ହେଟ ସ୍ପିଚ୍‌ର ପ୍ରସାର କରୁଥିବାରୁ ଟିଭି ଚ୍ୟାନେଲଗୁଡ଼ିକ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହେଟ ସ୍ପିଚ୍‌ ବା ଘୃଣା ଓ ବିବାଦ ସୃଷ୍ଟି କରିବା ଭଳି ବୟାନର ପ୍ରଚାର ପ୍ରସାର କରିବା ଘଟଣାକୁ ଦେଶର ଟିଭି ଚ୍ୟାନେଲଗୁଡ଼ିକ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଟିଭି ଚ୍ୟାନେଲରେ ଖବର ଉପସ୍ଥାପନ କରୁଥିବା ଆଙ୍କରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି। ଏଥିସହ ଟିଭି ଚ୍ୟାନେଲରେ ହେଟ ସ୍ପିଚର ପ୍ରସାର କରାଯାଉଥିବା ବେଳେ ସରକାର କାହିଁକି କେବଳ ନୀରବଦ୍ରଷ୍ଟା ସାଜୁଛନ୍ତି ବୋଲି ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଟିଭି ଚ୍ୟାନେଲ ଗୁଡ଼ିକ […]

sc

  • Published: Wednesday, 21 September 2022
  • , Updated: 21 September 2022, 05:22 PM IST

ନୂଆଦିଲ୍ଲୀ: ହେଟ ସ୍ପିଚ୍‌ ବା ଘୃଣା ଓ ବିବାଦ ସୃଷ୍ଟି କରିବା ଭଳି ବୟାନର ପ୍ରଚାର ପ୍ରସାର କରିବା ଘଟଣାକୁ ଦେଶର ଟିଭି ଚ୍ୟାନେଲଗୁଡ଼ିକ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଟିଭି ଚ୍ୟାନେଲରେ ଖବର ଉପସ୍ଥାପନ କରୁଥିବା ଆଙ୍କରମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି। ଏଥିସହ ଟିଭି ଚ୍ୟାନେଲରେ ହେଟ ସ୍ପିଚର ପ୍ରସାର କରାଯାଉଥିବା ବେଳେ ସରକାର କାହିଁକି କେବଳ ନୀରବଦ୍ରଷ୍ଟା ସାଜୁଛନ୍ତି ବୋଲି ମଧ୍ୟ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

ଟିଭି ଚ୍ୟାନେଲ ଗୁଡ଼ିକ ଦୈନିକ ସାଂପ୍ରଦାୟିକ ଉତ୍ତେଜନା ଓ ଅନ୍ୟାନ୍ୟ ଘୃଣା ସୃଷ୍ଟି କରିବା ଭଳି ବୟାନର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ହୋଇଆସୁଛି। ଏହାର ବିଚାର କରିବାକୁ ଗତବର୍ଷ ଠାରୁ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ କରାଯାଇଥିଲା। ଆଜି ଏଗୁଡ଼ିକର ଶୁଶାଣି ଜଷ୍ଟିସ କେଏମ ଯୋଶେଫଙ୍କ ଖଣ୍ଡପୀଠ କରିଛନ୍ତି।

