ୟୁକ୍ରେନରେ କେମିତି ହୋଇଥିଲା ଅପରେସନ? ସଂସଦରେ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଯୁଦ୍ଧତ୍ରସ୍ତ ୟୁକ୍ରେନରୁ ଭାରତ ସରକାର ସବୁଠାରୁ ବଡ଼ ଚ୍ୟାଲେଞ୍ଜିଂ ଅପରେସନକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରି ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଆଜି ସଂସଦରେ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଯୁଦ୍ଧ ଯୋଗୁ ହଜାର ହଜାର ଭାରତୀୟ ୟୁକ୍ରେନର ବିଭିନ୍ନ ସହରରେ ଫସି ରହିଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଥିଲେ। ଏହି ଅପରେସନ ଦ୍ୱାରା ୟୁକ୍ରେନରୁ ସୁରକ୍ଷିତ ଭାବେ ୨୨,୫୦୦ ଜଣ ଭାରତୀୟଙ୍କୁ […]

Ukraine

Hemant Lenka
  • Published: Tuesday, 15 March 2022
  • , Updated: 15 March 2022, 05:25 PM IST

ନୂଆଦିଲ୍ଲୀ: ଯୁଦ୍ଧତ୍ରସ୍ତ ୟୁକ୍ରେନରୁ ଭାରତ ସରକାର ସବୁଠାରୁ ବଡ଼ ଚ୍ୟାଲେଞ୍ଜିଂ ଅପରେସନକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରି ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଆଜି ସଂସଦରେ କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଯୁଦ୍ଧ ଯୋଗୁ ହଜାର ହଜାର ଭାରତୀୟ ୟୁକ୍ରେନର ବିଭିନ୍ନ ସହରରେ ଫସି ରହିଥିଲେ।

ସେମାନଙ୍କୁ ଉଦ୍ଧାର କରିବାକୁ ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଥିଲେ। ଏହି ଅପରେସନ ଦ୍ୱାରା ୟୁକ୍ରେନରୁ ସୁରକ୍ଷିତ ଭାବେ ୨୨,୫୦୦ ଜଣ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଇଛି। ଏ ସମ୍ପର୍କରେ ଆଜି ରାଜ୍ୟସଭାରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ବିବୃତି ରଖିଛନ୍ତି।

ସେ କହିଛନ୍ତି, ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ଯୋଗୁ ୨୦ ହଜାରରୁ ଅଧିକ ଭାରତୀୟଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା। ସେମାନଙ୍କୁ ୟୁକ୍ରେନରୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅପରେସନ ଗଙ୍ଗା ଆରମ୍ଭ କରିଥିଲେ। ବଡ଼ ଯୁଦ୍ଧ ଆରମ୍ଭ ପୂର୍ବରୁ ଭାରତ ସରକାର ନିଜ ଦେଶର ନାଗରିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଥିଲେ।

ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିବାରୁ ଜାନୁଆରୀ ୨୦୨୨ରୁ ୟୁକ୍ରେନରେ ଥିବା ଦୂତାବାସ ପକ୍ଷରୁ ଭାରତୀୟଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଥିଲା। ଏହି ପ୍ରକ୍ରିୟାରେ ପ୍ରାୟ ୨୦ ହଜାର ଭାରତୀୟ ପଞ୍ଜୀକରଣ କରିଥିଲେ। ଏକାଧିକ ସତର୍କ ସୂଚନା ସତ୍ତ୍ୱେ ବିପୁଳ ସଂଖ୍ୟାର ଶିକ୍ଷାର୍ଥୀ ୟୁକ୍ରେନରେ ରହିବାକୁ ପସନ୍ଦ କରିଥିଲେ।

