ମୁମ୍ବାଇ: ଉଦ୍ଧବ ଠାକରେ ଓ ବିଜେପି ସହ ହାତ ମିଳାଇ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଲଢ଼େଇରେ ନୂଆ ଟ୍ୱିଷ୍ଟ ଆସିଛି। ଉଭୟ ଗୋଷ୍ଠୀ ନିଜକୁ ପ୍ରକୃତ ଶିବ ସୈନିକ ବୋଲି ଦାବି କରିବା ସହ ଶିବସେନାର ଦଳୀୟ ଚିହ୍ନ(ଧନୁ ଓ ତୀର) ଉପରେ ନିଜର ହକ ଜାହିର କରିବାରେ ଲାଗିଥିଲେ।
ଏହି ବିବାଦ ଭିତରେ ଆଜି ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। ଆଜି ନିର୍ବାଚନ କମିଶନ(ଇସି) ଶିବସେନାର ଦଳୀୟ ଚିହ୍ନର ବ୍ୟବହାର ଉପରେ ରୋକ ଲଗାଇ ଦେଇଛନ୍ତି। ଏହାର ଅର୍ଥ ଉଦ୍ଧବ କିମ୍ବା ସିନ୍ଦେ ଗୋଷ୍ଠୀ କେହି ବି ପରବର୍ତ୍ତୀ ନିଷ୍ପତ୍ତି ଯାଏ ଦଳୀୟ ଚିହ୍ନର ବ୍ୟବହାର କରିପାରିବେ ନାହିଁ। ନଭେମ୍ବର ୩ରେ ମହାରାଷ୍ଟ୍ରର କିଛି ବିଧାନସଭା ଆସନରେ ଉପ ନିର୍ବାଚନ ହେବ। ଏହା ପୂର୍ବରୁ ଇସିଙ୍କ ଏପରି ପଦକ୍ଷେପ ଉଦ୍ଧବ ଗୋଷ୍ଠୀଙ୍କୁ ଶକ୍ତ ଝଟକା ସଦୃଶ ହୋଇଛି।
କାରଣ ଏଯାଏ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ଶିବସେନାର ଦଳୀୟ ଚିହ୍ନ ବ୍ୟବହାର କରି ଆସୁଥିଲା। ଏକନାଥ ସିନ୍ଦେ ବିଜେପି ସହ ମିଶିବା ପରେ ଦଳୀୟ ଚିହ୍ନ ହାସଲ କରିବାକୁ ଇସିଙ୍କ ନିକଟରେ ଆବେଦନ କରିଥିଲେ। ଏହା ବିରୋଧରେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ସୁପ୍ରିମକୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ଇସିଙ୍କୁ ନେବାକୁ କହିଥିଲେ। ଇସି ଏହି ବିବାଦର ବିଚାର କରୁଥିବା ବେଳେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀଙ୍କୁ ଜବାବ ଦାଖଲ କରିବାକୁ କହିଥିଲା। ଉଦ୍ଧବ ଠାକରେ ଜବାବ ଦେବା ପରେ ଆଜି ଇସି ଦଳୀୟ ଚିହ୍ନକୁ ଫ୍ରିଜ୍ ବା ଦଳୀୟ ଚିହ୍ନର ବ୍ୟବହାର ଉପରେ ରୋକ ଲାଗି ଦେଇଛନ୍ତି। ଏଥିସହ ଉଭୟ ପକ୍ଷଙ୍କୁ ଅକ୍ଟୋବର ୧୧ ତାରିଖ ଦିନ ୧ଟା ସୁଦ୍ଧା ଦଳୀୟ ଚିହ୍ନଙ୍କୁ ଇସିଙ୍କ ନିକଟରେ ଦାଖଲ କରିବାକୁ କହିଛନ୍ତି।
ଇସି ଦୁଇ ଗୋଷ୍ଠୀଙ୍କୁ ଉପଲବ୍ଧ ଥିବା ନିର୍ବାଚନୀ ଚିହ୍ନ ମଧ୍ୟରୁ ଗୋଟିଏ ବାଛିବାକୁ କହିଛନ୍ତି। ନିଜ ପସନ୍ଦର ୩ଟି ଦଳୀୟ ଚିହ୍ନ ସମ୍ପର୍କରେ ଆବେଦନ କରିବାକୁ ଇସି ଦୁଇ ଗୋଷ୍ଠୀଙ୍କୁ ଅକ୍ଟୋବର ୧୧ ଦିନ ୧ ଟା ସୁଦ୍ଧା ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ସମ୍ଭବତଃ ଏହି ଚିହ୍ନରେ ଉଦ୍ଧବ ଠାକରେ ଓ ବିଜେପି ସମର୍ଥିତ ସିନ୍ଦେ ଗୋଷ୍ଠୀ ଅନ୍ଧେରୀ(ଇଷ୍ଟ) ଉପ ନିର୍ବାଚନ ଲଢ଼ିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।