହୋଇପାରିବେ। ଲକଡାଉନ ବେଳେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିବ ବୋଲି ଗାଇଡଲାଇନରେ କୁହାଯାଇଥିଲା।

Related story