ସେମାନଙ୍କ ପାଠପଢ଼ା ବ୍ୟାହତ ହେବାର ଆଶଙ୍କା ଥିବାରୁ ସେମାନେ ୟୁକ୍ରେନରେ ରହିବାକୁ ଚାହୁଁଥିଲେ। କିଛି ବିଶ୍ୱବିଦ୍ୟାଳୟ ମଧ୍ୟ ସ୍ଥିତିକୁ ହାଲୁକା ଭାବେ ନେଇଥିଲେ। ଯୁଦ୍ଧ ବଢ଼ିବାରୁ ଭାରତୀୟମାନେ ମଧ୍ୟ ଅସୁବିଧାରେ ପଡ଼ିଥିଲେ। ତେଣୁ ଯୁଦ୍ଧତ୍ରସ୍ତ ଅଞ୍ଚଳରୁ ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ ଗଙ୍ଗା ଆରମ୍ଭ କରାଯାଇଥିଲା ବୋଲି ସେ କହିଛନ୍ତି।

ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଆହୁରି କହିଛନ୍ତି, “ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆମେ ଅପରେସନ ଗଙ୍ଗା ଆରମ୍ଭ କରିଥିଲୁ। ଏହାପରେ ଯୁଦ୍ଧଦ୍ୱାରା ପ୍ରଭାବିତ ଦେଶରୁ ସୁରକ୍ଷିତ ଭାବେ ପିଲାମାନଙ୍କୁ ଉଦ୍ଧାର କରିବା ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜିଂ ଅପରେସନକୁ କାର୍ଯ୍ୟକାରୀ କରାଯାଇଥିଲା।

ଗୋଟିଏ ପଟେ ଏୟାର ଷ୍ଟ୍ରାଇକ ଓ ବୋମା ମାଡ଼ ଚାଲିଥିବା ବେଳେ ଅପରେସନ ଗଙ୍ଗାକୁ ସଫଳ କରିବା ଆଦୌ ସହଜ ନଥିଲା। ଆମେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରୁଷ, ୟୁକ୍ରେନ ଓ ସୀମାନ୍ତ ଅଞ୍ଚଳରେ ଥିବା ୫ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ନିୟମିତ ଯୋଗାଯୋଗରେ ଥିଲୁ।

ବିଶେଷ କରି ଖାରକିଭ ଓ ସୁମୀରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। କାରଣ ଏଠାରେ ଯୁଦ୍ଧର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳିଥିଲା। ଲୋକମାନେ ଘରୁ ବାହାରିବାକୁ ଭୟ କରୁଥିଲେ। ଏସବୁ ଭିତରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା। ସେ ନିଜେ ରୁଷ ଓ ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ। ଏହାପରେ ସୁମୀ ଓ ଖାରକିଭରୁ ପିଲାମାନଙ୍କୁ ବସ୍‌ ଯୋଗେ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା।

ଉଦ୍ଧାର କାର୍ଯ୍ୟ ଶେଷ ହେବା ଯାଏ ଆମ ଦୂତାବାସ ଅଧିକାରୀମାନେ ୟୁକ୍ରେନ ପ୍ରଶାସନ ସହ ଯୋଗାଯୋଗରେ ରହିଥିଲେ। ମାର୍ଚ୍ଚ ୧୩ରେ ସ୍ଥିତି ଅଧିକ ଖରାପ ହେବାରୁ ଆମ ଦୂତାବାସ ପୋଲାଣ୍ଡକୁ ସ୍ଥାନାନ୍ତର ହୋଇଛି।”

ଅପରେସନ ଗଙ୍ଗା ଦ୍ୱାରା ମୋଟ ୯୦ଟି ବିମାନ ପରିଚାଳିତ ହୋଇଥିଲା। ଏହା ମଧ୍ୟରେ ଭାରତୀୟ ବାୟୁସେନାର ୧୪ଟି ବିମାନ ରହିଥିବା ସେ ସୂଚନା ଦେଛନ୍ତି। ଏଥିସହ ଉଦ୍ଧାର କାର୍ଯ୍ୟକୁ ସୂଚାର ରୂପେ ତୁଲାଇବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ସହ ସବୁ ବିଭାଗର ଅଧିକାରୀ ମିଳିତ ଭାବେ କାମ କରିଥିଲେ। ଏଥିପାଇଁ ଜୟଶଙ୍କର ସବୁ ମନ୍ତ୍ରଣାଳୟର ଅଧିକାରୀ, ପ୍ରତିରକ୍ଷା, ଏନଡିଆରଏଫ, ଭାରତୀୟ ବାୟୁସେନା ଓ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି।

Related story