ଜୟପୁର: ହୋମୱାର୍କ ନକରିବାରୁ ଛାତ୍ରକୁ ପିଟି ପିଟି ମାରିଦେଲେ ଶିକ୍ଷକ। ଜଣେ ୭ମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ମାରିଦେବା ଅଭିଯୋଗରେ ଜଣେ ପ୍ରାଇଭେଟ୍ ସ୍କୁଲର ଶିକ୍ଷକଙ୍କୁ ପୁଲିସ ଗିରଫ କରିଛି। ରାଜସ୍ଥାନର ଚୁରୁ ଜିଲ୍ଲାର ସାଲାସର ଗ୍ରାମରେ ଏହି ଘଟଣା ଘଟିଛି।
ମନୋଜ କୁମାର ନାମକ ଏହି ଶିକ୍ଷକ ୧୩ ବର୍ଷର ବାଳକକୁ ବାଡ଼ିରେ ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି। ପିଲାଟି ହୋମୱାର୍କ ଶେଷ କରିନଥିବାରୁ ଶିକ୍ଷକ ମନୋଜ ନିଷ୍ଠୁର ଭାବେ ପିଟିଥିଲେ। କୋଲାସର ଅଞ୍ଚଳର ବାସିନ୍ଦା ଓମପ୍ରକାଶ ପୁଲିସକୁ କହିଛନ୍ତି ଯେ, ତାଙ୍କ ପୁଅ ଏକ ଘରୋଇ ବିଦ୍ୟାଳୟରେ ୭ମ ଶ୍ରେଣୀର ଛାତ୍ର ଥିଲେ । ପିଲାଟିକୁ ତାଙ୍କ ଶିକ୍ଷକ ବିନା କାରଣରେ ୧୫ ଦିନ ହେବ ପିଟୁଥିବା ସେ ଅଭିଯୋଗ କରି ଆସୁଥିଲେ।
ବୁଧବାର ସକାଳ ପ୍ରାୟ ୯ଟା ୧୫ ମିନିଟ୍ରେ ପିଲାଟି ଚେତାଶୂନ୍ୟଭାବେ ପଡ଼ିଥିବା ଶିକ୍ଷକ ଜଣକ ଓମପ୍ରକାଶଙ୍କୁ ଜଣାଇଥିଲେ। ମନୋଜ କହିଥିଲେ ଯେ ପିଲାଟି ତାଙ୍କ ହୋମୱାର୍କ ଶେଷ କରିନଥିଲେ। ସେଥିପାଇଁ ତାଙ୍କୁ ମାଡ ଦିଆଯାଇଥିଲା। ଏଥିରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ମୋ ପୁଅକୁ କଣ ମାରିଦେଛ କି ପିଲାର ବାପା ପଚାରିବାରୁ ଶିକ୍ଷକ ଜଣକ କହିଥିଲେ ସେ ମରିବା ଭଳି ଅଭିନୟକ କରୁଛି।
ଯେତେବେଳେ ଓମପ୍ରକାଶ ବିଦ୍ୟାଳୟରେ ପହଞ୍ଚିଲେ ସେ ଦୃଶ୍ୟ ଦେଖି ଚମକି ପଡ଼ିଥିଲେ। ସେତେ ବେଳକୁ ତାଙ୍କ ପୁଅର ମୃତ୍ୟୁ ଘଟି ସାରିଥିଲା। ଅନ୍ୟ ଛାତ୍ରମାନେ କହିଛନ୍ତି ଯେ, ମନୋଜ ନିର୍ଦ୍ଦୟ ଭାବରେ ପିଲାଟିକୁ ମାଡ଼ ମାରି ଫିଙ୍ଗି ଦେଇଥିଲେ। ତାଙ୍କୁ ତଳେ ପକାଇ ମୁଥ ଓ ଗୋଇଠା ବିଧା ମାରିଥିଲେ। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ୩୦୨ ଦଫା ଲଗାଇ ତଦନ୍ତ କରୁଛି। ମାମଲା ଦାୟର ହେବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଥିବା ପୁଲିସ କହିଛି।