ଶୁଣାଣି ବେଳେ ଜଷ୍ଟିସ ଯୋଶେଫ କହିଛନ୍ତି, “ମୁଖ୍ୟସ୍ରୋତର ମିଡିଆ ଓ ସୋଶାଲ ମିଡିଆରେ ସବୁଠାରୁ ଅଧିକ ହେଟସ୍ପିଚ୍‌ ପ୍ରକାଶ ପାଉଛି। ଏଠାରେ ପ୍ରକାଶ ପାଉଥିବା ବୟାନଗୁଡ଼ିକ ଅନିୟନ୍ତ୍ରିତ। ଆମେ ଦେଶ କୁଆଡ଼େ ଯାଉଛି? ଟିଭି ଚ୍ୟାନେଲଗୁଡ଼ିକର ଆଙ୍କରମାନଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଟିଭି ଆଙ୍କରମାନେ ଅତିଥିମାନଙ୍କୁ ପକ୍ଷ ରଖିବାକୁ ସମୟ ମଧ୍ୟ ଦେଉନାହାନ୍ତି। ଜଣେ ଯେତେବେଳେ ଟିଭି ଚ୍ୟାନେଲରେ ବିବାଦୀୟ କିମ୍ବା ଘୃଣା ସୃଷ୍ଟି କରିବା ଭଳି ବୟାନ ଦେଉଛନ୍ତି ସେତେବେଳେ ଆଙ୍କର ହିଁ ଏହା ଯେମିତି ଅଧିକ ନ ପ୍ରଚାର ହେବ, ତା’ର ବ୍ୟବସ୍ଥା କରିବା ଦରକାର। ପ୍ରେସର ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ। ଆମ ପ୍ରେସ ଆମେରିକା ଭଳି ସ୍ୱାଧୀନ ନୁହେଁ। କିନ୍ତୁ ଆମକୁ କେଉଁଠି ଲକ୍ଷ୍ମଣ ରେଖା ଟାଣିବାକୁ ହେବ, ସେକଥା ଜାଣିବାକୁ ପଡ଼ିବ।”

ଜଷ୍ଟିସ ଯୋଶେଫ ଆହୁରି କହିଛନ୍ତି, ରାଜନୀତିକ ଦଳଗୁଡ଼ିକ ହେଟସ୍ପିଚ୍‌କୁ ପୁଞ୍ଜି କରନ୍ତି ଓ ଟିଭି ଚ୍ୟାନେଲଗୁଡ଼ିକ ଏଥିପାଇଁ ମଞ୍ଚ ଭାବେ କାମ କରୁଛନ୍ତି। ସବୁଠାରୁ ଅଧିକ ଘୃଣା ଭରି ରହିଥିବା ଭାଷଣ ଟିଭି ଓ ସୋଶାଲ ମିଡିଆରେ ପ୍ରକାଶ ପାଉଛି। ହେଲେ ଦୁଭାର୍ଗ୍ୟର ବିଷୟ ହେଉଛି ଯେ ଟିଭିକୁ ନିୟନ୍ତ୍ରଣ କରିବା ପାଇଁ ଆମ ପାଖରେ କୌଣସି ବ୍ୟବସ୍ଥା ନାହିଁ। ଇଂଲଣ୍ଡରେ ଗୋଟିଏ ଟିଭି ଚ୍ୟାନେଲ ଉପରେ ମୋଟା ଅଙ୍କର ଜୋରିମାନା ଲାଗୁ କରାଯାଇଥିଲା। ହେଲେ ସେମିତି ବ୍ୟବସ୍ଥା ଭାରତରେ ନାହିଁ।

ଆଙ୍କରମାନଙ୍କୁ ଏହାକୁ କହିବାକୁ ପଡ଼ିବ ଯେ ଯଦି ଆପଣମାନେ ଭୁଲ କରିବେ, ତା’ହେଲେ ପରିଣାମ ଭୋଗିବାକୁ ପଡ଼ିବ। ଆମେ ଯେତେବେଳେ ବି ଟିଭି ଖୋଲିଥାଉ ସେତେବେଳେ ହେଟ ସ୍ପିଚ୍‌ ପାଉଛୁ। ଫଳରେ ଆମେ ଏହା ସହ ଜଡ଼ିତ ହୋଇଯାଉ। ଏହାକୁ କିଛି ଲୋକ ଗଣତନ୍ତ୍ର କହୁଛନ୍ତି। ହେଲେ ରାଜନେତାମାନେ ଏଥିରୁ ଫାଇଦା ହାସଲ କରୁଛନ୍ତି। ଗଣତନ୍ତ୍ର ସ୍ତମ୍ଭକୁ ସ୍ୱତନ୍ତ୍ର କୁହାଯାଏ। ତେଣୁ ଟିଭି ଚ୍ୟାନେଲଗୁଡ଼ିକ କାହା କଥାରେ ଫସିବା ଆଦୌ ଠିକ ନୁହେଁ।

