ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେ ସରକାରକୁ ଗାଦିଚ୍ୟୁତ ପାଇଁ ହୋଇଥିବା ଷଡ଼ଯନ୍ତ୍ରକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ପୀୟୁଷ ଗୋଏଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଶିବସେନା, ଏନସିପି ଏବଂ କଂଗ୍ରେସ ମଧ୍ୟରେ ଅପବିତ୍ର ସମ୍ପର୍କ ଥିଲା। ଯାହା ଭାଙ୍ଗିବା ଅବଶ୍ୟମ୍ଭାବୀ ଥିଲା। ରାଜ୍ୟରେ ଏମିତି ଦେବାଳିଆ ବିଚାରଧାରା ସେ କେବେ ଆଗରୁ ଦେଖି ନାହାନ୍ତି। ଏହି ଅପବିତ୍ର ସମ୍ପର୍କ ଭାଙ୍ଗିବା ସୁନିଶ୍ଚିତ ଥିଲା। ଉଦାହରଣ ଦେଇ ଗୋଏଲ କହିଛନ୍ତି ଯେ ,ଏବେ ସୋଶାଲ ମିଡିଆରେ ବାଲାସାହେବ ଠାକରେଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁ ଭିଡିଓରେ ବାଲାସାହେବ କହୁଛନ୍ତି ଦଳ ଭାଙ୍ଗି ଦେବେ ବରଂ କଂଗ୍ରେସ ସହ ବୁଝାମଣା କରିବେ ନାହିଁ। ମହାରାଷ୍ଟ୍ରରେ ଏମିତି ଦେବାଳିଆ ବିଚାରଧାରା ଆଗରୁ କେବେ ଦେଖି ନାହାନ୍ତି ବୋଲି ସେ କହିଛନ୍ତି ।
ନୂଆଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ପୀୟୁଷ ଗୋଏଲ। ମହାରାଷ୍ଟ୍ରରେ ସକରାର ଗଠନ କରିଥିବା ୩ଟି ଦଳ ପରସ୍ପରକୁ ଘୃଣା କରନ୍ତି। ଗତ ଅଢ଼େ ବର୍ଷ ମଧ୍ୟରେ ଏକ ଅବୈଧ ଏବଂ ଦୁର୍ନୀତିଗ୍ରସ୍ତ ସରକାରକୁ ଆମେ ଦେଖିବାକୁ ପାଇଲୁ ବୋଲି ସେ କହିଛନ୍ତି । ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରର ମହା ବିକାଶ ଅଘାଡ଼ି ସରକାରଙ୍କ ଅସ୍ତିତ୍ୱକୁ ସଂଘର୍ଷ ଜାରି ରହିଛି। କାରଣ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେଙ୍କ ପ୍ରତି ୪୦ ବିଧାୟକ ସମର୍ଥନ ଥିବା ଦାବି କରି ଉଦ୍ଧବ ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି।
ଏକନାଥ ସିନ୍ଦେ ଆମ ଗୋଷ୍ଠୀର ନେତା ବୋଲି ଜଣାଇ ଗୌହାଟୀରେ ଡେରା ପକାଇଥିବା ଶିବସେନାର ୩୭ ବିଦ୍ରୋହୀ ବିଧାୟକ ଗୁରୁବାର ଦିନ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି ନରହରି ଜିର୍ୱାଲ୍ଙ୍କୁ ପତ୍ର ଲେଖିଛନ୍ତି। ବିଦ୍ରୋହୀ ମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସ୍ଥାନରେ ଉପବାଚସ୍ପତି ଶିବସେନା ବିଧାୟକ ଦଳର ନେତା ଭାବେ ଅଜୟ ଚୌଧରୀଙ୍କ ନାମ ଅନୁମୋଦନ କରିବା ପରେ ବିଦ୍ରୋହୀ ବିଧାୟକ ଗୋଷ୍ଠୀ ଉପରୋକ୍ତ ପତ୍ର ଲେଖିଛନ୍ତି। ଜିର୍ୱାଲ୍ଙ୍କୁ ଲିଖିତ ଉକ୍ତ ପତ୍ରରେ ୩୭ଜଣ ବିଦ୍ରୋହୀ ବିଧାୟକଙ୍କ ସ୍ୱାକ୍ଷର ରହିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।