ନୋଏଡା: ନୋଏଡାରେ ଥିବା ଟ୍ୱିନ୍ ଟାୱାର୍ସ ଆଜି ଧୂଳିସାତ ହୋଇଛି। ନୋଏଡାରେ ଟ୍ୱିନ୍ ଟାଓ୍ୱାରକୁ ଧ୍ୱଂସ କରିବା ଯେତିକି କାଠିକର ପାଠ ଥିଲା, ତାଠୁ ବଡ଼ ଚାଲେଞ୍ଜ ଥିଲା ଆଖପାଖ ବାସିନ୍ଦା, ଜୀବଜନ୍ତୁ ଏବଂ କୋଠାଗୁଡ଼ିକର ସୁରକ୍ଷା । ସେଥିପାଇଁ ୫୬୦ ପୁଲିସ କର୍ମଚାରୀ, ୧୦୦ ରିଜର୍ଭ ଫୋର୍ସ ଯବାନ, ୪ଟି କୁଇକ୍ ରେସ୍ପନ୍ସ ଟିମ୍ ଓ ଏନ୍ଡିଆରଏଫ୍ ଟିମ୍ ମୁତୟନ ହୋଇଥିଲା ସକାଳୁ ସକାଳୁ ୫୦୦ମିଟର ପରିଧିରୁ ପ୍ରାୟ ୭୦୦୦ ଲୋକ ଓ ଶତାଧିକ ପୋଷା ଜନ୍ତୁ ଓ ବୁଲା କୁକୁରଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହିତ ଗ୍ୟାସ୍ ଓ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଥିଲା । ଅଧଘଣ୍ଟା ପାଇଁ ବନ୍ଦ ଥିଲା ଗ୍ରେଟର୍ ନୋଏଡ଼ା ଏକ୍ସପ୍ରେସ୍ ୱେ ଧୂଳି ଓ ପ୍ରଦୂଷଣ ମାତ୍ରା ମାପିବାକୁ ସ୍ୱତନ୍ତ୍ର ମେସିନ୍ ବସାଯାଇଥିଲା । ଟ୍ୱିନ୍ ଟାଓ୍ୱାର୍ ଠୁ ମାତ୍ର ୮-୧୦ ମିଟର ଦୂରରେ ଆପାର୍ଟମେଣ୍ଟ ଗୁଡ଼ିକ ଥିବାରୁ ସେଗୁଡ଼ିକୁ ପରଦାରେ ଘୋଡ଼ାଇ ଦିଆଯାଇଥିଲା । କାଳେ କୌଣସି କୋଠା କ୍ଷତିଗ୍ରସ୍ତ ହେବ ସେଥିପାଇଁ ସୁପର୍ଟେକ୍ କଂପାନୀ ଦ୍ୱାରା ଶହେ କୋଟି ଟଙ୍କାର ବୀମା କରାଯାଇଥିଲା । ସୁପରଟେକର ଅଧ୍ୟକ୍ଷ ଆର.କେ.ଆରୋରା କହିଛନ୍ତି ଯେ, ଏହି ଟାୱାର ଦୁଇଟିକୁ ଭଙ୍ଗାଯିବା ଯୋଗୁ କମ୍ପାନି ୫୦୦ କୋଟି ଟଙ୍କାର କ୍ଷତି ସହିଛି ।
ଏହି ପୂରା ଧ୍ୱଂସ ପ୍ରକ୍ରିୟା ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ, ଏହା ଦ୍ୱାରା ସୁପରଟେକ ୫୦୦ କୋଟି ଟଙ୍କା କ୍ଷତି ସହିଥିବା କହିଛି। ତେବେ ବର୍ତ୍ତମାନ ମଧ୍ୟ କାମ ସରିନାହିଁ ବିସ୍ଫୋରଣ ପରେ ପରିବେଶ ସଫା କରିବାକୁ ଶତାଧିକ ପାଣି ଟ୍ୟାଙ୍କର, ଆଣ୍ଟି ସ୍ମୋଗ୍ ଗନ୍ ବ୍ୟବହାର କରାଯାଉଛି ଓ ୩୦୦ସଫେଇ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଅନ୍ୟପଟେ ପାହାଡ଼ ଭଳି ଜମା ହୋଇଥିବା ପ୍ରାୟ ୫୫ ହଜାର ଟନ୍ ଧ୍ୱଂସାବଶେଷକୁ ୩ ମାସ ଭିତରେ ସଫା କରାଯିବ ଏବଂ ଏଥିପାଇଁ ୩ ହଜାର ଟ୍ରିପ୍ ଟ୍ରକ୍ ଲାଗିବ ବୋଲି ସୂଚନା ମିଳିଛି।
ବେଆଇନ ଭାବେ ନିର୍ମିତ ଏହି ସୁପର୍ଟେକ୍ ଟ୍ୱିନ୍ ଟାଓ୍ୱାରକୁ ଧ୍ୱଂସ କରିବାକୁ ଏକ ଦଶନ୍ଧି ଧରି ଚାଲିଥିଲା ଆଇନଗତ ଲଢ଼େଇ। ୨୦୧୪ରେ ଆହ୍ଲାବାଦ ହାଇକୋର୍ଟ ଏବଂ ୨୦୨୧ରେ ସୁପ୍ରିମକୋର୍ଟ ଏହି ନିର୍ମାଣକୁ ବେଆଇନ ଦର୍ଶାଇ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଆଜି ମଧ୍ୟ ସୁପର୍ଟେକ୍ ରିୟଲିଟି ଫାର୍ମ କହିଛି ଯେ, ନୋଏଡ଼ା ଡେଭଲପମେଣ୍ଟ ଅଥରିଟିଙ୍କ ଅନୁମୋଦନ କ୍ରମେ ଏହି ନିର୍ମାଣ ହୋଇଥିଲା । ତେବେ ଏହାର ପରିଣତି ସଂସ୍ଥାର ଅନ୍ୟ ପ୍ରକଳ୍ପକୁ ପ୍ରଭାବିତ କରିବ ନାହିଁ ଏବଂ ସେଗୁଡ଼ିକ ଠିକ୍ ସମୟରେ ଗୃହକ୍ରେତାଙ୍କୁ ହସ୍ତାନ୍ତର କରାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।