ସେ କହିଛନ୍ତି, ଆପଣମାନେ ଅତିଥିମାନଙ୍କୁ ଡାକୁଛନ୍ତି ଓ ସେମାନଙ୍କୁ ଅପମାନିତ କରୁଛନ୍ତି। ଆମେ କୌଣସି ନିର୍ଦ୍ଦିଷ୍ଟ ଆଙ୍କରଙ୍କ କଥା କହୁନାହୁଁ କିନ୍ତୁ ସବୁ ଚ୍ୟାନେଲର ଏହା ଚାଲିଛି। ଏହାକୁ ରୋକିବାକୁ ଗୋଟିଏ ବ୍ୟବସ୍ଥା କରାଯିବା ଦରକାର। ପ୍ୟାନେଲ ଡିସକସନ, ବିତର୍କ ଓ ଇଣ୍ଟରଭ୍ୟୁ ଉପରେ ଗୋଟିଏ ସ୍ୱତନ୍ତ୍ର ସଂସ୍ଥା ନଜର ରଖୁ। ଯଦି ଆଙ୍କରଙ୍କୁ ଅଧିକ ସମୟ ନେବାର ଅଛି, ତା’ହେଲେ ଏଥିପାଇଁ ସ୍ୱତନ୍ତ୍ର ନିୟମ ନିର୍ଦ୍ଧାରିତ କରାଯାଉ।

ପ୍ରଶ୍ନ ଅଧିକ ଲମ୍ବା ରହୁଥିବା ବେଳେ ବ୍ୟକ୍ତିଙ୍କୁ ପ୍ରଶ୍ନର ଉତ୍ତର ଦେବାକୁ ସେହି ଅନୁସାରେ ସମୟ ଦେବା ଦରକାର। କିନ୍ତୁ ଏବେ ମିଡିଆରେ ଅତିଥିଙ୍କୁ ସମୟ ଦିଆଯାଉନି। ଏପରି ସ୍ଥିତିରେ କେନ୍ଦ୍ର କାହିଁକି ଚୁପ ରହୁଛି? ରାଜ୍ୟଗୁଡ଼ିକୁ ମଧ୍ୟ ପଦକ୍ଷେପ ନେବା ଉଚିତ। କେନ୍ଦ୍ର ସରକାର ଗୋଟିଏ ଶକ୍ତ ନିୟାମକ ସଂସ୍ଥା ସ୍ଥାପନ କରନ୍ତୁ ବୋଲି ଜଷ୍ଟିସ ଯୋଶେଫ କହିଛନ୍ତି।

କୋର୍ଟ ଆହୁରି କହିଛନ୍ତି, ହେଟ ସ୍ପିଚ୍‌ ହେଉଛି ଗୋଟିଏ ବହୁସ୍ତରୀୟ ବ୍ୟବସ୍ଥା। ଏହା ଜଣଙ୍କୁ ହତ୍ୟା କରିବା ସହ ସମାନ। ଆପଣ ଏହାକୁ ଏକାଧିକ ମାର୍ଗ, ଧୀରେ କିମ୍ବା ଅନ୍ୟ କୌଣସି ଉପାୟରେ ବ୍ୟବହାର କରିପାରିବେ। ସରକାର କେବଳ ଏସବୁ ଦେଖି ଚୁପ ରହିବା କଥା ନୁହେଁ। ବରଂ କୋର୍ଟଙ୍କୁ ସହଯୋଗ କରିବା ଦରକାର। ଏହା କ’ଣ ଏକ କମ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଏବେ ମାମଲାର ପରବର୍ତ୍ତୀ ଶୁଶାଣି ନଭେମ୍ବର ୨୩ରେ ହେବ। ଏହି ସମୟରେ କୋର୍ଟ କେନ୍ଦ୍ର ସରକାରଙ୍କୁ ପକ୍ଷ ରଖିବାକୁ କହିଛନ୍ତି।

Related story